ନଭେମ୍ବର ୩ରେ ଚୌଦ୍ବାର ରୂପଯାତ୍ରା ଭସାଣି: ବାଜା, ବାଣ, ଲାଇଟ୍ ବନ୍ଦ; ପ୍ରତ୍ୟେକ ମେଢରେ ସର୍ବାଧିକ ୭ ଜଣଙ୍କୁ ଅନୁମତି

ଚୌଦ୍ବାର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚୌଦ୍ବାରର ପ୍ରସିଦ୍ଧ ଐତିହାସିକ ରୂପଯାତ୍ରା ଚଳିତ ବର୍ଷ ସ୍ଥାନୀୟ ଯାତ୍ରାପଡ଼ିଆ ଠାରେ ହେବ ନାହିଁ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରା ବନ୍ଦ କରାଯିବା ସହ ପ୍ରସ୍ତାବିତ ଭସାଣି ଉତ୍ସବ ଦୁଇ ଦିନ ନ ହୋଇ ଆସନ୍ତା ୩ ତାରିଖ ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇ ସଂଧ୍ୟା ସୁଦ୍ଧା ସମସ୍ତ ୪୦ଟି ମେଢ ବିସର୍ଜିତ ହେବେ ବୋଲି ଆଜି ଚୌଦ୍ବାର ଦଶହରା ପୂଜା କମିଟିର ସଭାପତି ସୁବୋଧ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

କଟକ ଡିସିପିଙ୍କ ନିର୍ଦେଶ ଅନୁଯାୟୀ କେବଳ ୭ଜଣ ବ୍ୟକ୍ତି ପ୍ରତି ମେଢରେ ଭସାଣିରେ ଯିବା ସହ କୋଭିଡ଼ ନିୟମ ଅନୁଯାୟୀ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବା ନିୟମ ମାନି‌ବେ। ବାଜା, ବାଣ, ଲାଇଟ୍ ଏବଂ କୌଣସି ପ୍ରକାର ବାଦ୍ୟଯନ୍ତ୍ର ବ୍ୟବହାର କରାଯିବ ନାହିଁ। ଏସବୁର ବ୍ୟତିକ୍ରମ ହେଲେ ପୁଲିସ୍‌ ମେଢ କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚୌଦ୍ବାର ଦଶହରା ପୂଜା କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକ କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ୨ ତାରିଖ ଦିନ ଦଶହରା ପୂଜା କମିଟି ପକ୍ଷରୁ ଦିନ ୧୧ଟା ସମୟରେ ଯାତ୍ରାର ପ୍ରତିଷ୍ଠାତା ସ୍ବର୍ଗତ କୃଷ୍ଣଚନ୍ଦ୍ର ମଙ୍ଗରାଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିରାଟ ଚୌଦ୍ବାର ପତ୍ରିକା ଉନ୍ମୋଚନ ହେବ। ୩ ତାରିଖ ଦିନ ୧ନଂ.ରୁ ୨୦ନଂ. ପର୍ଯ୍ୟନ୍ତ ମେଢ ଯଥାକ୍ରମେ ମଠସାହି, ପ୍ରଧାନସାହି, ମରହଟ୍ଟା ସାହି, ତଳବଜାର, ବଡ଼ବଜାର, ପ୍ରତାପ ନଗର, ଲକ୍ଷ୍ମୀନାରାୟଣ ସାହି, ନୂଆବଣିଆ ସାହି, କୁମ୍ଭାର ସାହି, କମାର ସାହି, ମହାଜନ ସାହି, ମଙ୍ଗଳାସାହି, କପାଳେଶ୍ବର ବେହେରା ସାହି, ନବଗ୍ରହ ସାହି, ବଉଳେଇ ସାହି, ଖର୍ଦ୍ଦା ସାହି, ଗୁନ୍ଧ୍ରେଶ୍ବର ସାହି, ବ୍ରାହ୍ମଣ ସାହି, ତିନିକୋଣିଆ ବଜାର, ବ୍ରାହ୍ମଣସାହି (ବି) ପ୍ରମୁଖ ମେଡ଼ ସକାଳ ୧୦ଟା ମଧ୍ୟରେ ଯାତ୍ରାପଡ଼ିଆରେ ପହଞ୍ଚିବେ ଓ ଛନ୍ଦା ନେଇ କ୍ରମାନ୍ବୟରେ ୧୨ଟା ମଧ୍ୟରେ ବିସର୍ଜନ କରିବେ ।

ଅନୁରୂପ ଭାବେ ୨୧ ରୁ ୪୦ନଂ ପର୍ଯ୍ୟନ୍ତ ମେଢ ଯଥାକ୍ରମେ ମହାଲକ୍ଷ୍ମୀ ସାହି, ଓଟିଏମ୍ ଦୁର୍ଗାବଜାର, ଗୋବିନ୍ଦଜୀଉ ପାଟଣା, ବଡ଼ବଜାର (ବି), ଓଟିଏମ୍ ବଜାର, କଳିଙ୍ଗ ବଜାର, ବନିକା, ମୁଣ୍ତମାଳ, ଗଙ୍ଗାଧର ବଜାର, ବିରାଟ ବଜାର, କପାଳେଶ୍ବର, ଶବର ସାହି, ପରିଡ଼ା ସାହି, ଗାନ୍ଧିଛକ, ମହାବୀର ବଜାର, ହେଙ୍ଗୁଳାଇ ସାହି, କପାଳେଶ୍ବର ନୂଆସାହି, ସାମଲ ସାହି, ବିରୂପା ବ୍ୟାରେଜ୍, କପାଳେଶ୍ବର ହରିଜନ ସାହି ପ୍ରମୁଖ ଯାତ୍ରା ପଡ଼ିଆରେ ଦିନ ଗୋଟାଏ ସୁଦ୍ଧା ପହଞ୍ଚି ଛନ୍ଦା ନେଇ କ୍ରମାନ୍ବୟରେ ସଂଧ୍ୟା ସୁଦ୍ଧା ବିସର୍ଜିତ ହେବେ। ଏ ସମସ୍ତ ୪୦ଟି ମେଢ ବିରୂପା ନିକଟରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବେ ବୋଲି ଜଣାପଡ଼ିଛି । ପୁଲିସ୍‌ ପକ୍ଷରୁ ଆସନ୍ତା ୩ ତାରିଖ ଦିନ ୫ ରୁ ୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଚୌଦ୍ବାର ଥାନା ଅଧିକାରୀ ବିରଂଚି ନାରାୟଣ ପତି ସୂଚନା ପ୍ରଦାନ କରିଛନ୍ତି।

ରୂପଯାତ୍ରା କମିଟି ପକ୍ଷରୁ ସୂଚାରୁରୂପେ ଭସାଣି ଯାତ୍ରା ପରିଚାଳନା କରିବା ପାଇଁ କମିଟିର ସଭାପତି ଶ୍ରୀ ନାୟକ ଓ କାର୍ଯ୍ୟକାରୀ ସଭାପତି ଶ୍ରୀ ନାୟକଙ୍କ ସମେତ ସଂପାଦକ ନାରାୟଣ ସ୍ବାଇଁ, ସହସଂପାଦକ ଦିଲ୍ଲୀପ ସାହୁ, କୋଷାଧ୍ୟକ୍ଷ ରବିନାରାୟଣ ସାହୁ, ସଭ୍ୟ ରାମଚନ୍ଦ୍ର ମହାରଣା, ବିଷ୍ଣୁଚରଣ ପରିଡ଼ା, ସଦାନନ୍ଦ ସାହୁ, ସୂର୍ଯ୍ୟନାରାୟଣ ଦାସ, ନରେଶ କୁମାର ସାହୁ, ତୋଫାନି ନାୟକ, ନରୋତ୍ତମ ଦାସ, କିରଣବାଳା ନାୟକ, ବିଷ୍ଣୁଚରଣ ବେହେରା, ସୁଜିତ୍ କୁମାର ଜେନା, ଶରତ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର