ଏସ୍‌ସିବି ବ୍ଲାକ ଫଙ୍ଗସ୍‌ ୱାର୍ଡରେ ୫ ରୋଗୀ, ଅସ୍ତ୍ରୋପଚାର ପରେ ସୁସ୍ଥ ହେଲେଣି ୨୦ଜଣ

କଟକ: ଏସ୍‌ସିବି ବ୍ଲାକ ଫଙ୍ଗସ ୱାର୍ଡରେ ଏବେ ୫ଜଣ ରୋଗୀ ଅଛନ୍ତି। ଆଜି ଜଣେ ଯୁବକ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ସେ କରୋନା ସଂକ୍ରମିତ ଥିଲେ। ସୁସ୍ଥ ହେବା ପରେ ତାଙ୍କ ନିକଟରେ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖାଦେଇଥିଲା। ଚିକିତ୍ସିତ ହେଉଥିବା ୫ଜଣ ଯାକ ବ୍ଲାକ ଫଙ୍ଗସ୍‌ ରୋଗୀଙ୍କର କୌଣସି ସ୍ୱାସ୍ଥ୍ୟଗତ ଜଟିଳତା ନାହିଁ ବୋଲି ୱାର୍ଡର ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୨୦ଜଣ ବ୍ଲାକ ଫଙ୍ଗସ ରୋଗୀ କଟକ ବଡ଼ ଡାକ୍ତରଖାନାରୁ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, କରୋନା ସଂକ୍ରମଣ ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଥିଲା ବ୍ଲାକ ଫଙ୍ଗସ୍‌ ଭୟ। ଏପରିକି ବ୍ଲାକ ଫଙ୍ଗସ୍‌ ସଂକ୍ରମଣକୁ ରାଜ୍ୟ ସରକାର ମହାମାରୀ ଭାବେ ଘୋଷଣା କରିଥିଲେ। ତେବେ, ଏସ୍‌ସିବି ମେଡିକାଲରେ ବ୍ଲାକ ଫଙ୍ଗସ ଚିକିତ୍ସା ସଫଳତାର ସହ ଆଗେଇ ଚାଲିଛି। ଏସ୍‌ସିବି କର୍ଣ୍ଣ, ନାସା ଓ ଗଳା(ଇଏନଟି) ବିଭାଗର ଡାକ୍ତରମାନଙ୍କ ଦ୍ୱାରା ମୋଟ୍ ୨୦ଜଣଙ୍କର ଅସ୍ତ୍ରୋପଚାର କରାଯାଇଛି। ଗତ ଜୁନ ୧୭ ତାରିଖରେ ଏସ୍‌ସିବିରେ ପ୍ରଥମ ବ୍ଲାକ ଫଙ୍ଗସ୍‌ ଅସ୍ତ୍ରୋପଚାର କରାଯାଇଥିଲା।

ସମ୍ବନ୍ଧିତ ଖବର