ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଆଜିଠାରୁ ନାମାଙ୍କନପତ୍ର ଦାଖଲ

କଟକ: ଆଜିଠାରୁ ଜମିବ ପଞ୍ଚାୟତ ନିର୍ବାଚନ ତାତି। ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ ପାଇଁ ପ୍ରକ୍ରିୟା। ଆଶାୟୀ ଓ ଅସନ୍ତୁଷ୍ଟ ମଇଦାନକୁ ଓହ୍ଲାଇବା ପାଇଁ ଦାଖଲ କରିବେ ପ୍ରାର୍ଥୀପତ୍ର। କଟକ ଜିଲ୍ଲାର ୪୬ଟି ଜିଲ୍ଲାପରିଷଦ ଆସନ, ୩୭୩ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ୫୭୦୩ଟି ୱାର୍ଡସଭ୍ୟ ପାଇଁ ପ୍ରାର୍ଥୀ କରିବେ ନାମାଙ୍କନପତ୍ର ଦାଖଲ। ସେଥିପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ସବୁଠି କରାଯାଇଛି ବ୍ୟାପକ ବ୍ୟବସ୍ଥା। କୋଭିଡ୍‌ କଟକଣା ଭିତରେ ପ୍ରାର୍ଥୀ କିପରି ନାମାଙ୍କନପତ୍ର ଦାଖଲ କରିବେ ‌ଓ କଟକଣା ମାନିବେ ତା’ ଉପରେ ସ୍ବତନ୍ତ୍ର ଫୋକସ୍‌ ଦିଆଯିବ। ଆସନ୍ତାକାଲି ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ୬ଦିନ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଜିଲ୍ଲାର ତିନୋଟି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ୧୪ଟି ପଞ୍ଚାୟତ ସମିତି ବା‌ ବ୍ଳକ୍‌ କାର୍ଯ୍ୟାଳୟ ଓ ୩୭୩ ପଞ୍ଚାୟତରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପଟେ ସକାଳ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ। ସୁରକ୍ଷା ବ୍ୟବସ୍ଥା ପାଇଁ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ୧୫ସେକ୍ସନ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନିୟମ ମୁତାବକ, ବିନା ମାସ୍କରେ ନାମାଙ୍କନପତ୍ର ଦାଖଲ ପାଇଁ କେହି ପଶି ପାରିବେନି। ପ୍ରାର୍ଥୀଙ୍କ ସହିତ ପ୍ରସ୍ତାବକ, ସମର୍ଥକଙ୍କ ମଧ୍ୟରୁ ଜଣେ ନାମାଙ୍କନପତ୍ର ଦାଖଲ ପାଇଁ ଭିତରକୁ ପ୍ରବେଶ କରିପାରିବେ। ନାମାଙ୍କନପତ୍ର ଦାଖଲ ସମୟରେ ଯେପରି ସାମାଜିକ ଦୂରତା ବଜାୟ ରହିବ ତା’ ଉପରେ ସ୍ବତନ୍ତ୍ର ଫୋକସ୍‌ ରଖାଯିବ। ଜିଲ୍ଲାପରିଷଦ ସଦସ୍ୟମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅର୍ଥାତ୍‌ ଜିଲ୍ଲାର ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଟକ ସଦର, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନିଆଳି, କଣ୍ଟାପଡ଼ା, ଟାଙ୍ଗୀ ଓ ବାରଙ୍ଗ ବ୍ଲକ୍‌ର ୨୯ଟି ଆସନ ପାଇଁ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବେ। ସେହିପରି ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଠଗଡ଼, ତିଗିରିଆ, ବଡ଼ମ୍ବା ଓ ନରସିଂହପୁର ବ୍ଲକର ୧୨ଜଣ ଓ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାଙ୍କୀ ଓ ବାଙ୍କୀ-ଡମପଡା ବ୍ଲକ୍‌ର ୫ଟି ଆସନ ପାଇଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ସେହିପରି ୧୪ଟି ବ୍ଲକ୍‌ କାର୍ଯ୍ୟାଳୟରେ ୩୭୩ଜଣ ସମିତିସଭ୍ୟ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବେ ଓ ୩୭୩ଟି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ୱାର୍ଡମେମ୍ବର୍‌ ପଦ ପାଇଁ ପ୍ର‌ାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବେ।

ସବୁଠି ସମାନ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରାର୍ଥୀପତ୍ର ଦାଖଲ କରାଯିବ। କୌଣସି ସ୍ଥାନରେ ଯେପରି କୋଭିଡ୍‌ କଟକଣାର ଉଲ୍ଲଂଘନ ନହେବ ସେଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୋଭାଯାତ୍ରାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଯଦି କୌଣସି ପ୍ରାର୍ଥୀ କରୋନା ସଂକ୍ରମିତ ହୋଇଥିବେ ତାହେଲେ ସେ ନିଜେ ନାମାଙ୍କନପତ୍ର ଦାଖଲ ପାଇଁ ନଆସି ତାଙ୍କର ପ୍ରତିନିଧି ବା ପ୍ରସ୍ତାବକ ଓ ସମର୍ଥକଙ୍କୁ ପଠାଇପାରିବେ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ବୈଦ୍ୟନାଥ ମୁଣ୍ଡା ସୂଚନା ଦେଇଛନ୍ତି। ପ୍ରାର୍ଥୀପତ୍ର ଦାଖଲସମୟରେ ପ୍ରାର୍ଥୀ ନିଜେ, କିମ୍ବା ତାଙ୍କର ପ୍ରସ୍ତାବକ ବା ସମର୍ଥକ ସେହି ୩ଜଣଙ୍କୁ ମଧ୍ୟରୁ ଜଣେ ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ ଓ ନାମାଙ୍କନପତ୍ର ଦାଖଲ ପରେ ଜିଲ୍ଲାପରିଷଦ ସଦସ୍ୟଙ୍କ ସତ୍ୟପାଠଗୁଡିକ ଜିଲ୍ଲା ୱେବ୍‌ସାଇଟ୍‌ରେ ଛଡାଯିବ ବୋଲି ସଦର ଉପଜିଲ୍ଲାପାଳ ପ୍ରତାପ ବେଉରା ସୂଚନା ଦେଇଛନ୍ତି। ଜିଲ୍ଲାପରିଷଦ ନିର୍ବାଚନ ଦଳୀୟ ଚିହ୍ନରେ ହେଉଛି। ଏହି ପଦବି ପାଇଁ ଯଦିଓ ଏକପ୍ରକାର ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରାଯାଇଛି, କିନ୍ତୁ ଦଳଗୁଡ଼ିକ ପକ୍ଷରୁ ବିଧିବଦ୍ଧ ଭାବେ ସେମାନଙ୍କ ନାମ ଘୋଷଣା କରାଯାଇନି। କେତେକ ନିର୍ବାଚନମଣ୍ଡଳୀରେ ନାମ ଘୋଷଣା କରାଯାଇଛି। ସେହିପରି ସରପଞ୍ଚ ପଦ ପାଇଁ ଦଳୀୟ ଚିହ୍ନ ନ ଥିଲେ ବି ପ୍ରତି ପଞ୍ଚାୟତରୁ ଏକାଧିକ ଅସନ୍ତୁଷ୍ଟ ପ୍ରାର୍ଥୀ ହେବା ପାଇଁ ବାହାରୁଛନ୍ତି। ତେଣୁ, ପ୍ରାର୍ଥୀପତ୍ର ଦାଖଲ ପରେ ସେମାନଙ୍କ ବାସ୍ତବ ଚିତ୍ର ଜଣାପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର