ଭିଜିଲାନ୍ସ ଅଦାଲତରେ ପୂର୍ବତନ ବ୍ୟାଙ୍କ ପରିଚାଳକ ଦୋଷୀ ସାବ୍ୟସ୍ତ, ଦୁଇ ବର୍ଷ ଜେଲ

କଟକ : ଲାଞ୍ଚ ଗ୍ରହଣ ଅଭିଯୋଗକୁ ନେଇ ରୁଜୁ ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କଟକ ଗ୍ରାମ୍ୟ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୧)(ଡି) ଓ ଧାରା ୭ରେ ରେ ୨ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଜରିମାନା ଅର୍ଥ ନ ଦେଲେ ତାଙ୍କୁ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଥାନା ଅନ୍ତର୍ଗତ ମୁଣ୍ଡିଲୋ ଗ୍ରାମର ଯୁଧିଷ୍ଠିର ସେଠୀଙ୍କୁ ୨୦ ହଜାର ଟଙ୍କା ଋଣ ରାଶି ପ୍ରଦାନ ପାଇଁ କଟକ ଗ୍ରାମ୍ୟ ବ୍ୟାଙ୍କର ପଞ୍ଚୁପାଣ୍ଡବ ଶାଖାର ତତ୍କାଳୀନ ଶାଖା ପରିଚାଳକ ଶ୍ରୀ ମହାପାତ୍ର ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ଶ୍ରୀ ସେଠୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ୨୦୦୨, ମାର୍ଚ୍ଚ ୨୭ରେ ଶ୍ରୀ ମହାପାତ୍ର ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। କଟକ ଭିଜିଲାନ୍ସ ଡିଭିଜନର ତତ୍କାଳୀନ ଇନ୍ସପେକ୍ଟର ପ୍ରଦୀପ୍ତ କୁମାର ରାଉତରାୟ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବା ପରେ ଅଦାଲତରେ ମାମଲାର ଶୁଣାଣି ହୋଇଥିଲା।

ସମ୍ବନ୍ଧିତ ଖବର