ଏସ୍‌ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଓ ଶିଶୁ ଆଲର୍ଜି ଓପିଡି ଉଦ୍‌ଘାଟନ ଆଜି

କଟକ: କଟକ ବଡ଼ ଡାକ୍ତରଖାନା ବିକାଶରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଏସ୍‌ସିବିରେ ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହେବ। ଏହା ପୂର୍ବରୁ ଏସ୍‌ସିବି ସୁପରସ୍ପେସାଲିଟି ଆଉଟ୍‌ଡୋରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଓପିଡିକୁ ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍‌ଘାଟନ କରିବେ। ଏହି ଓପିଡିରେ ଲିଭର୍‌ ଆବଶ୍ୟକ କରୁଥିବା ରୋଗୀମାନଙ୍କ ନାମ ପଞ୍ଜୀକରଣ କରାଯିବ। ଏଥିସହ ଶିଶୁରୋଗ ବିଭାଗରେ ଶିଶୁରୋଗୀଙ୍କ ପା‌ଇଁ ଶିଶୁ ଆଲର୍ଜି, ଶ୍ବାସରୋଗ ଏବଂ ଫୁସ୍‌ଫୁସ୍‌ ରୋଗ ବହିର୍ବିଭାଗ ବା ଓପିଡି ଖୋଲାଯିବ। ସେଠାରେ ଶିଶୁରୋଗୀ ପ୍ରତି ଶୁକ୍ରବାର ସେବା ପାଇପାରିବେ। ଏଥି ସହ ଏସ୍‌ସିବି ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି ପରେ ଦୁଇ ଓ ଚାରିଚକିଆ ଗାଡ଼ି ପାଇଁ ନିର୍ମାଣ କରାଯାଇଥିବା ପାର୍କିଂସ୍ଥଳକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଏସ୍‌ସିବି ସୂତ୍ରରୁ ଜଣାପଡ଼ିଛି।

ସକାଳ ୧୦ଟାରେ ଏହି କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ସୂଚନା ମୁତାବକ, ଏସ୍‌ସିବିରେ ନାମ ପଞ୍ଜୀକରଣ ଓ ବିଭିନ୍ନ ପ୍ରକ୍ରିୟା ପରେ ଲିଭର ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ମୋଡୁଲାର ଓଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇ ନଥିବାରୁ ପ୍ରାଥମିକ ଭାବେ ୟୁରୋଲୋଜି ଓଟିରେ ଲିଭର୍‌ ପ୍ରତିରୋପଣ କରାଯିବ। ପରବର୍ତ୍ତୀ ସମୟରେ ଲିଭର ପ୍ରତିରୋପଣ ନେଇ ସ୍ବତନ୍ତ୍ର ‌ଓଟି ପ୍ରସ୍ତୁତ କରାଯିବ। ହେପାଟୋଲୋଜି ବିଭାଗରେ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭା‌ଗ ମିଳିତ ସହଭାଗିତାରେ ଏହି ଓପିଡି କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର