ଠିପି ଖୋଲା ମଦ ଦୋକାନ ବନ୍ଦ କରିବାକୁ ମହିଳା ସଂଘର ଦାବି

ଖୋର୍ଦ୍ଧା: ସଂପ୍ରତି ପ୍ରଶାସନ ପକ୍ଷରୁ ଅନେକ ସ୍ଥାନରେ ଠିପି ଖୋଲା ମଦ ଦୋକାନ ଓ ବାର୍ ପାଇଁ ଅନୁମତି ଦିଆଯାଉଛି । ତେବେ ଏଥିରେ ଖୋଦ୍ ସରକାର କରିଥିବା ନିୟମର ଖୋଲା ଉଲ୍ଲଂଘନ ହେଉଛି । କିଛି ଦିନ ପୂର୍ବେ ଏଭଳି ଅବିଚାରିତ ଅନୁମତି ପ୍ରଦାନକୁ ବିରୋଧ କରି କଳିଙ୍ଗ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଆଜି ବାଲିପାଟଣା ଶରିପୁର ଛକ ଠାରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ପ୍ରଶାସନର ଅନୁମତିକୁ ବିରୋଧ କରି ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ମଧ୍ୟାହ୍ଣରେ ୩୦ରୁ ଉଦ୍ଧ୍ୱର୍ ମହିଳା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ଏକ ଦାବିପତ୍ର ଦେଇଛନ୍ତି ।

ଏନେଇ ଅଠାନ୍ତର ପଂଚାୟତସ୍ତରୀୟ ମହିଳା ମହାସଂଘର ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ଓ ସମ୍ପାଦିକା ଲକ୍ଷ୍ମିପ୍ରିୟା କହିଛନ୍ତି ଯେ, ଗାଁରେ ପୂର୍ବରୁ କେବେ ମଦ ଦୋକାନ ହୋଇନଥିଲା । ମଦ ଦୋକାନ ଖୋଲିବା ଦ୍ୱାରା ଗାଁର ପରିବେଶ ନଷ୍ଟ ହେବ ଓ ଯୁବପିଢ଼ି ନିଶାର ଶିକାର ହେବେ । ଏହା ସହ ପ୍ରମୁଖ ରାସ୍ତା କଡ଼ରେ ଥିବାରୁ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଓ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇବ । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଅବକାରୀ ବିଭାଗ ପକ୍ଷରୁ ଚଳିତ ବର୍ଷ ଏପ୍ରିଲ୍ ୨୮ ତାରିଖରେ ଶରିପୁର ଛକ ଠାରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହାକୁ ବିରୋଧ କରି ସ୍ଥାନୀୟ ଅଠାନ୍ତର ଗ୍ରାମବାସୀ ଓ ମହିଳାମାନେ ଜିଲ୍ଳାପାଳ ଓ ଅବକାରୀ ବିଭାଗକୁ ଦାବିପତ୍ର ଦେଇଥିଲେ । ଏପରିକି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରଶାସନ ଏହି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ଏହାସତ୍ୱେ ଗ୍ରାମର ଲୋକଙ୍କ ବିନା ଅନୁମତିରେ ଚଂଚକତା କରି ଅନୁମତି ପ୍ରଦାନ କରିଥିଲେ । ଏହାର ପ୍ରତିବାଦରେ ପୁଣିଥରେ ଚଳିତ ମାସ ୩ ଓ ୪ ତାରିଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ । ଏହି ସମୟରେ ଉକ୍ତ ମଦ ଦୋକାନର ମାଲିକ ଗୁଣ୍ଡା ଲଗାଇ ସେମାନଙ୍କୁ ଆକ୍ରମଣ କରିବା ସହ ଭୟଭୀତ କରିଥିଲେ । ପ୍ରତିକ୍ରିୟା ବୃଦ୍ଧି ପାଇବାରୁ ପୁଲିସ ଆସି ମଦ ଦୋକାନ ସ୍ଥାନାନ୍ତର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ସତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯଦି ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନ ନିଏ ତେବେ ଆସନ୍ତା ୧୮ ତାରିଖରେ ସରଦେଇପୁର- ନିମାପଡ଼ା ରାସ୍ତାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବେ ।

ସମ୍ବନ୍ଧିତ ଖବର