ଏଠି ମନ୍ତ୍ରୀ, ସାଂସଦ, ବିଧାୟକ ଅସହାୟ! ବାରମ୍ବାର କହିଲେ ବି କେହି ଶୁଣୁ ନାହାନ୍ତି, କଟକର ବିପର୍ଯ୍ୟସ୍ତ ରାସ୍ତାଘାଟ, ନାଳନଦ୍ଦର୍ମା, ପରିମଳ

କଟକ: କଟକ ସହରରେ ରାଜ୍ୟର ଦୁଇ ଦୁଇ ଜଣ ମନ୍ତ୍ରୀ, ଦୁଇ ଦୁଇ ଜଣ ସାଂସଦ, ୫ ବିଧାୟକଙ୍କ ଘର। ମନ୍ତ୍ରୀ ପ୍ରତାପ ଜେନାଙ୍କ ଘର ଯୋବ୍ରାରେ। ଚାନ୍ଦିନୀଚୌକ ଅଞ୍ଚଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ସୁବାସ ସିଂହ, ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କର ଘର। ସେଲ୍ଟର ଛକ ସଇଦାନୀ ବଗିଚା ଅଞ୍ଚଳରେ ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କ ଘର। ମହାନଦୀବିହାର-ପୋତାପୋଖରୀ ଅଞ୍ଚଳରେ ବିଧାୟକ ସୌଭିକ ବିଶ୍ବାଳଙ୍କ ଘର। ସିଡିଏ ସେକ୍ଟର-୬ରେ ବିଧାୟକ ଶଶୀଭୂଷଣ ବେହେରା ଓ ସେକ୍ଟର-୯ରେ ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କ ଘର। ଅର୍ଥାତ କଟକର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଯାଏ ବାଣ୍ଟି ହୋଇ ରହିଛନ୍ତି ମନ୍ତ୍ରୀ, ସାଂସଦ, ବିଧାୟକ। କିନ୍ତୁ କଟକ ସହରର ବିପର୍ଯ୍ୟସ୍ତ ରାସ୍ତା, ନାଳନର୍ଦ୍ଦମା, ପରିମଳ ସ୍ଥିତିକୁ ଯିଏ ଦେଖିବ, ସିଏ ଚିନ୍ତା କରିବ, ଏଠି ପ୍ରଶାସନ ବୋଲି କିଛି ଅଛି କି ନାହିଁ। ‌ରାସ୍ତା ସାରା ଖାଲ। ଡ୍ରେନ ପଙ୍କରେ ଭର୍ତ୍ତି। ଅଳିଆ ଆବର୍ଜନା ରାସ୍ତାରୁ ଉଠୁନି। ଜାଇକା ପ୍ରକଳ୍ପ ଆଳରେ କେତେ ଦିନ କଟକବାସୀ ଏଭଳି ପୂତିଗନ୍ଧମୟ ପରିବେଶରେ ଘାଣ୍ଟି ହେବେ?

ବାସ୍ତବରେ ଲୋକ ପ୍ରତିନିଧି ବି ଏଠି ଅସହାୟ। ସେମାନେ ନିଜେ ରହୁଥିବା ଅଞ୍ଚଳର ଫଟୋ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସେମାନଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲା। ସମସ୍ତଙ୍କ ସ୍ବରରେ ବାରି ହୋଇ ପଡୁଥିଲା ଅସହାୟତା। ସେମାନଙ୍କ କଥା ବି ଶୁଣା ଯାଉନାହିଁ। ଏକଥା ଏକପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା। ଯଦି ସ୍ଥିତି ଏଇଆ, ତେବେ କଟକର ସ୍ଥିତି ସୁଧୁରିବ କେବେ?

କ’ଣ କୁହନ୍ତି ସାଂସଦ, ବିଧାୟକ…

କହିଲେ ବି ଶୁଣୁ ନାହାନ୍ତି; ନୋ’ ରେସ୍‌ପଣ୍ଡ, ନୋ’ ଆକ୍‌ସନ୍‌
ସହରର ରାସ୍ତା, ଘାଟ, ନାଳ, ନର୍ଦ୍ଦମା ସମସ୍ୟା କଥା କହିଲେ ବି କେହି ଶୁଣିବାର ନାହିଁ। ନୋ’ ରେସ୍‌ପଣ୍ଡ, ନୋ’ ଆକ୍‌ସନ୍‌। ଯେଉଁମାନେ ସଫା ସୁତୁରା କରୁଛନ୍ତି ସେମାନଙ୍କ ଉପରେ ଅଧିକ ଚଢଉ ହେଉଛି। ଏ ସଂପର୍କରେ ବୈଠକରେ କହିଛି। ସବୁ ସମୟରେ ସମସ୍ୟାକୁ ନେଇ କହୁଛି କିନ୍ତୁ କେହି ଶୁଣୁ ନାହାନ୍ତି। ଯଦି ଚାନ୍ଦିନୀଚୌକ ଛକର ଏକ ଘଟଣା… ଡ୍ରେନ୍‌ ସଫା ପାଇଁ ଏକ ସ୍ଲାବ୍ ଉଠାଇ ଥିଲେ। କିନ୍ତୁ ତାକୁ ଠିକ୍‌ ଭାବରେ ପକାଇଲେନି। ଯାହା ଫଳରେ ଗାଡି ଯିବା ସମୟରେ ଧଡ଼ ଧଡ଼ ହେଲା। ଲୋକେ ପଡୁଛନ୍ତି, ଏ ସଂପର୍କରେ କହିଲି। ପ୍ରଜାତନ୍ତ୍ର ଅଫିସ ପାଖରେ ରାସ୍ତା କଟା ହୋଇ ଡ୍ରେନ୍‌ ହୋଇଛି, ସେ ସଂପର୍କରେ ବି କହିଛି। କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି। କୌଣସି କାମ ହେଉନି।
ଭର୍ତ୍ତୃହରି ମହତାବ, ସାଂସଦ, କଟକ

ଅବହେଳା, ଖିଲାପ ତ ହେଉଛି

ସରକାର କଟକର ବିକାଶ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି। ଅନେକ କାମ ଚାଲିଛି। ଜାଇକା ପ୍ରକଳ୍ପ ଶେଷ ହେଲେ ସହରର ରାସ୍ତାଘାଟ ନୂଆ ରୂପ ପାଇବ। ଜାଇକା ପ୍ରକଳ୍ପକୁ ନେଇ ରହିଥିବା ବୈଷୟିକ ସମସ୍ୟା ରହୁଥିବାରୁ ଅନେକ କାମ ହୋଇପାରୁ ନାହିଁ। କିନ୍ତୁ ଡ୍ରେନ ପଙ୍କୋଦ୍ଧାର, ପରିମଳ ଭଳି କେତେକ କାର୍ଯ୍ୟରେ ସମସ୍ୟା ରହୁଛି। ମୁଁ ଏଥିପାଇଁ ଉଦ୍ୟମ ବି କରି ଆସିଛୁ। ଏ ସଂପର୍କରେ ସିଏମସି କମିସନରଙ୍କ ସହ ଆଲୋଚନା କରିଛି। ‘ସମ୍ବାଦ’ ଯେଉଁ ପ୍ରସଙ୍ଗ ସାମନାକୁ ଆଣିଛି, ତାହାର ସମାଧାନ ହେବା ଆମର ବି ଦାୟିତ୍ବ। ମୁଁ ଏବେ ସଂସଦୀୟ କମିଟିର ଗସ୍ତରେ ଆସି ଗୌହାଟୀରେ ଅଛି। ଦୁଇ ଦିନ ପରେ କଟକ ଫେରିଲେ ଏସବୁ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦିଆଯିବ। ଯେଉଁ କର୍ମଚାରୀ କାମ କରି ପାରୁ ନାହାନ୍ତି, ସେମାନେ କାମ ଛାଡି ଦିଅନ୍ତୁ। ଲୋକଙ୍କ ସମସ୍ୟା ସମାଧାନକୁ କିନ୍ତୁ ଗୁରୁତ୍ବ ଦିଅନ୍ତୁ।
ସୁବାସ ସିଂହ, ସାଂସଦ, ରାଜ୍ୟସଭା

ବାରମ୍ବାର କହୁଛି, କେହି ଶୁଣିବାର ନାହିଁ
ବାରମ୍ବାର ଏଭଳି ଅବ୍ୟବସ୍ଥା ନେଇ ସିଏମ୍‌ସିକୁ ଜଣାଉଥିଲେ ସୁଦ୍ଧା କୌଣସି ସମାଧାନ ହେଉନି। ସିଡିଏରେ ମୋ’ ଘର ପାଖ ଅଞ୍ଚଳ ହେଉ ବା ସହରର ବିଭିନ୍ନ ସ୍ଥାନର ଡ୍ରେନେଜ୍‌ ସମସ୍ୟା, ଦୟନୀୟ ରାସ୍ତାଘାଟ ସଂପର୍କରେ ମୁଁ ଅନେକ ସମୟରେ ବୈଠକରେ କହିଛି। ବ୍ୟକ୍ତିଗତଭାବେ ସିଏମ୍‌ସି କର୍ତ୍ତୃପକ୍ଷଙ୍କୁ କହିଛି। କିନ୍ତୁ ‌ସ୍ବରେଜ୍‌ କାମ ଚାଲିଛି, ଖୁବ୍‌ଶୀଘ୍ର ଠିକ୍‌ ହୋଇଯିବ… ଏଭଳି ପ୍ରତିଶ୍ରୁତି ଦେଇ ସେମାନେ ବସି ଯାଉଛନ୍ତି। ସମସ୍ୟାର ସମାଧାନ ହୋଇପାରୁନି। ବାରମ୍ବାର କହିଲେ ବି କେହି ଶୁଣିବାର ନାହିଁ ।
ପ୍ରଫେସର ଡାକ୍ତର ପ୍ରମୋଦ ମଲ୍ଲିକ
ବିଧାୟକ, ନିଆଳି; ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ସିଏମସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଉଛୁ
ସିଏମ୍‌ସିକୁ ଜଣାଉଛୁ। ବର୍ଷା ପାଇଁ ଅସୁବିଧା ହେଉଛି। ତେଣୁ ତୁରନ୍ତ ଡ୍ରେନେଜ୍‌ ବ୍ୟବସ୍ଥା, ଜଳ ନିଷ୍କାସନର କିପରି ସମାଧାନ କରାଯିବ ସେ ସଂପର୍କରେ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସିଏମ୍‌ସି କର୍ତ୍ତୃପକ୍ଷ ଉତ୍ତର ଦେଉଛନ୍ତି। ବର୍ଷା ଯୋଗୁଁ ଆମ ଅଞ୍ଚଳରେ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା। ତେଣୁ ଏହାର କିପରି ସ୍ଥାୟୀ ସମାଧାନ କରାଯିବ ସେ ସଂପର୍କରେ ସିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଜଣାଇଛୁ। ‘ସମ୍ବାଦ’ରେ କଟକ ସହରର ରାସ୍ତାଘାଟକୁ ନେଇ ଫଟୋ ସବୁ ପ୍ରକାଶ ପାଇବା ପରେ ମଧ୍ୟ ସିଏମ୍‌ସିକୁ ଜଣାଇଛି। ଦେଖାଯାଉ କେବେ ସମସ୍ୟାର ସମାଧାନ ହେଉଛି?
ଦେବୀ ରଞ୍ଜନ ତ୍ରିପା‌ଠୀ, ବିଧାୟକ, ବାଙ୍କୀ

ମୁଁ ବି ଅସନ୍ତୁଷ୍ଟ
କଟକର ବର୍ତ୍ତମାନର ରାସ୍ତାଘାଟ, ନାଳନଦ୍ଦର୍ମା ସ୍ଥିତି ଯାହା ସେଥିରେ ଲୋକ ଅସନ୍ତୁଷ୍ଟ ହେବା ସ୍ବାଭାବିକ। ମୁଁ ବି ଏ ପରିସ୍ଥିତିରେ ଅସନ୍ତୁଷ୍ଟ। କିନ୍ତୁ ଜାଇକା ପ୍ରକଳ୍ପ ବହୁ ବିଳମ୍ବ ହୋଇ ଚାଲିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ମୁଁ ଆଶା କରୁଛି ଦେଢ ବର୍ଷ ଭିତରେ କଟକ ସହରର ରାସ୍ତାଘାଟର ରୂପ ସଂପୂର୍ଣ୍ଣ ବଦଳି ଯାଇଥିବ। ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ କଟକର ଡ୍ରେନେଜ ସ୍ବେରେଜ ବ୍ୟବସ୍ଥା ପାଇଁ ବିଧାନସଭାରେ ବାରମ୍ବାର ପ୍ରସଙ୍ଗ ଉଠାଇଥିଲେ। ସେ ପ୍ରକଳ୍ପ ଯଦିଓ ଚାଲିଛି, କିନ୍ତୁ ବିଳମ୍ବ ହେବା ସମସ୍ୟା ସୃଷ୍ଟି କରୁଛି। ‌ଡ୍ରେନ୍ ସଫେଇ, ପରିମଳ ବ୍ୟବସ୍ଥା ସଂପର୍କିତ ମାମଲା ହାଇକୋର୍ଟରେ ଥିବାରୁ ଟେଣ୍ଡର ଚୂଡାନ୍ତ ହୋଇପାରୁନି। କିନ୍ତୁ ବର୍ତ୍ତମାନର ଠିକା ସଂସ୍ଥା କାମ ଠିକରେ କରୁନି, ଏକଥା ସ୍ପଷ୍ଟ। ଆଶା କରିବା କଥା ଟେଣ୍ଡର ଚୂଡାନ୍ତ ହେଲେ ସ୍ଥିତି ସୁଧୁରିବ। ଏ ସମସ୍ୟା ସଂପର୍କରେ ଆମେ ବାରମ୍ବାର ସିଏମସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛୁ।
ସୌଭିକ ବିଶ୍ବାଳ, ବିଧାୟକ, ଚୌଦ୍ବାର-କଟକ

ସିଏମ୍‌ସି ଠିକ୍‌ରେ କାର୍ଯ୍ୟ କରୁନାହିଁ
ସଇଦାନିବଗିଚା ରାସ୍ତା, ଡ୍ରେନ୍‌ ପାଇଁ ଏଷ୍ଟିମେଟ୍ ସରି ଟଙ୍କା ମଂଜୁର ହୋଇଛି। ଠିକାଦାର କାମ ଆରମ୍ଭ କରିବେ। କିନ୍ତୁ ସହରର ଅନ୍ୟ ସବୁ ରାସ୍ତା ଓ ଡ୍ରେନ୍‌ ବିଷୟରେ ଆମେ ସିଏମ୍‌ସିକୁ ଲେଖିକି ଦେଇଛୁ। ହେଲେ ସିଏମ୍‌ସି ଠିକ୍‌ରେ କାମ କରୁନାହିଁ। ସିଏମ୍‌ସି କମିସନର, ଜିଲ୍ଲାପାଳ ଗୋପଦ ଅଭିଯାନରେ ସହର ବୁଲିଲେ, ଏବେ ଚୁପ୍ ହୋଇ ବସିଲେ। କାମ କାହିଁ ? କେବଳ ମୁଖ୍ୟରାସ୍ତାଟିକୁ ଚିକ୍‌କଣ କରି ମୁଖ୍ୟମନ୍ତ୍ରୀଙ୍କୁ ଆଣି ଦେଖାଇ ଦେ‌ଲେ। ସହରର ଅନ୍ୟ ରାସ୍ତା, ଡ୍ରେନ୍ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେକ କ୍ଷେତ୍ରରେ ସିଏମ୍‌ସି କମିସନର ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ତାଙ୍କ ଇଞ୍ଜିନିୟରିଂ ସେକ୍ଟନ୍ ତାଙ୍କୁ ସହାୟତା କରୁନାହିଁ। କାମ କ’ଣ ହେବ? ଆଗାମୀ ପୌର ନିର୍ବାଚନରେ କଟକବାସୀ ଏହାର ଉତ୍ତର ଦେବେ।
ଇଞ୍ଜିନିୟର ମହମ୍ମଦ ମୋକିମ,
ବିଧାୟକ, ବାରବାଟୀ-କଟକ

ସିଏମ୍‌ସି ଯୁଦ୍ଧକାଳନୀ ଭିତ୍ତିରେ କାମ କରୁ
ଦୁଇ/ତିନି ମାସ ହେଲା କଟକ ସହର ମଧ୍ୟକୁ ଯାଇନାହିଁ। ଭୁବନେଶ୍ବରରୁ ସକାଳୁ ବାହାରି କେନ୍ଦ୍ରାପଡ଼ା ଯାଉଛି। କିନ୍ତୁ କଟକର ରାସ୍ତାଘାଟ, ଡ୍ରେନ୍‌ ଅବସ୍ଥା ଭଲ ନାହିଁ। ଯଦିଓ ମୁଁ ଏବିଷୟରେ ସିଏମ୍‌ସିକୁ କହିନି, କିନ୍ତୁ ସିଏମ୍‌ସି ଠିକରେ କାମ କରୁ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ସିଡିଏ ଅବସ୍ଥା ମଧ୍ୟ ଅନୁରୂପ। ସିଡିଏ ହେଉଛି ସଂପ୍ରସାରିତ କଟକ। ବହୁ ବୁଦ୍ଧିଜୀବୀ ଏଠାରେ ରହୁଛନ୍ତି। ସ୍କୁଲ କଲେଜ ଖୋଲିଲାଣି। ଆଗକୁ ପାର୍ବଣ। ଏହାକୁ ଦୃଷ୍ଟିରେ ରଖି ସିଡିଏ ସମେତ ସହରର ସବୁ ରାସ୍ତାଘାଟ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ଉଚିତ।
ଶଶିଭୂଷଣ ବେ‌ହେରା, ବିଧାୟକ, କେନ୍ଦ୍ରାପଡ଼ା

ସମ୍ବନ୍ଧିତ ଖବର