ଆସ୍କା: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଭଞ୍ଜନଗର/ଆସ୍କା: ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସ୍କା ପୁଲିସ ସହିତ ଗୁଳି ବିନିମୟ ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଆହତ ହୋଇଛି। ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥିବା କାଳୁ ଉପରକୁ ପୁଲିସ ପାଲଟା ଗୁଳି ଚଳାଇବାରୁ ଗୋଟିଏ ଗୁଳି ତାର ଡାହାଣ ଗୋଡ଼ରେ ବାଜିଛି। ଗୁରୁତର ଅବସ୍ଥାରେ କାଳୁକୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଳିଆପଲୀ ଗାଁର କାଳୁ ବିଶ୍ୱାଳ ଏକ ହତ୍ୟା ମାମଲାରେ ୫ ବର୍ଷ ବ୍ରହ୍ମପୁର ଜେଲରେ ରହିକିଛି ମାସ ତଳେ ବାହରକୁ ଆସିଛି। ଜେଲରୁ ବାହାରିବା ପରେ କାଳୁ ଆସ୍କା ଅଞ୍ଚଳରେ ଦାଦା ବଟି ଆଦାୟ କରିବା ସହିତ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ହୋଇପଡ଼ିଥିଲା। ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଞ୍ଚଳରେ ଚଚ୍ଚିର୍ତ ବିଜେଡି ନେତା ସନ୍ୟାସୀ ବିଶୋଇ ହତ୍ୟା ମାମଲାରେ ମଧ୍ୟ କାଳୁ ମୁଖ୍ୟ ଅଭିଯୁକ୍ତ ଥିଲା। ତେଣୁ ଦୀର୍ଘ ଦିନ ହେଲା କାଳୁକୁ ପୁଲିସ ଖୋଜୁଥିଲା। ତେବେ ଆଜି ଭୋର ଭୋରରୁ କାଳୁ ବରଗାଁରୁ ମୋଟର ସାଇକେଲରେ ଆସୁଥିବା ଜାଣିବା ପରେ ପୁଲିସ ତାର ପିଛା କରିଥିଲା। ପୁଲିସକୁ ଦେଖି କାଳୁ ଆସ୍କା -ବାଲିପଦର ମୁଖ୍ୟ ରାସ୍ତାର ଚାରିମାଇଲ ଛକ ନିଟସ୍ଥ ଜଙ୍ଗଲିଆ ରାସ୍ତାରେ ପୁଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ଜବାବରେ ପୁଲିସ ଗୁଳି ଚଳାଇବାରୁ ଗୋଟିଏ ଗୁଳି କାଳୁର ଡାହାଣ ଗୋଡ଼ରେ ବାଜିଥିଲାଓ କାଳୁ ବାଇକ୍‌ରୁ ଖସି ପଡ଼ିଥିଲା। ପୁଲିସ କାଳୁକୁ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ତାଠାରୁ ଗୋଟିଏ ବାଇକ, ଗୋଟିଏ ମାଉଜର, ୩ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି।

ସମ୍ବନ୍ଧିତ ଖବର