କଟକ କିଶୋର ଲେଖକ ଶୁଭ୍ରାଂଶୁଙ୍କ କରିସ୍ମା; ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ଲେଖକ ମାନ୍ୟତା

ଆମେରିକାର ଲେଖିକାଙ୍କ ସହ ମିଶି ଲେଖୁଛନ୍ତି ରହସ୍ୟ ରୋମାଞ୍ଚଭରା ଉପନ୍ୟାସ

କଟକ: ବୟସ ମାତ୍ର ୧୭। କିନ୍ତୁ ଏହି ବୟସରେ ସେ ଆନ୍ତର୍ଜାତୀୟ ଫିକସନ ଲେଖକ ମାନ୍ୟତା ପାଇଲେଣି। କଟକର ୧୭ ବର୍ଷର ବାଳକ ଶୁଭ୍ରାଂଶୁ ଦାସଙ୍କର ଏହି କୀର୍ତ୍ତି ଏବେ ଅନେକଙ୍କୁ ଚକିତ କରିଥିବା ବେଳେ ସେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଶୁଭ୍ରାଂଶୁ ଆମାଜନ୍‌ ପାଇଁ ଆମେରିକାନ୍‌ ଲେଖକଙ୍କ ସହ ଭିନ୍ନ ଭିନ୍ନ ପ୍ରକାରର ବହି ଲେଖୁଛନ୍ତି। ପିଲା ଦିନରୁ ଗପ ଓ କବିତା ଲେଖୁଥିବା ଶୁଭ୍ରାଂଶୁଙ୍କ ଲେଖା ହ୍ବାଟ୍‌ସଆପର ଏକ ଗ୍ରୁପରେ ଦେଖି ବେଶ ଆକ‌ର୍ଷିତ ହୋଇଥିଲେ ଆମେରିକାନ୍‌ ଲେଖିକା ପାମ୍‌ ରସ। ସେ ତାଙ୍କ ସହ ଯୋଗାଯୋଗ କରି ଏହି ସୁଯୋଗ ଦେବା ପରେ ଶୁଭ୍ରାଂଶୁଙ୍କ ଜୀବନରେ ଆସିଛି ଏବେ ବଡ ଧରଣର ପରିବର୍ତ୍ତନ।

Sambad

କଟକ ରାଜାବଗିଚା ଠାରେ ବାସ କରୁଥିବା ସୂର୍ଯ୍ୟନାରାୟଣ ଦାସ ଓ ରିନା ଦାସଙ୍କ ପୁଅ ଶୁଭ୍ରାଂଶୁ ଡିପିଏସ୍‌ କଳିଙ୍ଗର ଦ୍ବାଦଶ ଶ୍ରେଣୀର ଛାତ୍ର। ସେ ଏବେ ଡ଼୍ରାମା, ମିଷ୍ଟ୍ରି ଓ ଫିକ୍‌ସନ ଉପରେ ଆଧାରିତ ବହି ‘ଦି ବ୍ଲୁ ବଟରଫ୍ଲାଏ ଡ଼ାଇମଣ୍ତ’, ବ୍ୟାକ୍‌ ଟୁ ୱେଷ୍ଟ ଆଫ୍ରିକା ଭଳି ବହି ଆମେରିକାନ୍‌ ‌େଲଖିକା ପାମ୍‌ ରସଙ୍କ ସହ ମିଶି ‌େଲଖୁଛନ୍ତି। ତାଙ୍କର ଏହି ବହିର ପ୍ରଥମ ଭାଗକୁ ଆମାଜନ୍‌ ପବ୍ଲିସ୍‌ କରିଥିବାବେଳେ ଦ୍ବିତୀୟ ଭାଗର ଲେଖା ଜାରି ରହିଛି। ଶୁଭ୍ରାଂଶୁ କହିବା ଅନୁଯାୟୀ ୫ ବର୍ଷ ବୟସରୁ ବହି ପଢ଼ିବା ପ୍ରତି ତାଙ୍କର ଆଗ୍ରହ ବଢିଥିଲା ଏବଂ ଏହା ତାଙ୍କର ନିଶା ପାଲଟି ଯାଇଥିଲା। ପିଲାବେଳୁ ବାପାମା’ଙ୍କ ଠାରୁ ଗପ ଶୁଣୁଥିଲେ।

ପରେପରେ ପଢିବାର ଆଗ୍ରହ ସହିତ ଲେଖିବା ପ୍ରତି ଆଗ୍ରହ ବଢିଲା। ଭଳି କି ଭଳି ଗପ ଓ କବିତା ଲେଖି ତାହାକୁ ସୋସିଆଲ ମିଡ଼ିଆରେ ସେୟାର କରିବା ଆରମ୍ଭ କରିଥିଲେ। ହ୍ବାଟ୍‌ସଆପ୍‌ର ଏକ ଗ୍ରୁପରେ ତାଙ୍କର ‌ଏକ ଗପ ସେୟାର କରିଥିଲେ। ଆମେରିକାନ୍‌ ଲେଖିକା ପାମ୍‌ ରସ ସେହି ଗପ ପଢ଼ି ତାଙ୍କ ସହ ଯୋଗାଯୋଗ କରିଥିଲେ। ଏବଂ ତାଙ୍କ ସହ ମିଶି ଗପ ଲେଖିବାକୁ ପରାମର୍ଶ ଦେଇଥିଲେ। ଦେଶରେ ପ୍ରଥମ ବ୍ୟକ୍ତି ଭାବେ ଆମାଜନ୍‌ ପାଇଁ ଲେଖିବାର ସୁଯୋଗ ପାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଶୁଭ୍ରାଂଶୁ କହିଛନ୍ତି। ଆଗକୁ ପାଠ ପଢ଼ା ଜାରି ରଖିବା ସହ ଅଧିକରୁ ଅଧିକ ଗପ ଲେଖିବେ। ଆଗକୁ ଇଂରାଜୀ ସାହିତ୍ୟରେ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶୁଭ୍ରାଂଶୁ କୁହନ୍ତି।

ସମ୍ବନ୍ଧିତ ଖବର