ଛତ୍ରବଜାର ପୋଲ ପାଚେରି ଧସିବା ଘଟଣା, ଦୁର୍ଘଟଣା ପାଇଁ ବ୍ୟବସାୟୀଙ୍କ ମୁଣ୍ଡରେ ଅଠା!

ଠିକା ସଂସ୍ଥାକୁ ସୁରକ୍ଷା, ଏଯାଏ ହେଲାନି କାର୍ଯ୍ୟାନୁଷ୍ଠାନ, ଆର୍‌ଡିସିଙ୍କୁ ପ୍ରାଥମିକ ରିପୋର୍ଟ ଦେଲେ ଜିଲ୍ଲାପାଳ

କଟକ: ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି ବିନା କୌଣସି ସପୋର୍ଟିଂ ଓ୍ବାଲରେ ମାଟି ପତ୍ତନରୁ ପ୍ରାୟ ୪୦ ଫୁଟର ଗଭୀର ଗାତ ଖୋଳି ଖମଖିଆଲ ଢଙ୍ଗରେ ବକ୍ସ କଲଭର୍ଟ ନିର୍ମାଣ କରିବାରୁ ତୁଠ ଘର ସହିତ ପାଚେରୀ ଭୁଶୁଡ଼ି ଦୁଇ ଶ୍ରମିକଙ୍କ ଜୀବନ ଗଲା। ଏଭଳି ଦୁର୍ଭାଗ୍ୟଜନକ ଘଟଣାରେ ଦାୟିତ୍ୱହୀନ କାମ ପାଇଁ ଶିବଜ୍ୟୋତି କମ୍ପାନି ମାଲିକ ଅଭୟ କୁମାର ସାହୁଙ୍କୁ ଏବେ କିଏ ସୁରକ୍ଷା ଦେଉଛି? ନିର୍ମାଣ ଦାୟିତ୍ବ ନେଇଥିବା ସଂସ୍ଥା ବିରୋଧରେ କାହିଁକି ଥାନାରେ ଏତଲା ହେବ ବୋଲି ଏବେ ଓଲଟା ପ୍ରଶାସନ ପକ୍ଷରୁ ପ୍ରଶ୍ନ କରାଯାଉଛି। ବ୍ୟବସାୟୀମାନେ ଛତ୍ରବଜାର ପୋଲ ଉପରେ ୧୪ ଚକିଆ ଗାଡ଼ି ନେବାରୁ ଭାଇବ୍ରେସନ୍ ହୋଇ ଦୁର୍ଘଟଣା ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। କିନ୍ତୁ ଗାଡ଼ି ଚଳାଚଳ ବନ୍ଦ ଦିଗରେ ପୁଲିସ, ପ୍ରଶାସନ କୌଣସି ପଦକ୍ଷେପ ନେଇଥିଲେ କି, ଏ ପ୍ରଶ୍ନ ଏବେ ସାଧାରଣରେ ବିତର୍କର ପ୍ରସଙ୍ଗ ହୋଇଛି। ସୂଚନା ଅନୁଯାୟୀ, ୨୦୧୭ ଏପ୍ରିଲ ୨୭ରେ ମଧୁସୁଦନ ସେତୁ ଉପରୁ କଂକ୍ରିଟ ଢଳେଇ ଖସି ୫ ଶ୍ରମିକ ଆହତ ହେବାରୁ ତତ୍କାଳୀନ ଆରଆଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା। ୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ବର ବମିଖାଲରେ ଫ୍ଲାଏ ଓଭର ଭୁଶୁଡ଼ି ଜଣକର ମୃତ୍ୟ ଘଟଣାରେ ନିର୍ମାଣ ଦାୟିତ୍ବରେ ଥିବା ସଂସ୍ଥା ମାଲିକ ସମେତ ୪ ଜଣଙ୍କୁ ଗିରଫ କରାଗଲା। ଅଥଚ ଛତ୍ରବଜାର ମାମଲାରେ କମ୍ପାନିର ଖାମଖିଆଲ କାମକୁ ଦୁର୍ଘଟଣା କହି କଟକ ଜିଲ୍ଲାପାଳ ଛାଡି ଦେଉଛନ୍ତି କେମିତି? ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି ଗଲା ୬ ଦିନ ହେବ ସେହି ସ୍ଥାନକୁ ଖୋଳି ଆସୁଥିବା ବେଳେ ଆରଆଣ୍ଡବିର ଯନ୍ତ୍ରୀ ସେ ସ୍ଥାନ ପରିଦର୍ଶନ କରିଥିଲେ ନା ନାହିଁ? ମାଟି ପତ୍ତନରେ ଏକ ତୁଠ ଘର ଥିବା ବେଳେ ତଳକୁ ୪୦ ଫୁଟ ଗଭୀର ଖୋଳାଯାଇଥିବାରୁ ମୂଳ ଦୂର୍ବଳ ଯୋଗୁଁ କୌଣସି ସମୟରେ ଘର ଭୁଶୁଡ଼ିବାର ଆଶଙ୍କା ଥିଲା।

ଏହା ସାଧାରଣ କଥା। ଏଥିପ୍ରତି ଆରଆଣ୍ଡବି ଆଗୁଆ ସତର୍କ ହେଲା ନାହିଁ କାହିଁକି? ଗାର୍ଡ ଓାଲ୍ ବା କଟ୍ ଅଫ୍ ଓାଲ୍ ପାଇଁ ସେଣ୍ଟ୍ରିଂ ପଟା ବାଡ଼ାଇବା ପୂର୍ବରୁ ସେହି ସ୍ଥାନରେ ସପୋର୍ଟିଂ ଓ୍ବାଲ୍ କାହିଁକି ଦିଆଯାଇନଥିଲା? ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ନଦେଇ ଶିବଜ୍ୟୋତି କମ୍ପାନିର ପୁରା ଖାମଖିଆଲ ଭାବେ କାମ କରିଥିବାରୁ ତାକୁ ଉତ୍ତରଦାୟୀ ଦର୍ଶାଇ ଗିରଫ କରିବାରେ ଅସୁବିଧା କେଉଁଠି ରହିଛି?
ଶିବଜ୍ୟୋତି କମ୍ପାନି ବିରୋଧରେ ବାଦାମବାଡ଼ି ଥାନାରେ ଜିଲ୍ଲାପାଳ କିମ୍ବା ଆରଆଣ୍ଡବି ପକ୍ଷରୁ ଏତଲା ଦେଇ ଗିରଫ କରାଇବା ବଦଳରେ ସଂସ୍ଥାକୁ ସୁରକ୍ଷା ଦେଇ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରିବା ଘଟଣା ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ମାଲଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ ଛାଟୋଇ କହିଛନ୍ତି ଯେ ନୂଆ ପୋଲ ନିର୍ମାଣ ପୂର୍ବରୁ ଛତ୍ରବଜାର ଓ ମାଲଗୋଦାମ ବ୍ୟବସାୟୀ ସଂଘ ସହିତ ଜିଲ୍ଲା ପ୍ରଶାସନ ଆଲୋଚନା କରି ଛତ୍ରବଜାର ପୁରୁଣା ପୋଲ ଉପରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାର ଥିଲା। ଜିଲ୍ଲା ପ୍ରଶାସନ ବ୍ୟବସାୟୀଙ୍କୁ ଏବେ ଦୋଷ ଦେବା ଯଥାର୍ଥ ମନେ ହେଉନାହିଁ। ସେହିଭଳି ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ରନାଥ ସାହୁ କହିଛନ୍ତି ଯେ ଛତ୍ରବଜାର ପୋଲ ବହୁତ ମଜବୁତ। ପୋଲ ଉପରେ ଗାଡ଼ି ଚଳାଚଳ ଯୋଗୁଁ ପାଚେରି ଭୁଶୁଡ଼ିବାର କୌଣସି ସମ୍ପର୍କ ନାହିଁ। ଜିଲ୍ଲାପାଳ ଠିକ୍ ଭାବରେ ଜାଣିନାହାନ୍ତି। ପାଚେରି ମୂଳ ତଡ଼ା ଯାଇଥିବାରୁ ଏହା ଭୁଶୁଡ଼ି ଏଭଳି ଅଘଟଣ ଘଟିଥିବା ଶ୍ରୀ ସାହୁ କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ୭୨ ଘଣ୍ଟା ପରେ ବି ଆରଆଣ୍ଡବି ପକ୍ଷରୁ କୌଣସି ଟେକନିକାଲ୍ ରିପୋର୍ଟ ଦିଆଯାଇ ନଥିବା ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି। ଅନ୍ୟପଟେ ଜିଲ୍ଲାପାଳ ଆରଡିସିଙ୍କୁ ଏକ ପ୍ରାଥମିକ ରିପୋର୍ଟ ଦେଇଛନ୍ତି। କେନ୍ଦ୍ରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି ଯେ ଅଘଟଣ ସମ୍ପର୍କରେ ଜିଲ୍ଲାପାଳ ରିପୋର୍ଟରେ ଦର୍ଶାଇଛନ୍ତି। କେଉଁ କାରଣ ପାଇଁ ଏଭଳି ଘଟିଲା, ସେ ନେଇ ଉଲ୍ଲେଖ ନାହିଁ। ରିପୋର୍ଟ ମିଳି ଥିବାରୁ ଆରଡିସି ତଦନ୍ତ ତୁରନ୍ତ ଆରମ୍ଭ ହେବ ବୋଲି ଡକ୍ଟର ଦଳାଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର