ଟ୍ରକ୍‌-କାର୍‌ ଧକ୍କା, ଦମ୍ପତି ମୃତ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ୩୫୩ ଜାତୀୟ ରାଜପଥର ଚଲାନପଡ଼ା ବଡ଼ପୋଲ ପାଖରେ ଏକ ଟ୍ରକ୍‌ ଓ କାର୍‌ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ କାର୍‌ରେ ଥିବା ବଡ଼ଦୋହେଲ ଗ୍ରାମର ସେନାପତି ବାଗ (୩୬) ଓ ସ୍ତ୍ରୀ ସରିତା ବାଗ (୩୨)ଙ୍କ ମୃତ୍ୟୁ ଘଟିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଅପରାହ୍‌ଣ ୪ଟାରେ ବଡ଼ଦୋହେଲ ଗ୍ରାମର ସେନାପତି ଓ ସ୍ତ୍ରୀ ସରିତା ଏକ କାର୍‌ (ସିଜି ୦୪ ଏଫ୍‌ଡି ୮୧୦୦)ରେ ନୂଆପଡ଼ା ପଟକୁ ଯାଉଥିଲେ। ଚଲାନପଡ଼ା ବଡ଼ପୋଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର (ଏପି ୩୯ ଟି ଏକ୍ସ ୬୮୫୯) କାର୍‌କୁ ଧକ୍କା ଦେଇଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାର ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ଦୁଇ ପୁଅ ସରୋଜ ବାଗ (୧୧ ବର୍ଷ) ଓ ରାଜବିର ବାଗ (୯ ବର୍ଷ) ଏବଂ ଝିଅ ଚୈତ୍ରା ବାଗ (୬ ବର୍ଷ) ଅଛନ୍ତି। ଦୁର୍ଘଟଣା ପରେ କଣ୍ଟେନରକୁ ୫ କିମି ଦୂରରେ ଛାଡ଼ି ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଦୀପ ଧାରୁଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର