ଗାଧୁଆ ଘରେ ଟ୍ୟାପ୍‌ ବାଜି ଶିଶୁକନ୍ୟା ମୃତ, ନଦୀରେ ବୁଡ଼ିଗଲା ୬ ବର୍ଷୀୟ ଝିଅ

ବଲାଙ୍ଗୀର: ସ୍ଥାନୀୟ ବେହେରାପାଲିଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣନିଧି କୁମ୍ଭାରଙ୍କ ଛ’ ବର୍ଷର ଝିଅ ଅଭିପ୍ରିୟା ଗାଧୁଆ ଘରକୁ ଯାଇଥିଲେ। ସେ ଉଠିବା ବେଳେ ପାଣି ଟ୍ୟାପ୍‌ ମୁଣ୍ଡରେ ବାଜିଥିଲା। ତାଙ୍କୁ ଭୀମ ଭୋଇ ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ବ୍ୟବଚ୍ଛେଦ ପରେ ପରିବାର୍ଗଙ୍କୁ ଶବ ହସ୍ତାନ୍ତର କରିଛି।

ସେହିପରି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ଅନ୍ତର୍ଗତ ଦେଉଲକଣା ଠାରେ ଥିବା ଅମର୍ଲି ନଦୀରେ ଜଣେ ୬ ବର୍ଷର ଶିଶୁକନ୍ୟା ନଦୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ପ୍ରକରେ ଚିତାବେଡା ପଂଚାୟତ ଅନ୍ତର୍ଗତ ସିଉନାଗୁଡା ଗ୍ରାମର ଚାଷୀ ଛବି ଗୌଡ଼ ଦେଉଲକଣା ଠାରେ ଥିବା ନିଜ ଜମିରେ କାମ କରିବା ପାଇଁ ସକାଳୁ ଆସିଥିଲେ।ଦ୍ଵପ୍ରହରରେ ଖାଇବା ସମୟରେ ଛବି ଗୌଡ଼ଙ୍କ ଦୁଇ ଝିଅ ବଡ଼ ଜ୍ୟୋତି ଗୌଡ଼(୮) ଏବଂ ସାନ ଝିଅ ଭାରତୀ ଗୌଡ଼(୫) ଛବିଙ୍କ ପାଇଁ ଖାଇବା ନେଇ ଘରୁ ଜମି ନିକଟକୁ ଆସିଥିଲେ।ଛବି ଖାଇ ସାରିବା ପରେ ଜମିରେ କାମ କରିବା ପାଇଁ ଚାଲି ଯାଇଥିବା ବେଳେ ଦୁଇ ଜଣ ଝିଅ ଜମି ଭିତରେ ଥିବା କୁଡ଼ିଆରେ ଖେଳୁଥିଲେ।ତେବେ ସାନ ଝିଅ ଭାରତୀ ଖେଳି ଖେଳି ଅମର୍ଲି ନଦୀର ଜମିରେ ପାଣି ଦେବା ପାଇଁ ବନ୍ଧା ଯାଇଥିବା ଆଡ଼ିବନ୍ଧ ନିକଟକୁ ଚାଲି ଯାଇଥିଲା।

ଆଡ଼ିବନ୍ଧ ନିକଟରେ ଖେଳୁ ଥିବା ସମୟରେ ଅସାବଧାନତା ଯୋଗୁଁ ପ୍ରାୟ ୫ ଫୁଟ ଗଭୀର ପାଣି ଭିତରେ ବୁଡି ଯାଇଥିଲା।ଏହା ଦେଖିବା ପରେ ବଡ଼ ଝିଅ ଜ୍ୟୋତି ଦୌଡ଼ି ଯାଇ ବାପା ଛବିଙ୍କୁ କହିଥିଲା।ତୁରନ୍ତ ଛବି ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଭାରତୀ ପାଣିରେ ବୁଡି ଯାଇଥିଲା।ପରେ ଝରିଗାଁ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଭାରତୀର ମୃତ୍ୟ ଶରୀର ପାଣି ଭିତରୁ ଉଦ୍ଧାର କରିଥିଲେ।ପରେ ପରିବାର ପକ୍ଷରୁ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇ ଥିବା ସୂଚନା ମିଳିଛି।ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର