କମେଣ୍ଟ୍‌ ମାରିବାକୁ ଛଦ୍ମବେଶ: କଲେଜ ୟୁନିଫର୍ମ ପିନ୍ଧି କ୍ଲାସ୍‌କୁ ଆସୁଥିଲା ଅନ୍ୟ କଲେଜ ଛାତ୍ର

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପିପୁଲ୍ସ କଲେଜରେ ଆଜି ବାହାର କଲେଜର ଜଣେ ଛାତ୍ରର ଅନୁପ୍ରବେଶ ଓ କମେଣ୍ଟ ମରାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଅନ୍ୟ କଲେଜରେ ପଢ଼ୁଥିବା ସଂପୃକ୍ତ ଛାତ୍ର ପିପୁଲସ୍‌ କଲେଜ ୟୁନିଫର୍ମ ପିନ୍ଧି କ୍ଲାସ୍‌କୁ ଆସୁଥିଲା। ସେ କମେଣ୍ଟ୍‌ ମାରିବା ବେଳେ ଛାତ୍ରଙ୍କ ହାତରେ ଧରା ପଡ଼ିଲା। ଛଦ୍ମବେଶ ତା’ ପାଇଁ କାଳ ହେଲା l ପ୍ରକାଶ ଯେ, ମାଣିତରା କଲେଜର ଜନୈକ ଛାତ୍ର ବୁଗୁଡ଼ା ପିପୁଲ୍ସ କଲେଜ ୟୁନିଫର୍ମରେ ଅର୍ଥନୀତି ବିଭାଗ ଶ୍ରେଣୀରେ ପଶି କିଛି ଛାତ୍ରୀଙ୍କୁ କମେଣ୍ଟ୍‌ କରିବା ଫଳରେ କଲେଜ ପରିସରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସଂପୃକ୍ତ ଛାତ୍ରକୁ ପିପୁଲ୍ସ କଲେଜ ଛାତ୍ରମାନେ ଘେରିଯାଇ ପଚରାଉଚରା କରିବା ବେଳେ ସେ ମାଣିତରା କଲେଜର ଛାତ୍ର ବୋଲି ଜଣା ପଡ଼ିଥିଲା। ଏ ସମ୍ପର୍କରେ ଛାତ୍ରମାନେ ବିଭାଗୀୟ ଅଧ୍ୟାପକ ଅନିଲ ସେଠୀଙ୍କୁ ଜଣାଇବା ପରେ କିଛି ଅଧ୍ୟାପକ ଆସି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଥିଲେ। ଏ ସମୟରେ ସଂପୃକ୍ତ ଛାତ୍ର ଜଣକ ଗେଟ୍ ବାହାରେ ରହି କିଛି ଅଣଛାତ୍ରଙ୍କୁ ଡକାଇ ଧମକଚମକ ଦେବା ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।

ଏ ନେଇ ଦାୟିତ୍ବରେ ଥିବା କଲେଜ ଅଧ୍ୟକ୍ଷ ପୁଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ବାହାର ଛାତ୍ର ଓ ଅଣଛାତ୍ର ସେଠାରୁ ଚମ୍ପଟ୍‌ ମାରିଥିଲେ। ସଂପୃକ୍ତ ଛାତ୍ର ଜଣକ ବୁଗୁଡ଼ା ସହରର ହୋଇଥିବା ବେଳେ ସେ ଗତ ତିନିଚାରି ଦିନ ହେଲା ପିପୁଲ୍ସ କଲେଜ ୟୁନିଫର୍ମରେ ବିଭିନ୍ନ ଶ୍ରେଣୀକୁ ଯାଇ ବିଶୃଙ୍ଖଳା କରୁଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। କଲେଜ ମଧ୍ୟରେ ଅନ୍ୟ କଲେଜ ଛାତ୍ର ଓ ଅଣଛାତ୍ର ଯେମିତି ପ୍ରବେଶ ନ କରନ୍ତି ସେଥିପାଇଁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ନଜର ରଖିବାକୁ ନିଦ୍ଦେଶ ଜାରି ହୋଇଛି |

ସମ୍ବନ୍ଧିତ ଖବର