ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ସମୟରେ ନାଟମଣ୍ଡପ ଉପରୁ ଚୁନ ଛେଲା ଖସି ମହିଳା ଭକ୍ତଙ୍କ ମୁଣ୍ଡ ଫାଟିଲା

ପୁରୀ: ଶୁକ୍ରବାର ଅପରାହ୍ନରେ ଶ୍ରୀଜିଉଙ୍କ ଦର୍ଶନ କରୁଥିବା ସମୟରେ ଜଣେ ମହିଳା ଭକ୍ତ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି, ବାଙ୍କୀ ଦାମପଡ଼ାର ବାସନ୍ତୀ ରାଉତ ।

ସୂଚନାଯୋଗ୍ୟ, ଆଜି ବାଙ୍କୀରୁ ବାସନ୍ତୀ ରାଉତ ତାଙ୍କ ପରିବାରଲୋକଙ୍କ ସହିତ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଆସିଥିଲେ। ନାଟମଣ୍ଡପ ନିକଟରେ ଛିଡା ହୋଇ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ସମୟରେ ହଠାତ୍‌ ନାଟମଣ୍ଡପ ଉପରୁ ଏକ ଚୁନ ଛେଲା ଖସି ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। କ’ଣ ହେଲା ବୋଲି ସେ ଜାଣି ନ ପାରି ମୁଣ୍ଡକୁ ଧରି ତଳେ ବସି ପଡ଼ିଥିଲେ। ତାଙ୍କ ମୁଣ୍ଡଫାଟି ରକ୍ତ ବୋହିବା ଦେଖି ପରିବାରଲୋକ ବିଚଳିତ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ଧରାଧରି କରି ବାହାରକୁ ଅଣାଯାଇଥିଲା। ମନ୍ଦିର ପରିସରରେ ଥିବା ପୁଲିସକୁ ଏନେଇ ଜଣାଇବା ପରେ, ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର