ମହାନଦୀବିହାର ମୁଖ୍ୟ ପାଣି ପାଇପ୍‌ ଫାଟିଲା

ଭଲ ରାସ୍ତାକୁ ଖୋଳି ନଷ୍ଟ କରିଦେଲା ଘରୋଇ କମ୍ପାନି

ମହାନଦୀବିହାର: ମହାନଦୀବିହାରର ୟୁଜିଏମ୍‌ଇ ସ୍କୁଲ ସାମ୍ନା ରାସ୍ତାଟିକୁ ଏକ ଘରୋଇ କମ୍ପାନି ଗ୍ୟାସ ପାଇପ୍‌ ସଂଯୋଗ ପାଇଁ ଖୋଳି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଏହି ଅଞ୍ଚଳକୁ ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ପାଣି ଯୋଗାଇ ଦିଆଯାଉଥିବା ମୁଖ୍ୟ ପାଇପ୍‌ଟିକୁ ଫଟାଇ ଦେବାରୁ ଏହା ସ୍ଥାନୀୟ ଅଞ୍ଚଳରେ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଜନସ୍ବାସ୍ଥ୍ୟ ବିଭାଗ ପାଣି ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ ଏହା ଗୁରୁତର ପ୍ରଭାବ ପକାଇଛି।

ସୂଚନା ଅନୁଯାୟୀ, ଏକ ଗ୍ୟାସ କମ୍ପାନି ଘରକୁ ଗ୍ୟାସ୍‌ ସଂଯୋଗ ଦେବାକୁ ମହାନଦୀବିହାର ଅଞ୍ଚଳରେ କାମ ଆରମ୍ଭ କରିଥିଲା। ଏହି କାମ ପାଇଁ ଜଣେ ଠିକାଦାରଙ୍କୁ ସେଠାରେ ନିୟୋଜିତ କରାଯାଇଥିଲା। କିନ୍ତୁ, ବେପରୱା ଢଙ୍ଗରେ କାମ କରାଯାଇ ରାସ୍ତାଟିକୁ ଖୋଳି ସମ୍ପୂର୍ଣ ନଷ୍ଟ କରି ଦିଆଯାଇଛି ବୋଲି ମହାନଦୀବିହାର ଉନ୍ନୟନ ପରିଷଦ ସଭାପତି ରବିନାରାୟଣ ଶତପଥୀ ଅଭିଯୋଗ କରିଛନ୍ତି। କାମ ଚାଲୁଥିବାବେଳେ ଏହାକୁ ତଦାରଖ କରିବାକୁ କୌଣସି ଅଧିକାରୀ ଆସୁ ନାହାନ୍ତି। ଉକ୍ତ ଗ୍ୟାସ କମ୍ପାନି ରାସ୍ତା ଖୋଳିବା ସମୟରେ ପ୍ରାୟ ୨ଶହ ଫୁଟର ମୁଖ୍ୟ ପାଣିପାଇପ୍‌କୁ ଫଟାଇ ଦେଇଛି। ବର୍ତ୍ତମାନ ଅସରାଏ ବର୍ଷା ହେବା ମାତ୍ରେ ରାସ୍ତାର ଖାଲୁଆ ଜାଗାରେ ପାଣି ଜମି ରହୁଥିବାରୁ ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।

ରାସ୍ତାର ଉଭୟପାର୍ଶ୍ଵରେ ରହୁଥିବା ୪୦ରୁ ଅଧିକ ପରିବାର ଯାତାୟାତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଘରୁ ବାହାରିବା କଷ୍ଟ ହୋଇଯାଇଛି। ଏକ ଭଲ ରାସ୍ତାକୁ ଖୋଳି ନଷ୍ଟ କରିବା ପରେ ସ୍ଥାନୀୟ ଲୋକେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ଉକ୍ତ କମ୍ପାନି ପକ୍ଷରୁ କୌଣସି ଅଧିକାରୀ ଆସିନାହାନ୍ତି ବୋଲି ମହାନଦୀବିହାର ଉନ୍ନୟନ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ଖୋଳାଯାଇଥିବା ରାସ୍ତାକୁ ତୁରନ୍ତ ମରାମତି ନକଲେ ପରିଷଦ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ସଭାପତି ରବିନାରାୟଣ ଶତପଥୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର