ଜିଲ୍ଲା ପରିଷଦ ନାମାଙ୍କନ ଯାଞ୍ଚ ଶେଷ, ୧୮୮ ପ୍ରାର୍ଥିପତ୍ରରୁ ୬ ନାକଚ

କଟକ ସଦର ଜୋନ୍‌-୬ ଓ ନିଶ୍ଚିନ୍ତକୋଇଲି ଜୋନ୍‌-୨୮ରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

କଟକ: ତ୍ରିସ୍ତରୀୟ  ପଂଚାୟତ ନିର୍ବାଚନ ପାଇଁ କଟକରେ ୪୬ଟି ଜିଲ୍ଲା ପରିଷଦ ଆସନ ନିମନ୍ତେ ୧୮୮ଜଣ ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ଆଜି ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟାରେ ୬ଜଣଙ୍କ ନାମ ପ୍ରାର୍ଥୀ ତାଲିକାରୁ ବାଦ ପଡିଛି। ସେଥିରୁ ସଦର ଉପଜିଲ୍ଲାପାଳଙ୍କ ପାଖରେ ହୋଇଥିବା ଯାଞ୍ଚରେ  କଂଗ୍ରେସର ୨  ଜଣ ଓ ଜଣେ ସ୍ଵାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବାବେଳେ ଆଠଗଡ଼ରେ ମଧ୍ୟ ବିଜେପି ଟିକେଟ ବଦଳିବା ଫଳରେ ଜଣେ ଓ ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି। କିନ୍ତୁ ବାଙ୍କୀରେ ସମସ୍ତ ପ୍ରାର୍ଥିପତ୍ର କାଏମ ରହିଛି। ଫଳରେ କଟକ ସଦର  ଜୋନ -୬ ଓ ନିଶ୍ଚିନ୍ତକୋଇଲି ଜୋନ-୨୮ ଆସନରେ କଂଗ୍ରେସର କେହି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଅନ୍ୟପଟେ ବାରଙ୍ଗ ଜୋନ-୩୨ ଆସନରୁ ବିଜେପି ଟିକେଟରେ ନଳିନୀ ରାୟ ଗୁରୁବାର ଓ ଶେଷ ଦିନରେ  ତୁଷାରକାନ୍ତ ଚକ୍ରବର୍ତ୍ତୀ ନାମାଙ୍କନ ଦାଖଲ କରିଥିଲେ। ହେଲେ ଆଜି ଯାଞ୍ଚ ସମୟରେ ଦଳ ତୁଷାରଙ୍କୁ ଟିକେଟ ଦେବା ଓ ନଳିନୀଙ୍କ ଟିକେଟ ପ୍ରତ୍ୟାହାର କରିବା ଫଳରେ ତୁଷାର ବାରଙ୍ଗ ୩୨ ଆସନରୁ ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଛି। କଟକ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ୧୧୧, ଆଠଗଡ଼ରେ ୫୬ ଓ ବାଙ୍କୀରେ ୨୧ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ କଟକ ସଦର-ଜୋନ(୬) ଆସନରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରଭାସିନୀ ଦାସଙ୍କ ଜିଲ୍ଲା ପରିଷଦ ଭୋଟର ତାଲିକାରେ ନାମ ନଥିବାରୁ ଯାଂଚ ସମୟରେ ତାଙ୍କର ପ୍ରାର୍ଥିପତ୍ରକୁ ନାକଚ କରାଯାଇଛି। ସେହିପରି କଂଗ୍ରେସ ଟିକେଟରେ ନିଶ୍ଚିନ୍ତିକୋଇଲି ଜୋନ-୨୮ରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ନିରୂପମା ସାମନ୍ତରାୟଙ୍କର କୌଣସି ପ୍ରସ୍ତାବକ ଓ ସମର୍ଥକ ନଥିବାରୁ ତାଙ୍କର ମଧ୍ୟ ପ୍ରାର୍ଥିପତ୍ର ନାକଚ ହୋଇଛି। ଅନ୍ୟପଟେ ବାରଙ୍ଗ ଜୋନ-୩୨ରୁ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିବା ସନ୍ତୋଷ କୁମାର ମହାପାତ୍ରଙ୍କର ମଧ୍ୟ ଜିଲ୍ଲାପରିଷଦ ଭୋଟର ତାଲିକାରେ ନାମ ନଥିବା ଏବଂ ପ୍ରସ୍ତାବକ ଓ ସମର୍ଥକ ନଥିବାରୁ ତାଙ୍କର ମଧ୍ୟ ପ୍ରାର୍ଥିପତ୍ର ନାକଚ ହୋଇଛି ।

ଆଠଗଡ ଜୋନ-୧ରୁ ବିଜେପି ଟିକେଟରେ ପ୍ରାର୍ଥିପତ୍ର ଦାଖଲ କରିଥିବା ମିନାକ୍ଷୀ ଜେନାଙ୍କ ଦଳ ତାଙ୍କର ଟିକେଟକୁ ପ୍ରତ୍ୟାହାର କରି ନେଇ ଗତକାଲି ଶେଷ ସମୟରେ ନାମାଙ୍କନ ଦାଖଲ କରିଥିବା ସନ୍ତୋଷିନୀ ଜେନାଙ୍କୁ ଦେଇଥିଲା। ଫଳରେ ମିନାକ୍ଷୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିଲା। ସେହିପରି ଆଠଗଡ ଜୋନ-୩ରୁ ବିଜେପିରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା ବିଜୟ କୁମାର ପରିଡାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ଉକ୍ତ ଆସନରୁ ଅନ୍ୟତମ ସ୍ବାଧୀନ ପ୍ରାର୍ଥୀଭାବେ ନାାମାଙ୍କନ ଦାଖଲ କରିଥିବା ସନାତନ ସୂତାରଙ୍କ ମଧ୍ୟ ଭୋଟର ତାଲିକାରେ ନାମ ନଥିବାରୁ ପ୍ରାର୍ଥିପତ୍ର ନାକଚ ହୋଇଥିବା ଉପଜିଲ୍ଲାପାଳ କାର୍ଯ୍ୟାଳୟ  ସୂତ୍ରରୁ ପ୍ରକାଶ। ଫଳରେ ଜିଲ୍ଲାପରିଷଦ ଆସନ ପାଇଁ ୧୮୮ଜଣ ନାମାନଙ୍କନ ଦାଖଲ କରିଥିବା ବେଳେ ଯାଂଚ ପରେ ଏବେ ୧୮୨ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସୂତ୍ରରୁ ପ୍ରକାଶ।  ଅନ୍ୟପଟେ ୨୫ ତାରିଖ ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ୪୬ଟି ଜିଲ୍ଲାପରିଷଦ ଆସନ ପାଇଁ କେତେ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିବେ ତାହା ସ୍ପଷ୍ଟ ହେବ। ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ହାତରୁ ୨ଟି ଆସନ ଖସି ଯାଇଛି ଓ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ନଦେଇ ବାମପନ୍ଥୀ ଦଳର ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି।

ସମ୍ବନ୍ଧିତ ଖବର