ମୁଣ୍ଡରେ ବନ୍ଧୁକ ଲଗାଇ ଭୁଜାଲିରେ ଆକ୍ରମଣ, ସ୍କୁଟି ଲୁଟ୍‌

ଫୁଲନଖରା: ଏକ ଦୈନିକ ଖବରକାଗଜରେ କାର୍ଯ୍ୟରତ ସଦର ଥାନା ଅନ୍ତର୍ଗତ ଉଷୁମା ଗ୍ରାମର ଚନ୍ଦ୍ରମଣି ପରିଡା (୪୫) ଆଜି ସକାଳେ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଳଗାଇ ଭୟଭୀତ କରିବା ସହ ଭୁଜାଲିରେ ଆକ୍ରମଣ କରି ତାଙ୍କ ସ୍କୁୁଟିକୁ ଲୁଟି ନେଇଛନ୍ତି। ଚନ୍ଦ୍ରମଣି ଏକ ନୂଆ ଆକ୍ଟିଭା ସ୍କୁଟିରେ କଟକରୁ ଫେରୁଥିବା ବେଳେ ଜରିପଡ଼ାଠାରେ ଥିବା ଏକ ମଦ ଦୋକାନ ନିକଟରେ ୪/୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେବା ବେଳେ ଅନ୍ୟ ଜଣେ ଏକ ଭୁଜାଲିରେ ଆକ୍ରମଣ କରିଥିଲା। ଏଥିରେ ଚନ୍ଦ୍ରମଣିଙ୍କ ପିଠି, ହାତ ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଏକ କଳା ରଙ୍ଗର ପଲ୍‌ସର ବାଇକରେ ଆସିଥିବା ବେଳେ ଚନ୍ଦ୍ରମଣିଙ୍କ ଆକ୍ଟିଭା ଧରି କଟକ ଆଡ଼କୁ ଚମ୍ପଟ ମାରିଥିଲେ। ଫେରାର ଦୁର୍ବୃତ୍ତଙ୍କୁ ଧରିବାକୁ ସଦର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ସଂଧାନ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର