ଜାତୀୟ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ପ୍ରେସ ଗାଡିରୁ ମିଳିଲା ଏକ କୁଇଣ୍ଟାଲ ଗଞ୍ଜେଇ

ଦେଓଗାଁ: ସୋମବାର ଭୋର ସକାଳ ୬ଟା ୧୫ ମିନଟ ସମୟରେ ୨୬ ନମ୍ବର ଜାତୀୟ ରାଜପଥର ଦେଓଗାଁ ସୋନଗଡ଼ ନଦୀ ଉପରେ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ହେଲେ ଗୋଟିଏ ଗାଡ଼ିରୁ ଏକ କୁଇଣ୍ଟାଲ ଗଞ୍ଜେଇ ମିଳିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ଦେଓଗାଁ ଡାକବଙ୍ଗଳା ପଟରୁ ଯାଉଥିବା ଏକ ସ୍ବିପ୍ଟ ଡିଜାୟାର (ଓଡି୦୨ଏଜି ୦୪୫୩) ସହ ବିପରୀତ ଦିଗରୁ ଯାଉଥିବା ଟାଟା ଏସିଇ (ଓଡି ୦୩ଏମ-୩୨୮୦) ମଧ୍ୟରେ ସୋନଗଡ଼ ନଦୀର ବ୍ରିଜ ଉପରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିରେ ବସିଥିବା ଡ୍ରାଇଭର ଓ ଯାତ୍ରୀ ଆହତ ହୋଇଥିଲା। ଘଟଣା ଏମିତି ଥିଲା ଯେ, ବଲାଙ୍ଗୀର ପଟରୁ ଯାଉଥିବା ଟାଟା ଏସିଇ ପୁଣି ବଲାଙ୍ଗୀର ପଟକୁ ମୁହଁ ହୋଇ ଯାଇଥିଲା। ବ୍ରିଜ ଉପେର ଧକ୍କା ହେବା ଦ୍ବାରା କିଛି ସମୟ ପାଇଁ ଯାତାୟତ ବନ୍ଦ ହୋଇଯାଇଥିଲା।

ଦୁର୍ଘଟଣା ପରେ ଟାଟା ଏସିଇ ଗାଡ଼ିର ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ବଲାଙ୍ଗୀର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଦୁର୍ଘଟଣା ପରେ ପ୍ରେସ ଲେଖାଥିବା ସ୍ଵିପ୍ଟ ଡିଜାୟାର ଗାଡ଼ିର ଯାତ୍ରୀମାନେ ଫେରାର ମାରିଥିଲେ। ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିବା ସେହି ପ୍ରେସ ଲେଖାଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ଗଞ୍ଜେଇକୁ ଦେଓଗାଁ ପୁଲିସ ଜବତ କରି ଥାନାରେ ରଖିଛି।

ସମ୍ବନ୍ଧିତ ଖବର