ଶିକାରୀଙ୍କ ଉଦ୍ୟମ ବିଫଳ; ଉଦ୍ଧାର ହରିଣକୁ ଅଭୟାରଣ୍ୟରେ ଛାଡ଼ିଲା ବନ ବିଭାଗ

ନୂଆପଡ଼ା: ଶିକାରୀଙ୍କ ଉଦ୍ୟମ ବିଫଳ ହୋଇଛି । ବନ ବିଭାଗ ଏକ ବାଟବଣା ହରିଣକୁ ଉଦ୍ଧାର କରି ଅଭୟାରଣ୍ୟରେ ଛାଡ଼ିଛି । ସୂଚନା ଅନୁସାରେ, ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରୁ ଏକ ବାଟବଣା ହରିଣ ଖାଇରଭାଡ଼ି ଗାଁ ଭିତରକୁ ପଶି ଆସିଥିଲା । କୋମନା ବନ୍ୟ ପ୍ରାଣୀ ବିଭାଗ ହରିଣକୁ ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟ ଭିତରେ ଛାଡି ଦେଇଛି ।

ଆଜି ସକାଳେ ସୁନାବେଡା ଅଭୟାରଣ୍ୟର ଏକ ହରିଣ ଖାଦ୍ୟ ଅନ୍ଵେଷଣରେ ଜଙ୍ଗଲ ତଳି ଅଞ୍ଚଳକୁ ଚାଲିଆସିଥିଲା। ସେଠାରେ ବାଟବଣା ହୋଇ ଖାଇରଭାଡ଼ି ଗାଁ ଭିତରକୁ ପଶି ଯାଇଥିଲା। ତେବେ ଗାଁ ଲୋକମାନେ ହରିଣଟିକୁ ଶିକାର କରିବା ପାଇଁ ଉଦ୍ୟମ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚିଥିଲା। କୋମନା ରେଞ୍ଜର ଜଗଦୀଶ ଦୁରିଆଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ ଗାଁରେ ପହଞ୍ଚି ହରିଣକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ହରିଣକୁ କୋମନା ବନ ବିଭାଗ କାର୍ଯ୍ୟାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ । ମଧ୍ୟାହ୍ନରେ ହରିଣ ସୁସ୍ଥ ହେବା ପରେ ସୁନାବେଡା ଅଭୟାରଣ୍ୟ ନିକଟରେ ନେଇ ଛାଡି ଦେଇଥିଲେ । ବନ୍ୟପ୍ରାଣୀ ୱାଡେନ ମାୟାଧର ସରାଫ, ଫରେଷ୍ଟର ଦୁର୍ଯୋଧନ ଦୀକ୍ଷିତ ଏବଂ ଜୟଲାଲ ଶୁକ୍ଳା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର