ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ୧୯୬୧ରେ ଆସିଥିଲେ କଟକ

୧୯୬୧, ଜାନୁଆରି ୧୨ ତାରିଖ। ସେଦିନ ସନ୍ଧ୍ୟା ପ୍ରାୟ ୫ଟା ୩୦ ବେଳେ କଟକ ଶେଖ୍‌ବଜାରସ୍ଥିତ ଦୁର୍ଗାଘର ନିକଟରେ ପ୍ରତିଷ୍ଠିତ ବିଲଡର୍‌ ଧୀରେନ୍ଦ୍ରନାଥ ସୁରଙ୍କ ଘରକୁ ଆସିଥାନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକମାତ୍ର କନ୍ୟା ଅନୀତା ବୋଷ୍‌ ଓ ସୁଭାଷଙ୍କ ବଡ଼ ଭାଇଙ୍କ ପୁଅ ପ୍ରଦୀପ ବୋଷ। ଧୀରେନ୍ଦ୍ରନାଥ ଥିଲେ ସେହି ସମୟରେ ସହରର ଜଣେ ପ୍ରତିଷ୍ଠିତ ବିଲଡର‌୍‌। ତାଙ୍କ ଆଇନଜୀବୀ ଥା’ନ୍ତି ନେତାଜୀଙ୍କ ବାପା ଆଇନଜୀବୀ ଜାନକୀନାଥ ବୋଷ। ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିବା କୁହାଯାଏ। ସେହି ସମ୍ପର୍କ ସୂତ୍ରରେ ଅନୀତା ରାତ୍ରୀଭୋଜନ ପାଇଁ ଧୀରେନ୍ଦ୍ରଙ୍କ ଘରକୁ ଆସିଥାନ୍ତି।

ରାତି ପ୍ରାୟ ୯ଟା ଯାଏ ଧୀରେନ୍ଦ୍ରଙ୍କ ପରିବା ସହିତ ଉଭୟ କିଛି ସମୟ ଅତିବାହିତ କରିଥିଲେ। ଧୀରେନ୍ଦ୍ର କିଣିଥିବା ଏକ ଦାମୀ ସମ୍ବଲପୁରୀ ଶାଢ଼ି ଏବ˚ ବଡ଼ ଜଗନ୍ନାଥ ମୂର୍ତ୍ତୀ ଅନୀତାଙ୍କୁ ଉପହାର ସ୍ବରୂପ ଦେଇଥିଲେ। ସେହି ଘରେ ହିଁ ଅନିତାଙ୍କୁ ଉକ୍ତ ଶାଢ଼ି ଧୀରେନ୍ଦ୍ରଙ୍କ ବଡ଼ ଝିଅ ଲିଲି ସୁର‌୍‌ ଏବ˚ ମଝିଆ ଝିଅ ମିଲି ସୁର‌୍‌ ପିନ୍ଧାଇ ଦେଇଥିଲେ। ଡ୍ରଇ˚ ରୁମ୍‌ରେ ପ୍ରାୟ ୩ ଘଣ୍ଟା କାଳ ଧୀରେନ୍ଦ୍ରଙ୍କ ସହିତ ସୁଭାଷଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

ସେଦିନ ରାତ୍ରୀଭୋଜନରେ ପଲଉ, ମଟନ୍‌, ରାବିଡ଼ି, ମିଠା, ଚିଙ୍ଗୁଡ଼ି, ଭେକ୍‌ଟି ମାଛ, କଟଲେଟ୍‌, ଫିସ୍‌ ଚପ୍‌ ଭଳି ପ୍ରାୟ ୧୦ରୁ ୧୫ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ରାତି ପ୍ରାୟ ୯ଟା ବେଳକୁ ଅନୀତା ଏବ˚ ପ୍ରଦୀପଙ୍କୁ ଏକ କାର‌୍‌ରେ ଧୀରେନ୍ଦ୍ର କଟକ ରେଳ ଷ୍ଟେସନରେ ଛାଡ଼ିଥିଲେ। ସେତେବେଳକୁ ଓଡ଼ିଶାରେ ବିମାନବନ୍ଦର ନଥାଏ। କଲିକତାରୁ କଟକ ଚାଲୁଥିବା ଏକ ମାତ୍ର ଟ୍ରେନ୍‌ ‘ପୁରୀ ଏକ୍ସପ୍ରେସ୍‌’ ରେ ଉଭୟ ଘରକୁ ଫେରିଯାଇଥିଲେ।

ସମ୍ବନ୍ଧିତ ଖବର