ସତୀଚୌରାରେ ଶବଦାହ ପାଇଁ ଟେଣ୍ଡର୍; ବଢୁଛି ବିବାଦ; ସିସି କ୍ୟାମେରା, ପୁଲିସ ମୁତୟନ ଦାବି

ଲୋକଙ୍କ ପାଇଁ ନାହିଁ ପାଣି କି ଆନୁସଙ୍ଗିକ ବ୍ୟବସ୍ଥା

କଟକ: କରୋନାରେ ମୃତକଙ୍କ ଶବଦାହ ପାଇଁ ଡକାଯାଇଛି ଟେଣ୍ଡର। ଏବେ ଏଭଳି ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଆଗକୁ ବିବାଦ ଆଉ ଆଇନଶୃଙ୍ଖଳା ପରିସ୍ଥିତି ଡାକି ଆଣିବାର ଆଶଙ୍କା ସୃଷ୍ଟି କରିଛି। କଟକର ସତୀଚୌରା ଶ୍ମଶାନରେ କୋଭିଡ୍ ଆକ୍ରାନ୍ତ ଓ କୋଭିଡ ସନ୍ଦେହରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବଦାହ କରାଯାଉଛି। ପ୍ରଥମ ଲହରରୁ ଏପର୍ଯ୍ୟନ୍ତ ସାବିତ୍ରୀ ଜନସେବା ସଂସ୍ଥା ଶବଦାହ ଦାୟିତ୍ବ ତୁଲାଇ ଆସୁଥିବା ବେଳେ ଏବେ ଏଥିପାଇଁ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଟେଣ୍ଡର ଡାକିଛନ୍ତି। ଯେଉଁ ସମୟରେ କରୋନା ମୃତକଙ୍କ ଶବକୁ କେହି ଛୁଉଁ ନଥିଲେ, ପରିବାର ଲୋକ ପାଖ ମାଡୁ ନଥିଲେ, ସେ ସମୟରେ ଏହି ସ୍ବେଚ୍ଛାସେବୀ ସଂସ୍ଥାର କର୍ମୀ ଶବଦାହ ପାଇଁ ଆଗେଇ ଆସିଥିଲେ। କିନ୍ତୁ ଏବେ ଏଥିପାଇଁ ଟେଣ୍ଡର ହେବା ଏବଂ ଏଥିରେ ୩ଟି ସଂସ୍ଥା ଭାଗ ନେବା ଘଟଣା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି। ଟେଣ୍ଡର ହେଲେ ଶବଦାହ ସୁବ୍ୟବସ୍ଥିତ ହେବ ନା ବ୍ୟବସାୟୀକ ପ୍ରକ୍ରିୟାରେ ବ୍ୟବସ୍ଥା ବିଗିଡ଼ିବ, ତାହାକୁ ନେଇ ଏବେ ଆଶଙ୍କା ପ୍ରକାଶ ପାଇଲାଣି।

କରୋନାର ଦ୍ବିତୀୟ ଲହରରେ ଏବେ ଦିନକୁ ହାରାହାରି ଭାବେ ୪୦ରୁ ଅଧିକ ଶବ ସତ୍କାର ହେଉଛି ସତୀଚୌରା ଶ୍ମଶାନରେ। ମେ’ ୧୮ ତାରିଖରେ ତ ଏହି ସଂଖ୍ୟା ୫୭ ଛୁଇଁଥିଲା। କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଗୋଟିଏ ମୃତଦେହ ସତ୍କାର ପାଇଁ ସଂସ୍ଥାକୁ ୪ ହଜାର ୮ଶହ ଟଙ୍କା ଦେଉଛନ୍ତି। ଏଥିରେ ସମସ୍ତ ଖର୍ଚ୍ଚ ଅନ୍ତର୍ଭୁକ୍ତ। କରୋନା ମୃତକଙ୍କ ସଂପର୍କୀୟ ସତ୍କାର ପାଇଁ ଗୋଟିଏ ବି ଟଙ୍କା ଖର୍ଚ୍ଚ କରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସିଏମସି ପ୍ରତ୍ୟେକ ଶବଦାହ ପାଇଁ ୪ ହଜାର ୮ଶହ ଟଙ୍କା ଦେବା ପରଠାରୁ ବିଭିନ୍ନ କାରଣରୁ ବିବାଦ ମୁଣ୍ଡ ଟେକି ଥିବା ବେଳେ ଏଥିରେ ସାମିଲ ହେବାକୁ ଅନେକ ଦାବିଦାର ବି ସାମନାକୁ ଆସିଥିଲେ। ଏଭଳି ସ୍ଥିତିରେ ସିଏମସି ଶବଦାହ ପାଇଁ ଟେଣ୍ଡର ଡାକି ଥିବା ବେଳେ ଏଥିରେ ୩ଟି ସଂସ୍ଥା ଭାଗ ନେଇଥିବା ଜଣା ପଡିଛି। ୩ଟି ସଂସ୍ଥା ମଧ୍ୟରେ ବର୍ତ୍ତମାନ ଶବଦାହ କରୁଥିବା ସାବିତ୍ର ‌ଜନସେବା ସଂସ୍ଥା ବି ରହିଛି। କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ୩ ହଜାର ୫ଶହରୁ କମ୍ ଟଙ୍କାରେ ଶବଦାହ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି। ଅର୍ଥାତ ବର୍ତ୍ତମାନ ଦରଠାରୁ ୧୩ଶହ ଟଙ୍କା କମ୍ ଦରରେ ଶବଦାହ ହେବ। ଯେଉଁ ଆଧାରରେ ସିଏମସି ପ୍ରତି ଶବଦାହ ପାଇଁ ୪ ହଜାର ୮ଶହ ଟଙ୍କା ଧାର୍ଯ୍ୟ କରିଥିଲା, ତାହା ୧୩ଶହ ଟଙ୍କା କମରେ କିଭଳି ସମ୍ଭବ ହେବ ବୋଲି ଏବେ ପ୍ରଶ୍ନ ଉଠୁଛି।

ଅନ୍ୟପଟେ ଏହି ଶବଦାହ ସ୍ଥାନର ପାଖ ମାଡିବାକୁ ପୂର୍ବରୁ କେହି ପସନ୍ଦ କରୁ ନଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଏଥିପାଇଁ ପ୍ରତିଦ୍ବନ୍ଦ୍ବିତା ବିବାଦକୁ ବାଟ କଢାଇଛି। ସତୀଚୌରା ଶ୍ମଶାନ ନିକଟରେ ଏହାକୁ ନେଇ ଏକାଧିକ ଥର ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଲାଣି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଶ୍ମଶାନ ନିକଟରେ ଲୋକ ସଂଖ୍ୟା ବି ବଢୁଛି। କିନ୍ତୁ ସେଠି କୌଣସି ପ୍ରତୀକ୍ଷାଳୟ ନାହିଁ। ଲୋକଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ନାହିଁ। ସତୀଚୌରା ଶ୍ମଶାନ ନିକଟ ବର୍ତ୍ତମାନ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ସେଠାରେ ସିସି କ୍ୟାମେରା ନ ରହିବା ବି ଆଉ ଏକ ଉଦବେଗର କାରଣ ହୋଇଛି। କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏବଂ ପୁଲିସ ଏସବୁ ଦିଗ ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ଥିବା ବେଳେ ଶବଦାହ ପାଇଁ ଟେଣ୍ଡର ନିଷ୍ପତ୍ତି ଆଗକୁ ପ୍ରକ୍ରିୟାକୁ ସହଜ ସରଳ କରିବ ନା ଲୋକଙ୍କ ସମସ୍ୟା ଆଉ ଆଇନଶୃଙ୍ଖଳା ପରିସ୍ଥିତିକୁ ଡାକି ଆଣିବ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଲାଣି। ମୃତକଙ୍କ ସଂପର୍କୀୟଙ୍କ ପାଇଁ ତୁରନ୍ତ ସେଠାରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ଏବଂ ସତୀଚୌରା ଶ୍ମଶାନ ନିକଟରେ ସିସି କ୍ୟାମେରା ବ୍ୟବସ୍ଥା ସହିତ ପୁଲିସ ମୁତୟନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର