ଗ୍ୟାଙ୍ଗଷ୍ଟର୍‌ ଭାରତ ସ୍ୱାଇଁ କଟକରୁ ତଡ଼ିପାର

କଟକ-ମହାନଦୀବିହାର: ଚାଉଳିଆଗଞ୍ଜ ଥାନା ଗଣ୍ଡରପୁର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ଭାରତ ଭୂଷଣ ସ୍ୱାଇଁକୁ ଆଜି କଟକ କମିସନରେଟ ପୁଲିସ କଟକରୁ ତଡ଼ିପାର ନିର୍ଦେଶ ଜାରି କରିଛି। ଆଗାମୀ ଦିନରେ ସେ କଟକର କୌଣସି ସ୍ଥାନରେ ଦେଖାଗଲେ ତୁରନ୍ତ ଗିରଫ କରାଯାଇ ଜେଲ୍‌ ପଠାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଭାରତ ସ୍ୱାଇଁ ପ୍ରଥମେ ୧୯୮୩ ମସିହାରେ ଅପରାଧ ଜଗତରେ ପାଦ ଦେଇଥିଲା। ସେ ସମୟରେ ତା’ ନାମରେ ପ୍ରଥମ ଅଭିଯୋଗ ଆସିଥିଲା ବେଆଇନ ଅସ୍ତ୍ରଶସ୍ତ୍ର କାରବାରକୁ ନେଇ।

ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ଗିରଫ କରିଥିବାବେଳେ ୧୯୮୬ ମସିହାରେ ଏକ ସାମ୍ପ୍ରଦାୟିକ ଦଙ୍ଗାରେ ସାମିଲ ହୋଇ ସେ ସ୍ଥାନୀୟ ଅଞ୍ଚଳରେ ନିଜର କ୍ରାଇମ୍‌ ପରିଚୟ ତିଆରି କରିଥିଲା। ୧୯୯୭ରେ ଏକ ଡକାୟତି ଘଟଣାରେ ପୁଲିସ ତାକୁ ଗିରଫ କରିବା ସହ ତା’ ନିକଟରୁ ୨ଟି ବନ୍ଧୁକ ଜବତ କରିଥିଲା। ସେହିପରି ୨୦୧୬ ମସିହାରେ ବହୁଚର୍ଚ୍ଚିତ ଧଳସାମନ୍ତ ଭ୍ରାତାଙ୍କ ସହ ମିଶି ସେ ଗଣ୍ଡରପୁର ଡ୍ରେନେଜ୍‌ ଅଫିସ୍‌ରେ ଟେଣ୍ଡର୍‌ ଫିକ୍ସିଂ କରିବା ସହ ବାଲିଘାଟ ମାଲିକଙ୍କଠାରୁ ମୋଟା ଅଙ୍କର ବଟି ଆଦାୟ କରିଥିଲା। ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ ଏତଲା ହେବା ପରେ ଭାରତକୁ ଦାଦାବଟି, ଟେଣ୍ଡର୍‌ ଫିକ୍ସିଂ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଗିରଫ କରାଯାଇଥିଲା।

ଜେଲ୍‌ରୁ ବାହାରିବା ପରେ ଭାରତ ତାର ସହଯୋଗୀମାନଙ୍କୁ ନେଇ ପୁଣି ସ୍ଥାନୀୟ ଅଞ୍ଚଳରେ ଦାଦାବଟି ମାଗିବା ସହ ନୂଆକରି ଘର କରୁଥିବା ଲୋକଙ୍କୁ ଧମକ ଦେଇ ପ୍ରତି ମାସରେ ପଚାଶ ହଜ଼ାର ଟଙ୍କା ଦାଦାବଟି ଆଦାୟ କରୁଥିଲା। ଭାରତକୁ ୨୦୧୯ ମସିହାରେ ୧୧୦ ଦଫାରେ ଗିରଫ କରାଯାଇଥିଲା। ଭାରତକୁ ତଡ଼ିପାର ନିର୍ଦେଶ ଜାରି ହେବା ପରେ ତା’ ଗତିବିଧି ସମ୍ପର୍କରେ ସମ୍ପୂର୍ଣ ସୂଚନା ରଖାଯାଇଛି। ତା’ ଘର ଓ କଟକ ସହରରେ ଥିବା କିଛି ସହଯୋଗୀଙ୍କ ଘର ଉପରେ ସାଦାପୋଷାକଧାରୀ ପୁଲିସ ନଜ଼ର ରଖିଛନ୍ତି। ତଡ଼ିପାର ନିୟମକୁ ଉଲ୍ଲଂଘନ କଲେ ଅଥବା ଭାରତକୁ କଟକରେ ଦେଖିଲା ମାତ୍ରେ ତୁରନ୍ତ ଗିରଫ କରାଯିବ ବୋଲି ଚାଉଳିଆଗଞ୍ଜ ଆଇଆଇସି ତାପସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର