ଗୋଟିଏ ମେସେଜରେ ଆକାଉଣ୍ଟରୁ ୪୯ହଜାର ଗାଏବ

ବେଲଗୁଣ୍ଠା: ସାଇବର ଠକଙ୍କ ଟାର୍ଗେଟରେ ଗ୍ରାମୀଣ ଯୁବକ | ‘ଏହି ନମ୍ବରକୁ କଲ କରନ୍ତୁ, ନଚେତ ୪୮ ଘଣ୍ଟା ଭିତରେ ବ୍ଲକ ହୋଇଯିବ ବିଏସ୍ଏନ୍ଏଲ୍ ସିମ୍’ କିଛି ଏଭଳି ମେସେଜ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ବୁଲୁ ବିଶ୍ୱାଳଙ୍କ ପାଖକୁ ଆସିଥିଲା | ଆଉ ମେସେଜ ଆସିବା ପରେ ସିମ କାଳେ ବ୍ଲକ ହୋଇଯିବ ଭାବି ବୁଲୁ ସେହି ନମ୍ବରକୁ କଲ କରିଥିଲେ । ଆଉ ସେପଟୁ କୁହାଯାଇଥିଲା ଯେ ଅମୁକ ଆପ ଡାଉନଲୋଡ କରନ୍ତୁ, ବୁଲୁ ଆପ ଡାଉନଲୋଡ଼ କରିବାରୁ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୪୯ ହଜାର ଟଙ୍କା | ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |

ମିଳିଥିବା ସୂଚନା ଅନୁସାରେ, ବେଲଗୁଣ୍ଠାର ବୁଲୁ ବିଶ୍ବାଳଙ୍କ ମୋବାଇଲକୁ ଗତକାଲି ଏକ ଅଜଣା ନମ୍ବର (୯୮୮୩୭୬୪୪୩୯) ରୁ ମେସେଜ ଆସିଥିଲା। ୪୮ ଘଣ୍ଟା ଭିତରେ ତାଙ୍କ ବିଏସ୍ଏନ୍ଏଲ୍ ସିମ୍ ବ୍ଲକ ହୋଇଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଆଉ ଉକ୍ତ ନମ୍ବର ସହ ତୁରନ୍ତ ଯୋଗାଯୋଗ କରି ସିମ୍ ଆକ୍ଟିଭ କରିବାକୁ ଲେଖାଯାଇଥିଲା। ବୁଲୁ ସଙ୍ଗେ ସଙ୍ଗେ ତାଙ୍କ ଶାଳକ ତଥା ଚଢ଼ିଆପୋଲ୍ଲୀ ଗ୍ରାମର ଦୀପକ ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଦୀପକ ଉକ୍ତ ଅଜଣା ନମ୍ବରକୁ କଲ କରିଥିଲେ। ଜଣେ ବ୍ୟକ୍ତି ହିନ୍ଦୀ ଓ ବଙ୍ଗାଳୀ ଭାଷାରେ କଥା ହେବା ସହ ବିଏସ୍ଏନ୍ଏଲ୍ କ୍ୱିକ ଆପ୍ ଡାଉନଲୋଡ କରିବା ପାଇଁ କହିଥିଲାI ଆପ୍ ଡାଉନଲୋଡ କରିବା ପରେ ପୁଣି ଏକ ମୋବାଇଲ ସେୟାରିଙ୍ଗ ଆପ୍ ଇନଷ୍ଟଲ କରିବା ଓ ସିମରେ ୧୦ ଟଙ୍କାର ଏକ ରିଚାର୍ଜ କରିବା ପାଇଁ କହିଥିଲା।

ଦୀପକ ସଙ୍ଗେ ସଙ୍ଗେ ୧୦ଟଙ୍କାର ରିଚାର୍ଜ କରିଥିଲେ। ଏହାର କିଛି ସମୟ ପରେ ଅର୍ଥାତ, ମଙ୍ଗଳବାର ଅପରାହଣ ଗୋଟାଏ ୩୬ ମିନିଟରେ ଦୀପକଙ୍କ ଆଇଓବି ବ୍ୟାଙ୍କ ବେଲଗୁଣ୍ଠା ଶାଖା ଆକାଉଣ୍ଟରୁ ୪୯ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଦୀପକ ବ୍ୟସ୍ତବିବ୍ରତ ହୋଇ ଆକାଉଣ୍ଟରେ ଥିବା ବାକି ୫୯ହଜାର ୯୦୦ ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ଟଙ୍କା ଗାଏବ ନେଇ ଦୀପକ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମିଳିଛି ଯେ, ଏଇଭଳି ଅନ୍ୟ ଏକ ଘଟଣା ଗତ ଏକ ସପ୍ତାହ ମଧ୍ୟରେ ବେଲଗୁଣ୍ଠା ଅଞ୍ଚଳରେ ହୋଇଥିଲା। କିଛି ଦିନ ତଳେ ବଲାଡ଼ି ଗ୍ରାମର ସୁଦାମ ନାୟକଙ୍କୁ ଏକ ଅଜଣା ଫୋନ କଲ ଆସିଥିଲା। ଫୋନ କଲର କିଛି ସମୟପରେ ସୁଦାମ ନାୟକଙ୍କ ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ଅକାଉଣ୍ଟରୁ ୧.୫୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ବେଲଗୁଣ୍ଠା ଅଞ୍ଚଳରେ ଏଭଳି ଘଟଣା ଘଟୁଥିବାରୁ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର