ପୌର ନିର୍ବାଚନକୁ ନେଇ ବିଜେଡିର ଆଗୁଆ ସଜବାଜ; ପୁର୍ବତନ କାଉନସିଲରଙ୍କୁ ଏକାଠି କରୁଛି ଦଳ

ୱାର୍ଡ ସ୍ତରରୁ ଦଳୀୟ ସଂଗଠନ ମଜବୁତ ଉପରେ ଗୁରୁତ୍ୱ ସାମ୍ନାକୁ ଆସିଲେ ସାନନ୍ଦ

ବାରିପଦା: ପଞ୍ଚାୟତ ନିର୍ବାଚନ ଭଳି ପୋୖର ନିର୍ବାଚନକୁ ନେଇ ମଧ୍ୟ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ପୁର୍ବତନ କାଉନସିଲର ମାନଙ୍କୁ ଏକାଠି କରିବା ସହିତ ୱାର୍ଡ ସ୍ତରରୁ ଦଳୀୟ ସଙ୍ଗଠନକୁ ମଜବୁତ କରିବା ଲକ୍ଷ୍ୟରେ କାମ ଆରମ୍ଭ କରିଛି ଦଳ। ଏନେଇ ବିଜୁ ଜନତା ଦଳ ତରଫରୁ ବାରିପଦା ନିର୍ବାଚନ ମଣ୍ଡଳୀର ବାରିପଦା ପୌରପାଳିକାର ସାଂଗଠନିକ ବୈଠକ ଗତକାଲି ସ୍ଥାନୀୟ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।

ଉଲ୍ଲେଖନୀୟ କଥା ଏହା ଯେ ଏହି ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ କାର୍ଯ୍ୟ ସଞ୍ଚାଳନ ନିମନ୍ତେ ଦଳ ପକ୍ଷରୁ ପୁର୍ବତନ ଉପବାଚସ୍ପତି ତଥା ବାରିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କୁ ସାମ୍ନାକୁ ଆଣିଛି। ଗତଥର ଟିକେଟରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦଳ ଏଥର ସାନନ୍ଦଙ୍କୁ ଆଗରେ ରଖି ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଗତକାଲିର ବୈଠକରେ ସାନନ୍ଦ ସଭାପତିତ୍ୱ କରିଥିଲେ। ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଳା ବିଜେଡି ସହ-ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜକିଶୋର ଦାସ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗଦେଇ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

Sambad

ବିଶେଷକରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଲୋକଙ୍କ ନିକଟରେ ପହଁଞ୍ଚାଇ ତାହାର ସୁଫଳ ଯେପରି ସାଧାରଣ ଜନତା ପାଇପାରିବେ ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ପରାମର୍ଶ ଦେଇଥିଲେ। ଆଗାମୀ ପୋୖର ନିର୍ବାଚନକୁ ଦୃଷ୍ଟି ରେ ରଖି ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ବିଭିନ୍ନ ୱାର୍ଡସ୍ତରୀୟ ବୈଠକ କରାଯିବା ସହିତ ସାଧାରଣ କର୍ମୀଙ୍କ ମତାମତକୁ ଗୁରୁତ୍ୱ ଦେବା, ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ଦଳ କାର୍ୟ୍ୟ କରିବ ବୋଲି ଶ୍ରୀ ଲେଙ୍କା ମତବ୍ୟକ୍ତ କରିଥିଲେ। ସଭାରେ ଗତ ୟାସ ବାତ୍ୟାରେ ପ୍ରଭାବିତ ବାରିପଦା ପୌରାଞ୍ଚଳବାସୀଙ୍କୁ ସାହାଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଅନ୍ୟତମ ନାରୀନେତ୍ରୀ ବିଷ୍ଣୁପ୍ରିୟା ଦାସ, ଛବି ମାହାଲି, ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି, ଦୁର୍ଗାମଣି ଆଚାର୍ଯ୍ୟ, ଦିପ୍ତିଲତା ମିଶ୍ର, ବରିଷ୍ଠ କାଉନସିଲର କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ଯୁବ ଜନତା ସଭାପତି ଅରୁଣ ବରାଡ, ରାଜୀବ ଜେନା, ଜିଲ୍ଲା ଛାତ୍ର ସଭାପତି ସୁନୀଲ ନାୟକ, ଅଭୟ ସିଂ, ସୀମା ଦାସ, ଶ୍ରାବଣୀ ଦାସ, ଦେବାଶିଷ ପାତ୍ର, ପ୍ରଭାତି ନାୟକ, ପ୍ରଭାତି ପୃଷ୍ଟି, ଦେବୀଦତ୍ତ ଦାଶ, ସମ୍ପା ମଜୁମଦାର ତଥା ବାରିପଦା ପୌରାଞ୍ଚଳର ୨୮ ଗୋଟି ୱାର୍ଡର ୱାର୍ଡ ସଭାପତି ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର