ପୁରୁଷଙ୍କ ସହ କାନ୍ଧ ମିଳାଇ କରୁଛନ୍ତି ବେପାର, ଉଦାହରଣ ପାଲଟିଛନ୍ତି ମମତା, ଲକ୍ଷ୍ମୀପ୍ରିୟା ଓ ସୁଲୋଚନା

କଟକ: ସମୟ ବଦଳିବା ସହ ବଦଳୁଛି ସହରର ଚିତ୍ର ଓ ଚରିତ୍ର। ଏହି ଚିତ୍ରକୁ ଆହୁରି ଅଧିକ ଦ୍ବିଗୁଣିତ କରିଦେଇଛନ୍ତି ଆଜିର ନାରୀମାନେ। ପୁରୁଷଙ୍କ ସହ ତାଳ ଦେଇ ଦୁଇ ପଇସା ରୋଜଗାର କରି ପୋଷୁଛନ୍ତି ନିଜ ପରିବାର। ଅନ୍ୟଙ୍କ ଉପରେ ନିର୍ଭର ନ କରି ଅଣ୍ଟାରେ ଲୁଗା ଭିଡ଼ି କରୁଛନ୍ତି କାମ। ଜଳଖିଆ, ଦହିବରା ଓ ସସମ୍ତ ଖାଦ୍ୟ ଡେଲିଭରି ଭଳି ବ୍ୟବସାୟ କରୁଛନ୍ତି। କଟକ ଯୋବ୍ରା ଅଞ୍ଚଳର ଲକ୍ଷ୍ମୀପ୍ରିୟା ଜେନା, ଜଗତପୁର ଅଞ୍ଚଳର ସୁଲୋଚନା ସାହୁ, ଶଙ୍କରପୁର ଅଞ୍ଚଳର ମମତା କାଳିଆ ଏବେ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ।

Sambad

ଏ ନେଇ ‌ସେମାନେ କହନ୍ତି

ଛତ୍ରବଜାର ବଳଭଦ୍ରପୁରର ବାସିନ୍ଦା ବିଘ୍ନରଥୀ କଲିଆ(୫୦)ଙ୍କ ପତ୍ନୀ ମମତା କଲିଆ। ବୟସ ୪୦। ଆଜିକୁ ତିନି ବର୍ଷ ହେବ କରୁଛନ୍ତି ରୁଟି ଓ ଅନ୍ୟାନ୍ୟ ଖାଦ୍ୟର ପ୍ରସ୍ତୁତି। ଏଥିପାଇଁ ତାଙ୍କୁ ଆସୁଛି ଢେର୍‌ ଅର୍ଡର। ୨୦୧୬ ମସିହାରୁ ମେଡିକାଲ ‌ରୋଡ୍‌ଠ‌ାରେ କରିଥିଲେ ହୋଟେଲ। ହେଲେ ହୋଟେଲ ଉଚ୍ଛେଦ ହେବା ପରେ ନିଜ ଘରେ ଗତ ତିନିବର୍ଷ ହେବ ଆରମ୍ଭ କରିଛନ୍ତି ଏହି ହୋଟେଲ ବ୍ୟବସାୟ। ନିତିଦିନ ରୁଟି କରିବା ସହ ଚାଉମିନ୍‌, ରୋଲ, ଚିକେନ୍‌, ପରଟା ଓ ଚକୁଳି ଇତ୍ୟାଦି ତିଆରି କରି ବିକ୍ରି କରୁଛନ୍ତି। ଝିଅର ବିବାହ ସରିଥିବା ବେଳେ ହୋଟେଲ ଭାଙ୍ଗିବା ପରେ ବହୁ ସମସ୍ୟା ଉପୁଜିବାରୁ ପୁଅର ପାଠ ପଢ଼ା ସହ ପରିବା ଚଳାଇବା ପାଇଁ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି ସେ। ମୋବାଇଲରେ ଅର୍ଡର ନେଇ ଅଳ୍ପ ସମୟରେ ଖାଦ୍ୟ ଡେଲିଭରି କରୁଛଥାନ୍ତି ସେ। ସ୍ବାମୀ ବିଘ୍ନରଥୀ ମମତାଙ୍କୁ ପ୍ରସ୍ତୁତିରେ ସାହାଯ୍ୟ କରୁଥିବା ବେଳେ ଅର୍ଡର ଡେଲିଭରି ଦେଉଛନ୍ତି ପୁଅ ଅଭିଷେକ। ଲକ୍‌ଡାଉନ୍‌ ସମୟରେ ପ୍ରତ୍ୟେକ ଦିନ ୨ଶହରୁ ଅଧିକ ଅର୍ଡର‌୍ ପାଉଥିଲେ। ସମସ୍ତ ଖର୍ଚ୍ଚ ବାଦ୍‌ ଦୈନିକ ୫ଶହ ଟଙ୍କାରୁ ଅଧିକ ‌ରୋଜଗାର କରୁଛନ୍ତି ‌ସେ। ଆଗାମୀ ଦିନରେ ନିଜ ବ୍ୟବସାୟ ଜାରି ରଖିବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ‌ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି ମମତା।

 

Sambad

କାଠଯୋଡ଼ି ବିହାରର ମୂଳ ବାସିନ୍ଦା ମଙ୍ଗୁଳି ସାହୁଙ୍କ ପତ୍ନୀ ସୁଲୋଚନା। ବୟସ ୪୪ ବର୍ଷ। ଆଜିକୁ ୯ ବର୍ଷ ହେବ ଜଗତପୁର ଆଇବି ରୋଡ୍‌ ନାରାୟଣବିହାରଠାରେ କରିଛନ୍ତି ଏକ ଜଳଖିଆ ଦୋକାନ। ନାମ ରଖିଛନ୍ତି ମା’ ମଙ୍ଗଳା ଟିଫିନ୍‌ ସେଣ୍ଟର୍‌। ସ୍ବାମୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କ ‌ଚିକିତ୍ସା ଓ ପରିବାର ପୋଷିବା ସୁଲୋଚନାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ପରିସ୍ଥିତିରେ ଭାଙ୍ଗି ନପଡ଼ି ନିଜେ ସଞ୍ଚିଥିବା କିଛି ଅର୍ଥ ସହ କିଛି ପଇସା ଉଧାରରେ ଆଣି ମାତ୍ର ୫ଶହ ଟଙ୍କାରେ ଏକ ଠେଲାଗାଡ଼ିରେ ଆରମ୍ଭ କରିଛନ୍ତି ଏହି ଜଳଖିଆ ବ୍ୟବସାୟ। ରାତି ୩ଟାରୁ ପ୍ରସ୍ତୁତି ଆରମ୍ଭ କରି ସକାଳ ୭ଟାରୁ ଦିନ ୧୦ଟା ଯାଏ ଓ ଅପରାହ୍ନ ୪ଟାରୁ ରାତି ୮ଟା ଯାଏ କରିଥାନ୍ତି ବେପାର। ବରା, ଇଟିଲି, ଆଳୁଚପ, ପିଆଜି, ଦହିବରା ପ୍ରଭୃତି ବିକୁଥିବା ବେଳେ ସମସ୍ତ ଜଳଖିଆ ପିଛା ମୂଲ୍ୟ ୨ଟଙ୍କା ରଖିଛନ୍ତି। ତିନୋଟି ପୁଅ ଓ ‌ଗୋଟିଏ ଝିଅର ବାହାଘର ଏହି ଜଳଖିଆ ବ୍ୟବସାୟ ପଇସାରେ କରାଇଛନ୍ତି। ସମସ୍ତ ଖର୍ଚ୍ଚ ବାଦ୍‌ ଦିନକୁ ୫ଶହରୁ ୮ଶହ ଟଙ୍କା ରୋଜଗାର କରିଥାନ୍ତି ସେ। ଶେଷ ପର୍ଯ୍ୟନ୍ତ ଏହି ବେପାର ଜାରି ରଖିବେ ବୋଲି କହିଛନ୍ତି ସୁଲୋଚନା।

Sambad

ବାଲେଶ୍ବର ଜିଲ୍ଲା ବସ୍ତାର ମୂଳ ବାସିନ୍ଦା ସତ୍ୟବାଦୀ ଜେନାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା। ବୟସ ୬୦ ବର୍ଷ। ଯୋବ୍ରା ମଲ୍ଲାସାହିଠାରେ ଆଜିକୁ ୩୦ ବର୍ଷ ହେବ ରହି ଦହିବରା ବ୍ୟବସାୟ କରିଆସୁଛନ୍ତି ସେ। ସ୍ବାମୀ ସତ୍ୟବାନ ଘରକୁ ଘର ବୁଲି ଦହିବରା ବେପାର କରୁଥିଲେ। ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ଆଜିକୁ ୨୫ ବର୍ଷ ହେବ ମଲ୍ଲାସାହି ଶନି ମନ୍ଦିର ସମ୍ମୁଖରେ ଏକ ଠେଲାଗାଡ଼ିରେ ଦହିବରା ଦୋକାନ କରି ପରିବାର ଚଳାଇ ଆସୁଛନ୍ତି ଲକ୍ଷ୍ମୀପ୍ରିୟା। ଦହିବରା ସହ ତାଙ୍କ ପ୍ରସ୍ତୁତ ସ୍ବତନ୍ତ୍ର ଘୁଗୁନି ଖାଇବାକୁ ଲୋକଙ୍କ ଭିଡ଼ ଜମେ। ଦର ପ୍ଲେଟ ପିଛା ୨୦ଟଙ୍କା। ଘୁଗୁନିରେ ଘରୋଇ ମସଲା ବ୍ୟବହାର କରୁଥିବାରୁ ଏହାକୁ ଲୋକେ ମଧ୍ୟ ଖୁବ୍‌ ମାତ୍ରାରେ ପସନ୍ଦ କରୁଛନ୍ତି। ସ୍ବାମୀଙ୍କ ସହାୟତାରେ ବେପାର କରି ତିନିଝିଅଙ୍କୁ ପାଠ ପଢ଼ାଇବା ସହ ଦୁଇ ଝିଅଙ୍କର ବାହାଘର କରି ସାରିଲେଣି। ବହୁ ସଂଘର୍ଷ କରି ମୋ ସ୍ବାମୀ ଆରମ୍ଭ କରିଥିଲେ ଏହି ବ୍ୟବସାୟ। ବେପାର ସମୟରେ ଏବେ ସେ ହିଁ ମୋ‌ତେ ସାହାଯ୍ୟ କଣୁଛନ୍ତି। ଗ୍ରାହକମାନେ ଆମ ଦହିବରା ଘୁଗୁନିକୁ ବହୁତ ପସନ୍ଦ କରୁଛନ୍ତି, ଦୋକାନ ଖୋଲିବା ପୂର୍ବରୁ ଅପେକ୍ଷା କରି ରହୁଛନ୍ତି। ‌ତାହା ଦେଖି ବହୁତ ଖୁସି ଲାଗିଥାଏ ବୋଲି କହିଛନ୍ତି ଲକ୍ଷ୍ମୀପ୍ରିୟା।

ସମ୍ବନ୍ଧିତ ଖବର