ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳସଚିବଙ୍କ ଦେହାନ୍ତ

ବାରିପଦା: ପୂର୍ବର ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ତଥା ବର୍ତ୍ତମାନର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳସଚିବ ପ୍ରଫେସର କମଳାକାନ୍ତ ସେନଙ୍କ ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ୭୯ ବର୍ଷରେ ପରଲୋକ ଘଟିଛି। ବାରିପଦା ପୌରପରିଷଦ ପ୍ରଫୁଲ ନଗରସ୍ଥିତ ବାସଭବନରେ ହୃଦଘାତରେ ଶ୍ରୀ ସେନଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଝିଅ ସର୍ବରୀ ରାୟ, ଶ୍ରାବନ୍ତୀ ସେନ ଓ ପୁତ୍ର ଦୀପାୟନ ସେନ ପ୍ରମୁଖ ଉପସ୍ଥିତ ରହିଥିଲେ । ୧୯୪୨ ଜୁନ ୧୦ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସେନ ୩୦ ବର୍ଷରୁ ଅଧିକ ସମୟ ଧରି ଅର୍ଥଶାସ୍ତ୍ରରେ ଅଧ୍ୟାପନା କରିବା ସହ ଅର୍ଥଶାସ୍ତ୍ରରେ ପିଏଚ୍ଡି ଲାଭ କରିଥିଲେ ।

୧୯୯୯ରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିବା ସମୟରେ ଶ୍ରୀ ସେନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳସଚିବ ଭାବେ ଦାୟିତ୍ୱ ଭାର ସମ୍ଭାଳିଥିଲେ । ଏହା ବ୍ୟତୀତ ଢ଼େଙ୍କାନାଳ ସରକାରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ, ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଓ ଅର୍ଥଶାସ୍ତ୍ର ବିଭାଗର ଏଚଓଡି ମଧ୍ୟ ରହିଥିଲେ । ସେହିପରି ଅର୍ଥଶାସ୍ତ୍ରରେ ଅନେକ ଗୁଡ଼ିଏ ଉପାଦେୟ ପୁସ୍ତକ ରଚନା କରିଥିଲେ ।

ଶ୍ରୀ ସେନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେପି ନେତା ନରୋତ୍ତମ ପାଣିଗ୍ରାହୀ, ଅରବିନ୍ଦ ଦାସ ପ୍ରମୁଖଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସ୍ବର୍ଗତଃ ସେନଙ୍କର ବାରୁଣୀସ୍ଥିତ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁଅ ଦୀପାୟନ ମୁଖାଗ୍ନି ଦେଇଥିଲେ ।

ସମ୍ବନ୍ଧିତ ଖବର