ମହାନଦୀ, କାଠଯୋଡ଼ିରେ ମିଶୁଛି ସହରର ନର୍ଦ୍ଦମା ପାଣି, ସି’ ଗ୍ରେଡ୍‌ରେ କାଠଯୋଡ଼ି ଜଳ

ପିଇବା ଦୂର, ଶୌଚ ଉପଯୋଗୀ ବି ନୁହେଁ!

କଟକ: କଟକ ସହର ଲୋକ ଦୀର୍ଘଦିନ ପରେ ନଦୀ ପାଣି ପିଉଛନ୍ତି। ସିଡିଏ ସେକ୍ଟର୍‌-୧୩ରେ ଜଳ ବିଶୋଧନାଗାର ପ୍ରତିଷ୍ଠା କରାଯାଇ ସହରବାସୀଙ୍କୁ ନଦୀଜଳ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାନଦୀ ଓ କାଠଯୋଡ଼ି ନଦୀ କିନ୍ତୁ ପ୍ରଦୂଷଣରେ ବୁଡ଼ିଛି। ଦୁଇ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଏଯାଏ କୌଣସି ମାଷ୍ଟର୍‌ପ୍ଲାନ୍ ପ୍ରସ୍ତୁତ କରାଯାଉ ନଥିବା ବେଳେ ବର୍ଜ୍ୟଜଳ ନଦୀ ଭିତରକୁ ଛଡ଼ାଯାଉଛି। ଲୋକଙ୍କୁ ଏବେ ସେଇ ପାଣି ପିଇବାକୁ ଦିଆଯାଉଛି। ପ୍ରଦୂଷଣ ଯୋଗୁଁ କାଠ‌ଯୋଡ଼ି ଜଳର ମାନକୁ ନେଇ ଚିନ୍ତାପ୍ରକଟ କରାଯାଉଛି। ଏହି ନଦୀରେ ଜଳର ମାନ ସି’ ଗ୍ରେଡ୍‌ରେ ରହିଛି, ଯାହା ଶୌଚ ପାଇଁ ମଧ୍ୟ ଉପଯୋଗୀ ନୁହେଁ ବୋଲି କୁହାଯାଉଛି। ସେପଟେ ସିଡିଏ ଓ ମତ୍ତଗଜପୁରରେ ରହିଥିବା ଟ୍ରିଟମେଣ୍ଟ୍ ପ୍ଲ‌ାଣ୍ଟ୍ ନାମକୁମାତ୍ର ରହିଛି। ଦୁଇଗୋଟି ଟ୍ରିଟମେଣ୍ଟ୍ ପ୍ଲାଣ୍ଟ ଥାଇ ବି କଟକ ସହରର ନର୍ଦ୍ଦମ‌ା ଜଳ ସିଧାସଳଖ କାଠଯୋଡ଼ି ନଦୀକୁ ଛଡ଼ାଯାଉଛି। ସିଡିଏ ଅଞ୍ଚଳର ଆବର୍ଜନା ଜଳ ସିଡିଏ ଟ୍ରିଟମେଣ୍ଟ୍ ମଧ୍ୟ ଦେଇ ନଯାଇ ସିଧାସଳଖ କାଠଯୋଡ଼ି ନଦୀରେ ମିଶୁଛି। ଯାହାଫ‌ଳରେ କ‌ାଠଯୋଡ଼ି ନଦୀ ସଂପୂର୍ଣ୍ଣ ପ୍ରଦୂଷିତ ହୋଇଛି। ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନ‌ାଲ୍‌ ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ତାଗିଦ୍‌ ସତ୍ତ୍ବେ କଟକ ମହାନଗର ନିଗମ ଏଥିରେ ସୁଧାର ଆଣିପାରୁନାହିଁ। ଖାନ୍‌ନଗର ନିକଟରେ ଏବେ ବି ସହରର ନର୍ଦ୍ଦମ‌‌ାଜଳ କାଠ‌ଯୋଡ଼ିରେ ମିଶୁଛି, ଯାହା ସହର ପାଇଁ ଚିନ୍ତା ବଢ଼ାଇଛି।

କଟକ ସହରର ୪୨ ମୌଜା, ଉରାଳି ଓ ଏହାର ଆଖପାଖ ଅଞ୍ଚଳ ଲୋକଙ୍କ ପାଇଁ କାଠଯୋଡ଼ି ଅଭିଶାପ ପାଲଟିଛି।
ବେଲ୍‌ ଭ୍ୟୁ ଛକ ନିକଟରେ ମଧ୍ୟ ପେଟାନାଳ ଦେଇ ସହରର ଆବର୍ଜନା ଜଳ କାଠଯୋଡ଼ିରେ ମିଶୁଛି। ଏହି ପ୍ରଦୂଷଣ କାରଣରୁ କାଠଯୋଡ଼ି ଜଳ ନିମ୍ନମାନର ରହିଛି। ଜଳ ପରୀକ୍ଷା ପରେ ଏହାର ଗୁଣାତ୍ମକ ମାନ ମଧ୍ୟ ଚିନ୍ତାଜନକ ବୋଲି ଜଣାପଡ଼ିଛି। କାଠଯୋଡ଼ି ନଦୀଜଳର ମାନ ସି’ ଗ୍ରେଡ୍‌ରେ ରହିଛି। ଯାହାକୁ ପିଇବା ତ’ ଦୂରର କଥା, ଶୌଚ ପାଇଁ ମଧ୍ୟ ଉପଯୋଗୀ ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି। ସି’ ଗ୍ରେଡ‌୍‌ରେ ଥିବା ଜଳ, ଫସଲ ପାଇଁ ମଧ୍ୟ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଖାନ୍‌ନଗର ଡିସଚାର୍ଜ ପଏଣ୍ଟ୍‌ରେ ଆବର୍ଜନା ଜଳକୁ ବିଶୋଧନ କରାଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଜାଇକା ପ୍ରକଳ୍ପର ମନ୍ଥର ଗତି ଯୋଗୁଁ ନଦୀଜଳ ପ୍ରଦୂଷଣ ସୀମା ଟପିଛି। ଏପଟେ ସିଡିଏ ଓ ମତ୍ତଗଜପୁରରେ ନିର୍ମିତ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ଏଯାଏ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ବେଲ୍‌ ଭ୍ୟୁ, ପେଟାନାଳ, ଖାନ୍‌ନଗର ନିକଟରେ କଟକର ନର୍ଦ୍ଦମା ପାଣି ନଦୀରେ ମିଶୁଛି।

ସେହିଭଳି ମହାନଦୀ ଜଳ ମଧ୍ୟ ବ୍ୟବହାର ଅନୁପଯୋଗୀ ହୋଇପଡୁଛି। ମହାନଦୀକୁ ପ୍ରଦୂଷଣ ମୁକ୍ତ କରାଯାଉନାହିଁ। କମଳାକାନ୍ତ ବିଦ୍ୟାପୀଠ ନିକଟ, ରେଳ ପୋଲ ନିକଟରେ ଭୟଙ୍କର ଭାବେ ମହାନଦୀ ଜଳ ପ୍ରଦୂଷିତ ହେଉଛି। ଏଠାରେ ସହରର ଆବର୍ଜନା ଜଳ ସିଧା ଯାଇ ମହାନଦୀରେ ମିଶୁଛି। ଏହାକୁ ରୋକିବା ଦିଗରେ ସିଏମ୍‌ସିର କୌଣସି ମା‌ଷ୍ଟର୍‌ପ୍ଲାନ୍ କରୁନାହିଁ। ଷ୍ଟେସନ୍‌ବଜାର, କଲେଜଛକ, ଯୋବ୍ରା ଅଞ୍ଚଳର ସମସ୍ତ ଆବର୍ଜନା ଜଳ ଯୋବ୍ରା ସ୍ଲୁଇସ୍‌ ଗେଟ ଦେଇ ମହାନଦୀରେ ମିଶୁଛି। ଗଣ୍ଡରପୁର ମୁଖ୍ୟ ନାଳ ଦେଇ ମଧ୍ୟ ନର୍ଦ୍ଦମା ଜଳ ମହାନଦୀରେ ମିଶୁଛି। ଏହା କେବଳ ବର୍ଷାଜଳ ନିଷ୍କାସନ ପାଇଁ ଥିବା ବେଳେ ସବୁ ସମୟରେ ଖୋଲା ରହୁଛି। ଶିଖରପୁର, ଗାନ୍ଧୀ ପଲ୍ଲି, ନେହରୁ ପଲ୍ଲି, ଭଦିମୂଳ, କହ୍ନେଇପୁର, ଗତିରାଉତପାଟଣା ଓ ଆୟତ୍ତପୁର ନିକଟରେ ମଧ୍ୟ ମହନଦୀକୁ ସିଧା ଆବର୍ଜନା ଜଳ ଛଡ଼ାଯାଉଛି। ଜଗତପୁର ଶିଳ୍ପାଞ୍ଚଳର ସମସ୍ତ ଆବର୍ଜନା ଜଳ ବି ମହାନଦୀରେ ମିଶୁଛି। ପ୍ରଦୂଷଣ ରୋକିବା ଦିଗରେ ପ୍ରଦୂଷଣ ବିଭାଗ କୌଣସ ପଦକ୍ଷପ ଗ୍ରହଣ କରୁନାହିଁ। କଟକ ସହରର ୧୭୨୪ କିମି ଛୋଟବଡ଼ ଡ୍ରେନ୍‌ର ଆବର୍ଜନା ଜଳକୁ ବିଶୋଧନ କରା ନଯାଇ ଦୁଇ ନଦୀରେ ସିଧାସଳଖ ଛଡ଼ା ଯାଉଥିବାରୁ ଏହା ଚିନ୍ତା ବଢ଼ାଇଛି। ଜାଇକା ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହି ସମସ୍ୟା ଦୂର ହେବ ବୋଲି ଆଳ କରାଯାଉଛି। ମାତ୍ର କାର୍ଯ୍ୟକ୍ଷମ ଥିବା‌ ସିଡିଏ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ବି ବିଶୋଧନ ପ୍ରକ୍ରିୟା ଅସଫଳ ରହିଛି।

ସମ୍ବନ୍ଧିତ ଖବର