ଏସ୍‌ସିବି ବର୍ଜ୍ୟବସ୍ତୁ ବ୍ରହ୍ମପୁର ଯିବା ଘଟଣା: ନୂଆ ମେସିନ୍ ପାଇଁ ଡିଏମ୍‌ଇଟିଙ୍କୁ ଚିଠି‌, ଠିକା ନେଇଥିବା ସଂସ୍ଥା କରିବ ମରାମତି

କଟକ: ଏସ୍‌ସିବିରେ ମାସ ମାସ ହେଲା ‘ଇନ୍‌ସିନେ‌ରେଟର୍‌’ ଅଚଳ। ବର୍ଜ୍ୟବସ୍ତୁ ଦହନ ପାଇଁ ଯାଉଛି ବ୍ରହ୍ମପୁର। ଏ ସଂପର୍କରେ ଆଜି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏହାର ପରିଚାଳନା ପାଇଁ ଅନେକ ନୂତନ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନୂଆ ସଂସ୍ଥା ‘ଇନ୍‌ସିନେ‌ରେଟର୍‌’ ମରାମତି କରିବ ଓ ତାରି ଭିତରେ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନୂତନ ‘ଇନ୍‌ସିନେ‌ରେଟର୍‌’ ବସାଇବା ପାଇଁ ଡିଏମ୍‌ଇଟିଙ୍କୁ ଚିଠି ଲେଖାଯିବା ସଂପର୍କରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏସ୍‌ସିବିରୁ ପ୍ରତିଦିନ ୭୦୦କେଜି ବର୍ଜ୍ୟବସ୍ତୁ ବାହାରୁଥିବା ସରକାରୀ ତଥ୍ୟ କହୁଛି। ବର୍ଜ୍ୟବସ୍ତୁ ଦହନ ପାଇଁ ବସାଯାଇଥିବା ‘ଇନ୍‌ସିନେ‌ରେଟର୍‌’ ପୁରୁଣା ହୋଇଯାଇଥିବାରୁ ତାହା ବର୍ତ୍ତମାନ କାମରେ ଆସିପାରୁନି। ଏହାର କ୍ଷମତା ମଧ୍ୟ କୁଳଉନି। ଏପଟେ କୋଭିଡ୍‌ ପରଠାରୁ ଏସ୍‌ସିବିର ବର୍ଜ୍ୟବସ୍ତୁ ବୃଦ୍ଧି ପାଇଥିଲା। ଯେଉଁଥିରେ ‘ଇନ୍‌ସିନେ‌ରେଟର୍‌’ ଠିକ୍‌ଭାବରେ କାର୍ଯ୍ୟକ୍ଷମ ହୋଇପାରି ନଥିଲା। ଶେଷରେ ପରିସ୍ଥିତି ଏମିତି ହୋଇଥିଲା ଯେ ଏହା ଅଚଳ ହୋଇପଡ଼ିଥିଲା। ଅଚଳ ମେସିନ୍‌ ସଜାଡିବାକୁ ୨୦ଲକ୍ଷ ଟଙ୍କା ଏସ୍‌ସିବିକୁ ଆସିଥିଲେ ସୁଦ୍ଧା ତାହା ସଜଡା ହୋଇପାରୁନି। କାଳେ ମରାମତି ପରେ ବି ଏହା ଠିକ୍‌ ଢଙ୍ଗରେ କାର୍ଯ୍ୟକ୍ଷମ ହେବ ନାହିଁ, ସେଥିପାଇଁ ନୂଆ ‘ଇନ୍‌ସିନେ‌ରେଟର୍‌’ ବସାଇବା ପାଇଁ କର୍ତ୍ତୃପକ୍ଷ ମଧ୍ୟ ନିଷ୍ପତ୍ତି ନେଇ ପାରୁନଥିଲେ। ଏପଟେ କିନ୍ତୁ ତାଲିମ୍‌ ନାଁରେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ବିଚିତ୍ର ବ୍ୟବସ୍ଥା ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବୈଠକରେ ଏହାର ମରାମତି ଓ ନୂତନ ମେସିନ୍‌ ବସାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ କେବେ କାର୍ଯ୍ୟକାରୀ ହେବ ଏଭଳି ନିଷ୍ପତ୍ତି ତାହା ଦେଖିବାକୁ ବାକି ରହିଛି। ଆଜିର ବୈଠକରେ ଏସ୍‌ସିବି ଅଧୀକ୍ଷକଙ୍କ ସମେତ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର