ଉଦ୍‌ବେଗଜନକ ସ୍ଥିତିରେ କରୋନା ସଂକ୍ରମଣ

ରାଉରକେଲା: ଜିଲ୍ଲାରେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି କରୋନା ସଂକ୍ରମଣ। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରମବର୍ଦ୍ଧିଷ୍ଣୁ ଆକ୍ରାନ୍ତ ସଂଖ୍ୟା, ହ୍ରାସ ପାଇବାର ନାଁ ନେଉନି। ହ୍ରାସ ପାଇବା ତ ଦୂରର କଥା, ଯେଉଁ ମାତ୍ରାରେ ବୃଦ୍ଧି ହେଉଛି ତାହା ସମସ୍ତଙ୍କର ନିଦ ହଜାଇ ଦେଲାଣି। ରାଜ୍ୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ; ସମସ୍ତେ ଏବେ ସଂକ୍ରମଣ ରୋକିବାକୁ ତୁହାକୁତୁହା ଆଲୋଚନା, ପର୍ଯ୍ୟାଲୋଚନାରେ ମାତିଛନ୍ତି। ଜନସାଧାରଣ ମଧ୍ୟ ଭୟଭୀତ। ଆଜି ଜିଲ୍ଲାରୁ ୪୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ସର୍ବକାଳୀନ ସର୍ବାଧିକ ଦିନିକିଆ ରେକର୍ଡ। ଏହା ପୂର୍ବରୁ ଜିଲ୍ଲାର ଦିନିକିଆ ସର୍ବାଧିକ ରେକର୍ଡ ୩୫୫ ଥିଲା। ପ୍ରକାଶଥାଉକି, ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୮,୭୦୦ରେ ପହଞ୍ଚିଛି। ଏଥିମଧ୍ୟରୁ ୧୬,୨୧୭ ଜଣ ସୁସ୍ଥ ହୋଇସାରିଥିବାବେଳେ ୨,୩୦୫ ଜଣ ଚିକିତ୍ସାଧୀନ ଅଛନ୍ତି।

ଓଡିଶା-ଝାଡ଼ଖଣ୍ଡ ସୀମା ସିଲ୍

ସଂକ୍ରମଣ ରୋକିବାକୁ ଆଜିଠାରୁ ଓଡିଶା-ଝାଡ଼ଖଣ୍ଡ ସୀମାକୁ ସିଲ୍‌ କରିଦିଆଯାଇଛି। ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ଜରେଇକେଲା ଗ୍ରାମରେ ଚେକ୍‌ ପୋଷ୍ଟ୍ ତିଆରି କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବି ଶେଷ ହୋଇସାରିଲାଣି। ଏହି ରାସ୍ତା ଦେଇ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ଯାନବାହନ ଉପରେ ପ୍ରତିବନ୍ଧକ ଲଗାଯିବ।  ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ନିୟୋଜିତ ଭାରୀଯାନ ଚଳାଚଳକୁ ଅନୁମତି ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଇବା ଫଳରେ ଲକଡାଉନ୍ ସମସ୍ୟା ଉପୁଜିବା ଭୟରେ ଲୋକମାନେ ନିଜ ନିଜ ଘରକୁ ଫେରିବାକୁ ଆରମ୍ଭ କଲେଣି। ଏଣୁ ସୀମାନ୍ତରେ ଭିଡ଼ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର