ଚିକିତ୍ସାଧୀନ ମାଈହାତୀ ମୃତ

ଦେବଗଡ଼: ରବିବାର ସକାଳେ ଦେବଗଡ଼ ବନଖଣ୍ଡ ଓ ଦେବଗଡ଼ ବନାଞ୍ଚଳର କଂସର ସେକ୍ସନ୍‌ ଅନ୍ତର୍ଗତ ହିରଣ ଗ୍ରାମରେ ଚିକିତ୍ସାଧୀନ ଥିବା ଗୋଟାଏ ମାଈହାତୀର ମୃତ୍ୟୁ ଘଟିଛି।

ଦେଢ଼ମାସ ଧରି ଚିକିତ୍ସାଧୀନ ଥିବା ହାତୀଟି ସାମାନ୍ୟ ସୁସ୍ଥ ହେବା ପରେ ତା’ର ୩ ମାସର ଛୁଆକୁ ନେଇ ବୁଧବାର ରାତିରେ ବାମରା ବନଖଣ୍ଡ ଅଞ୍ଚଳର ଖଳାଣୁଣି ଓ୍ଵାଇଲ୍‌ଡ୍‌ଲାଇଫ୍‌ ବନାଞ୍ଚଳକୁ ଫେରିଯାଉଥିଲା। କିନ୍ତୁ ହିରନ ଗାଁରୁ ପାହାଡ଼ ରାସ୍ତାରେ ମାତ୍ର ତିନି ଶହ ମିଟର ଦୂରକୁ ଯାଇ ଗୋଟାଏ ଗାତରେ ପଡ଼ିଯାଇଥିଲା। ବନବିଭାଗ ଓ ହିରଣ ଗ୍ରାମବାସୀଙ୍କ ଯଥେଷ୍ଟ ଉଦ୍ୟମ ପରେ ମଧ୍ୟ ହାତୀଟି ଆଉ ଗାତରୁ ଉଠି ପାରି ନ ଥିଲା। ଏପ୍ରିଲ୍‌ ୨୫ ତାରିଖରେ ଶିମିଳିପାଳସ୍ଥିତ ସ୍ୱତନ୍ତ୍ର ବ୍ୟାଘ୍ର ପ୍ରକଳ୍ପରେ କାର୍ଯ୍ୟରତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା କଦଳୀ ମଧ୍ୟରେ ବଟିକା ପୂରାଇ ହାତୀଟିକୁ ଖାଇବାକୁ ଦିଆଯାଇଥିଲା। କିନ୍ତୁ, ତା’ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ହୋଇ ନ ଥିଲା।

ତିଲେଇବଣି ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାକୁ ଯାଇ ତା’ର ଚିକିତ୍ସା ଆରମ୍ଭ କରିଥିଲେ।
ଆଜି ସେ ଅସୁସ୍ଥ ହାତୀର ମୃତ୍ୟୁ ଘଟିଛି। ଖବର ପାଇ ଦେବଗଡ଼ ଓ ବାମରା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର