ପ୍ରାଣୀ ପ୍ରତି ମଣିଷର ନୃଶଂସ ଅତ୍ୟାଚାର, ଗାଈ ପେଟରେ ବର୍ଚ୍ଛା ମାରି କ୍ଷତାକ୍ତ କଲେ

ଖୁଣ୍ଟିଗୋରା: ପ୍ରାଣୀମାନଙ୍କ ପ୍ରତି ମଣିଷ ସମାଜର ନୃଶଂସ ବ୍ୟବହାର ଦିନକୁ ବଢ଼ି ଚାଲିଛି। ତାମିଲନାଡୁରେ ହାତୀକୁ ନଡ଼ିଆ ଭିତରେ ବମ୍‌ ଦେଇ ବର୍ବରୋଚିତ ଅତ୍ୟାଚାର କରିଥିବା ଖବର ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ମଙ୍ଗଳବାର ବୌଦ୍ଧ ଜିଲ୍ଲାର ଏମିତି ଏକ ଘଟଣା ଲୋକଲୋଚନକୁ ଆସିଛି।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ ଗୋଛାଗୋରା ଗ୍ରାମରେ ଏକ ଗାଈର ପେଟରେ ବର୍ଚ୍ଛା ମାରି ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇଥିବା ଭଳି ସମ୍ବେଦନଶୀଳ ଘଟଣା ଘଟିଛି। ସୂଚନା ମୁତବାକ, ଗୋଛାଗୋରା ଗ୍ରାମର ପ୍ରଦୀପ ନନ୍ଦଙ୍କ ଗାଈ ମଙ୍ଗଳବାର ପଡ଼ୋଶୀ ଗ୍ରାମକୁ ଚରିବାକୁ ଯାଇଥିବା ବେଳେ କେହି ଜଣେ ଗାଈ ପେଟରେ ୫ ଫୁଟ୍‌ ଲମ୍ବର ବର୍ଚ୍ଛା ମାରିଥିଲା। ଫଳରେ ବର୍ଚ୍ଛା ସହିତ ଗାଈ ଘରକୁ ଫେରିଥିବା ବେଳେ ପେଟରୁ ପ୍ରବଳ ରକ୍ତସ୍ରାବ ହେଉଥିଲା।

ଗାଈ ମାଲିକ ପ୍ରଦୀପ କୌଣସି କାମରେ ବାହାରେ ଥିଲେ। ଖବରପାଇ ସମାଜସେବୀ ସୁଶାନ୍ତ ବାରିକ ପହଞ୍ଚି ଗୋମିତ୍ର ପ୍ରଦୀପ ବାଘଙ୍କୁ ଡାକି ବର୍ଚ୍ଛା ବାହାର କରିବା ସହ ଗାଈର ଆଶୁ ଚିକିତ୍ସା କରାଇଥିଲେ। ଗାଈଟି ଶୁଖାମୁଣ୍ତା ପଟରୁ ଆସୁଥିବା ବେଳେ ସେହି ଗ୍ରାମର କେହି ଏହି ଘଟଣା ଘଟାଇ ଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି। ତେବେ ଏହି ଘଟଣା ବୌଦ୍ଧ ଜିଲ୍ଲାରେ ନୂଆ ନୁହେଁ। ଗତ ଜାନୁଆରି ମାସରେ ହରଭଙ୍ଗା ବ୍ଲକ୍‌ ସରସରାରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ଗାଈ ଗର୍ଭାଶୟରେ କେହି ୪ ଫୁଟ୍‌ ଲମ୍ବର ଶାବଳ ପୁରାଇ ହତ୍ୟା କରିଥିବା ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର