ଓସିଏ ନିର୍ବାଚନ: ପ୍ରଣବ ପ୍ରକାଶ ଦାସଙ୍କ ସମେତ ୬ ଜଣ ପ୍ରାର୍ଥୀ ଭରିଲେ ନାମାଙ୍କନ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସ୍‌ (ଓସିଏ) ନିର୍ବାଚନ ପାଇଁ ସରିଲା ନାମାଙ୍କନ ପ୍ରକ୍ରିୟା। ବିରୋଧୀଙ୍କ ମିଳିଲା ପୂର୍ଣ୍ଣ ସମର୍ଥନ। ନମାନଙ୍କନ ଭରିଲେ ସଞ୍ଜୟ ବେହେରା ପ୍ୟାନେଲ। ୬ଟି ପଦବି ପାଇଁ ହେଲା ନାମାଙ୍କନ। ଏହି ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ସଭାପତି ପାର୍ଥି ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ହିସାବରେ ନାମାଙ୍କନ ଭରିଲେ ତାଙ୍କ ଭାଇ।

ଅନ୍ୟପଟେ ଏହି ନିର୍ବାଚନ ନିର୍ଦ୍ୱନ୍ଦରେ ଶେଷ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଆଜି ଶେଷ ହେଲା ଓସିଏ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା। ୬ଟି ପଦବି ପାଇଁ ନାମାଙ୍କନ ଭରିଲେ ସଞ୍ଜୟ ବେହରା ପ୍ୟାନେଲ। ଏହି ପ୍ୟାନେଲର ପୂର୍ବ ଘୋଷିତ ସମସ୍ତ ବ୍ୟକ୍ତିଙ୍କ ସମେତ ବରିଷ୍ଠ ସଦସ୍ୟ ଆଶୀର୍ବାଦ ବେହେରା ମନୋନୀତ କରିଥିବା ୩ ସଦସ୍ୟ ସେମାନଙ୍କ ନାମାଙ୍କନ ଭରିଛନ୍ତି। ସମ୍ପାଦକ ସଞ୍ଜୟ ବେହେରା ଓ ପୂର୍ବରୁ କୋଷାଧକ୍ଷ ଥିବା ବିକାଶ ପ୍ରଧାନ ତାଙ୍କ ପଦବି ଅବ୍ୟାହାତ ରଖିଥିବା ବେଳେ ସଭାପତି ଭାବରେ ସାମ୍ନାକୁ ଆସିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେହିପରି ଉପସଭାପତି ପଦରେ ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ପ୍ରଧାନ ନାମାଙ୍କନ ଭରିଛନ୍ତି। ସମସ୍ତେ ଆଜି ମା କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବା ସହିତ ଓଡିଶା କ୍ରିକେଟର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ବଦ୍ଧ ବୋଲି ଦୋହରାଇଛନ୍ତି।

Sambad

ନିର୍ବାଚନ ପ୍ରକ୍ରିୟାରୁ ଓହରି ଯାଇଥିବା ବିଭିନ୍ନ କ୍ରୀଡା ସଂଘର ସଦସ୍ୟଙ୍କୁ ବରିଷ୍ଠ ସଦସ୍ୟ ଆଶୀର୍ବା ବେହେରା ଧନ୍ୟବାଦ ଜଣାଇଥିଲା ବେଳେ କ୍ରିକେଟରେ ସମସ୍ତେ ମିଳିମିଶି ଆଗକୁ ଆସିବା ଦରକାର ବୋଲି କହିଛନ୍ତି ଆଶୀର୍ବାଦ ବେହେରା। ଅନ୍ୟପଟେ ସିଧାସଳଖ ଓସିଏ ନିର୍ବାଚନରୁ ଓହରି ଯାଇଥିବା ଓସିଏ ବିରୋଧୀ ପ୍ୟାନେଲ ଆଜି ସଭାପତି ପାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପୁରା ପ୍ୟାନେଲକୁ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କ୍ରୀଡା ବିକାଶ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ଏହିକ୍ରମରେ କ୍ରିକେଟର ବିକାଶ ପାଇଁ ତାଙ୍କ ପ୍ରତିନିଧି ପ୍ରଣବଙ୍କୁ ଓସିଏକୁ ପଠାଇଛନ୍ତି। ତେଣୁ ଆରମ୍ଭରୁ ଆମେ ସିଧାସଳଖ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ପ୍ରଣବଙ୍କ ନାଁ ସାମ୍ନାକୁ ଆସିବାରୁ ତାଙ୍କୁ ନିସର୍ଟ ସମର୍ଥନ ଜଣାଇ ନିର୍ବାଚନ ପ୍ରକ୍ରିୟାରୁ ଓହରି ଯାଇଛୁ। ପ୍ରଣବ ଜଣେ ଦକ୍ଷ ସଙ୍ଗଠକ ତେଣୁ ଆମର ସମ୍ପୂର୍ଣ୍ଣ ସମର୍ଥନ ତାଙ୍କୁ ଓ ଓଡ଼ିଶା କ୍ରିକେଟ ପ୍ରତି ରହିବ ବୋଲି କହିଛନ୍ତି ବିରୋଧୀ ପ୍ୟାନେଲ ମୁଖ୍ୟ। ଏହି ବହୁ ଚର୍ଚ୍ଚିତ ନିର୍ବାଚନ ଏକପ୍ରକାର ଶେଷ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ଆନୁଷ୍ଠାନିକ ଭାବରେ ଏହାର ଫଳାଫଳ ଘୋଷଣା ହେବ। ଏହି ପ୍ୟାନେଲ ଆସନ୍ତା ୩ ବର୍ଷ ପ୍ରାର୍ଥୀ ଦାୟିତ୍ୱ ନିର୍ବାହ କରିବେ।

ସମ୍ବନ୍ଧିତ ଖବର