ବେନାମୀ କଲେଜ ଘଟଣା: ବାହାବଳପୁରରେ କଲେଜ, ଖାସମୁଣ୍ଡାରେ ଶାଖା

ରାଜନଗର: କୌଣସି ସ୍ବୀକୃତି ନ ଥାଇ ଯୁକ୍ତ-୨ କଲେଜ ଖୋଲି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମ ଲେଖା ଘଟଣା ଖବର ପ୍ରକାଶ ପାଇବା ପରେ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରି ବାଲେଶ୍ୱର ଅଞ୍ଚଳରେ ଥିବା ଏକ ଘରୋଇ କଲେଜ ଖାସମୁଣ୍ଡାରେ ଶାଖା ଖୋଲି ପିଲାଙ୍କ ନାମ ଲେଖାଇବା ସହ ପାଠ ପଢାଉଥିବା ଜଣାପଡିଛି। ଗୋଟିଏ ଭାଇ ବାଲେଶ୍ୱରର ବାହାବଳପୁରରେ ଘରୋଇ କଲେଜ ଚଳାଉଛନ୍ତି। ଅନ୍ୟ ଏକ ଭାଇ କେନ୍ଦ୍ରାପଡାର ସବୁଠୁ ଉପାନ୍ତ ଅଂଚଳ ଖାସମୁଣ୍ଡାରେ ବେନାମୀ କଲେଜ ଖୋଲି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଜଣାପଡିଛି। ଗୋଟିଏ ଘରୋଇ କଲେଜ ନିର୍ଦ୍ଦିଷ୍ଟ ସ୍ଥାନରେ ଖୋଲିବାକୁ ଅନୁମତି ପାଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ତା’ର ଶାଖା ଖୋଲିବା ଓ ଅନ୍ୟ ଏକ କଲେଜ ନାଁରେ ଛାତ୍ରଛାତ୍ରୀଙ୍କୁ ଭଣ୍ଡାଇ ଆଡମିସନ କରାଇବା ଘଟଣା ଉଦ୍‌ବେଗ ସୃଷ୍ଟି କରିଛି। ଏହି ଘଟଣାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ଶିକ୍ଷା ବିଭାଗର ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ରାଜନଗର ବ୍ଲକର ଶେଷ ପ୍ରାନ୍ତରେ ଥିବା ବଙ୍ଗୀୟ ଭାଷାଭାଷୀ ଅଂଚଳ ବାଘମାରୀ ପଞ୍ଚାୟତର ଖାସମୁଣ୍ଡା ଏହି ଗାଁରେ ଶ୍ରୀ ଗଣେଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ-୨ କଲେଜ) ଖୋଲାଯାଇଥିବା ସାଇନବୋର୍ଡ ମରାଯାଇଛି। ଏହି ଫଳକରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମ ଲେଖା ଚାଲୁଥିବା ଉଲ୍ଲେଖ ରହିଛି। ଏହି କଲେଜରେ ୫୫ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାଠ ପଢୁଥିବା ଜଣାପଡିଛି। ଅଧିକାଂଶ ଛାତ୍ରଛାତ୍ରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଯୁକ୍ତ-୨ କଳାରେ ନାମ ଲେଖାଇଥିଲେ। ଖାସମୁଣ୍ଡା ଶ୍ରୀଗଣେଶ କଲେଜକୁ ସରକାରଙ୍କ ଶିକ୍ଷା ବିଭାଗର କୌଣସି ସ୍ବୀକୃତି ମିଳି ନ ଥିବା ବେଳେ କିପରି ଏହି ବେନାମୀ କଲେଜ ଖୋଲାଗଲା ଓ ଏଠାରେ ନାମ ଲେଖା ଚାଲିଛି ସେ ନେଇ ବିସ୍ମୟ ସୃଷ୍ଟି ହୋଇଛି।

ଖାସମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ତରୁଣ କୁମାର ମାଇତି ନିଜେ କଲେଜ ଚଳାଉଛନ୍ତି ବୋଲି କହିବା ସହ ଅଫିସିଆଲ କଥା ଭାଇ ମାନସ ମାଇତି ବୁଝୁଛନ୍ତି ବୋଲି କହିଛନ୍ତି। ଭାଇ ମାନସ ମାଇତିଙ୍କ କହିବା କଥା ହେଲା, ଖାସମୁଣ୍ଡାରେ କଲେଜ ଖୋଲିବା ପାଇଁ ଭାଇ (ତରୁଣ)ପ୍ରସ୍ତାବ ଦେଇଥିଲେ। ବାଲେଶ୍ୱରର ବାହାବଳପୁରଠାରେ ତାଙ୍କର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଭାଇଙ୍କ ପ୍ରସ୍ତାବ ପରେ ସେ ଖାସମୁଣ୍ଡାରେ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଶ୍ରୀ ଗଣେଶ କଲେଜ ଖୋଲିବା ପାଇଁ ନିଷ୍ପିତ୍ତି ନେଇ ଫଳକ ମାରିଥିଲେ। ସ୍ବୀକୃତି ପାଇବା ପାଇଁ ପ୍ରତିବର୍ଷ ନଭେମ୍ବର ମାସରେ ଆବେଦନ କରିବାକୁ ପଡେ। ମେ’ ମାସରେ ଅନୁବନ୍ଧନ ମିଳିଥାଏ। ସଚିବ ଓ ମନ୍ତ୍ରୀସ୍ତରରେ ଏ ସବୁ ହୋଇଥାଏ। ସେଥିପାଇଁ ନୂଆ କଲେଜର ଫଳକ ମାରି ୫୫ ଜଣ ଛାତ୍ରଛାତ୍ରୀଙ୍କ ଆଡମିସନ ନେଇଥିଲୁ। ସମସ୍ତ ଛାତ୍ରଛାତ୍ରୀଙ୍କ ଆଡମିସନ ବାହାବଳପୁର ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କରାଯାଇଛି। ଖାସମୁଣ୍ଡାରେ ୫୫ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ବ୍ୟବସ୍ଥା କରିଛୁ। ସ୍ଥାନୀୟ ଅଞ୍ଚଳର ୬ ଜଣ ଓ ଧାମରା ଅଂଚଳର ଯୁବକଙ୍କୁ ରଖି ପାଠ ପଢାଉଛୁ। ଦେଶ ସାରା ଏପରି ବିଏଡ କଲେଜର ଫଳକ ମରାଯାଇଥାଏ। ସେଲ୍ଫ ଫାଇନାନ୍ସ କଲେଜଗୁଡିକ ଏପରି କରିଥାନ୍ତି। ସେମାନେ ଉପାନ୍ତ ଅଂଚଳରେ କଲେଜ ଖୋଲିବା ପାଇଁ ଏପରି କରିଛନ୍ତି ବୋଲି କହିଛନ୍ତି। ସେ ବାଲେଶ୍ୱରରେ ରହି ବୁଝୁଛନ୍ତି ଓ ଭାଇ ଖାସମୁଣ୍ଡାରେ କଲେଜର ପାଠପଢା କଥା ବୁଝୁଥିବା କହିଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାର ବାହାବଳପୁରଠାରେ ଥିବା ଏକ ଘରୋଇ କଲେଜ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଖାସମୁଣ୍ଡାରେ ଶାଖା କଲେଜ ଖୋଲି ପାରିବ କି? ଏହାବାଦ୍‌ ଶ୍ରୀ ଗଣେଶ କଲେଜ ନାଁରେ କୌଣସି ସ୍ବୀକୃତି ନଥିବା ବେଳେ କିପରି ନୂଆ କଲେଜର ନାଁ ମରାଯାଇ ଛାତ୍ରଛାତ୍ରୀଙ୍କୁ ଭଣ୍ଡାଇ ଆଡମିସନ କରାଗଲା, ସେ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର