ନାମାଙ୍କନ ବେଳେ ସବୁ କଟକଣାକୁ ଫୁ’, ନିର୍ବାଚନ କମିସନର୍‌ଙ୍କୁ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ ତ?

ଜଗତସିଂହପୁର: ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଏବେ ସବୁଠି ଭିଡ଼। ବିରାଟ ପଟୁଆରରେ ବାଜା ଓ ବାଣ ଫୁଟାଇ ପ୍ରାର୍ଥୀମାନେ ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶନାମାକୁ ଫୁ’ କରି ଦେଉଛନ୍ତି। କୋଭିଡ କଟକଣାକୁ ସତେ ଯେମିତି ସମସ୍ତେ ଭୁଲି ଯାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ନିର୍ବାଚନ ପାଇଁ କମିସନର ପୂର୍ବରୁ ଯେଉଁ ନିର୍ଦ୍ଦେଶନାମା ଜାରୀ କରିଥିଲେ ତାକୁ ଅଧିକାଂଶ ମାନୁନାହାନ୍ତି। ଆଜି ଉପରୋକ୍ତ ମର୍ମରେ ପୁଲିସ ଡିଜିଙ୍କୁ ପୁଣି ଥରେ ଏ ନେଇ ଚିଠି ଲେଖିଛନ୍ତି ନିର୍ବାଚନ କମିଶନର। ଜଗତସିଂହପୁର ଜିଲ୍ଲାର ବିରିଡ଼ି, ତିର୍ତୋଲ, କୁଜଙ୍ଗ ଭଳି ଅଧିକାଂଶ ସ୍ଥାନରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ସମୟରେ କୋଭିଡ୍ କଟକଣା ଆଇନର ଖୋଲା ଉଲ୍ଲଂଘନ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ପାରାଦୀପଗଡ଼ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ବିରାଟ ଶୋଭାଯାତ୍ରା ଦେଖି‌ଲେ ଏହା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଯିବ। ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ଶୋଭାଯାତ୍ରା‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ ଥିବା ବ୍ୟାନର ମଧ୍ୟ ବ୍ୟବହାର କରାଯାଇଥିଲା। କେବଳ ପାରାଦୀପଗଡ଼ ନୁହେଁ, ବାଲିଆ, ନୂଆଗଡ଼ ଓ ଅନ୍ୟାନ୍ୟ ଅଞ୍ଚଳର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଏହାକୁ ନେଇ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର କୋଭିଡ୍‌ ସଂକ୍ରମଣ ଦୈନିକ ବଢ଼ି୧୫ଶହକୁ ଛୁଇଁଲାଣି। ଏତେ ସଂଖ୍ୟାରେ ଭିଡ଼ ଏହି ସଂକ୍ରମଣକୁ ନିଶ୍ଚିତ ଭାବେ ବଢ଼ାଇବ ବୋଲି ବୁଦ୍ଧିଜୀବୀ ମହଲ ଚିନ୍ତା ପ୍ରକଟ କରିଛି। ସେହିପରି ଏହି ଶୋଭାଯାତ୍ରାକୁ ଯାଞ୍ଚ କରିବା ପାଇଁ କୌଣସି ପ୍ରାଶାସନିକ ଅଧିକାରୀ କିମ୍ବା ପୁଲିସ ଅଧିକାରୀ ମଧ୍ୟ ଆସୁ ନାହାନ୍ତି। ଏଣୁ ନିର୍ବାଚନ କମିସନରଙ୍କ ଏହି ନିର୍ଦ୍ଦେଶନାମାକୁ ତୃଣ ମୂଳ ସ୍ତରରେ କାର୍ଯ୍ୟକାରୀ ହେଉ ନଥିବା ସ୍ପଷ୍ଟ। କାଁ ଭାଁ ସ୍ଥାନରେ ବେଆଇନ୍‌ ହୋର୍ଡିଂକୁ ହଟାଯାଇଥିଲେ ହେଁ ଗାଁଗଣ୍ଡାରେ ସରକାରୀ ସ୍ଥାନରେ ଫ୍ଲେକ୍ସଗୁଡ଼ିକ ଶୋଭାପାଉଛି। ତେଣୁ ନିର୍ବାୟଜଚ କମିସନର୍‌ଙ୍କ ନିର୍ଦ୍ଦେଶନାକା ପାଳନ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ। ଏହାପରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ‌ଭୋଟ୍ ପ୍ରଚାର କରିବେ। ଏହି ସମୟରେ କୋଭିଡ୍ ନିୟମ କାର୍ଯ୍ୟକାରୀ ହେବ ବୋଲି ଆଶା କରିବା ବୃଥା। ଏଣୁ ଏହା ଉ‌ପରେ କଡ଼ାକଡ଼ି ନଜର ରଖିବା ଆବଶ୍ୟକ। ଅନ୍ୟଥା କୋଭିଡ୍‌ ସଂକ୍ରମଣ ସ୍ଥିତି ସଂଗିନ ହେବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର