୬ କୋଟିର ରିଚାର୍ଜ ଠକେଇ: କ୍ରାଇମବ୍ରାଞ୍ଚ କରିବ ତଦନ୍ତ!

ଥାନାରେ ୪ ଜଣଙ୍କ ବିରୋଧରେ ମାମଲା; ପୁଲିସ ରେକର୍ଡରେ ମାଲିକ ଫେରାର‌୍‌

କଟକ: ମୋବାଇଲ୍‌ ଓ ଡିଟିଏଚ୍‌ ରିଚାର୍ଜ ନାଁରେ ପ୍ରାୟ ୬ କୋଟି ଟଙ୍କା ଠକେଇ ଘଟଣାରେ ସଦର ଥାନା ପୁଲିସ ଶେଷରେ ଠକ ସ˚ସ୍ଥା ବିରୋଧରେ ଠକେଇ ମାମଲା ରୁଜୁ କରିଛି। ବୟାଳିଶମୌଜାର ସ˚ସ୍ଥାର ମାଲିକ ବିପ୍ର ଚରଣ ସ୍ବାଇଁ ସମେତ ୪ ଜଣ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଶେଷ ଥର ପାଇଁ ବୟାଳିଶମୌଜାରେ ଗଲା ୩ ତାରିଖରେ ଏମାନଙ୍କ ଫୋନ୍‌ ବ୍ୟବହାର ହୋଇଥିଲା। ସେବେଠାରୁ ସମସ୍ତଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ପୁଲିସ ରେକର୍ଡରେ ସହର ଛାଡ଼ି ଏମାନେ ଫେରାର ହୋଇଯାଇଛନ୍ତି। ଯେହେତୁ ରାଜ୍ୟରେ ପ୍ରାୟ ୨ ଲକ୍ଷରୁ ଅଧିକ ଗ୍ରାହକ ଠକେଇର ଶିକାର ହୋଇଛନ୍ତି, ଏହି ମାମଲା କ୍ରାଇମବ୍ରାଞ୍ଚ ହାତକୁ ନେବାର ସମ୍ଭାବନା ରହିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ବୟାଳିଶମୌଜା ଅଞ୍ଚଳର ଏକ ଘରୋଇ ସ˚ସ୍ଥା ମୋବାଇଲ୍‌ ଓ ଡିଟିଏଚ୍‌ ରିଚାର୍ଚ୍ଚ ପାଇଁ ରାଜ୍ୟରେ ପ୍ରାୟ ୨୦୦ରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଥିଲା। ଏମାନେ ସ˚ସ୍ଥା ପାଇଁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ସ˚ସ୍ଥାର ଚୁକ୍ତି ମୁତାବକ ରିଚାର୍ଜ ପ୍ୟାକେଜ୍‌ରେ ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ସେବା ଯୋଗାଇବାର ସର୍ତ୍ତ ରଖାଯାଇଥିବା ବେଳେ ୪ ମାସ ଭିତରେ ସେବା ବନ୍ଦ ହେବାରୁ ବଡ଼ ଧରଣର କେଳେଙ୍କାରୀ ସାମନାକୁ ଆସିଥିଲା। ଡିସିପିଙ୍କ କାର୍ଯ୍ୟାଳୟରେ ଗଲା ୪ ତାରିଖରେ ଠକେଇ ସ˚କ୍ରାନ୍ତରେ ଅଭିଯୋଗ ହୋଇଥିଲା। ସ˚ସ୍ଥା ମାଲିକ ଗଣମାଧ୍ୟମ କିମ୍ବା ପୁଲିସ ସାମନାକୁ ନଆସି ଗିରଫ ଭୟରେ ଏକ ଭିଡଓ ଗଲା ୬ ତାରିଖରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଥିଲେ। ତାଙ୍କୁ ଏଜେଣ୍ଟମାନେ ଫସାଇ ଦେଇଥିବା ଓଲଟି ଭିଡିଓ ମାଧ୍ୟମରେ ଅଭିଯୋଗ ଆଣିଥିଲେ। ଏଜେଣ୍ଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରୁଥିବା କହି ନିଜେ ଫେରାର ହୋଇଯାଇଛନ୍ତି। ଅନ୍ୟପଟେ ଡିସିପିଙ୍କ ଅଫିସରେ ସ˚ସ୍ଥାର ଏଜେଣ୍ଟଙ୍କ ଅଭିଯୋଗ ଆଧାରରେ ସଦର ଥାନା ପୁଲିସ ସ˚ସ୍ଥା ମାଲିକ ବିପ୍ରଙ୍କ ସମେତ ୩ ଜଣଙ୍କ ବିରୋଧରେ ଆଇପିସି ଦଫା ୪୧୯, ୪୨୦, ୪୬୫, ୩୪ ଏବ˚ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬(ସି), ୬୬(ଡି)ରେ ମାମଲା ରୁଜୁ କରିଥିବା ଏବେ ସେମାନେ ଫେରାର ଥିବା ଥାନା ଆଇଆଇସି ସୁଧା˚ଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ବିପ୍ରଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ଉ ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର