ମୟୂରଭଞ୍ଜରେ ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ଆଶା ଉଜ୍ଜ୍ବଳ,  ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାରିପଦା : ମୟୂରଭଞ୍ଜରେ ମେଡିକାଲ୍ ଅମ୍ଳଜାନ ପ୍ଲାଣ୍ଟ୍ ସ୍ଥାପନା ନେଇ ଆଶା ଉଜ୍ଜ୍ବଳ ହୋଇଛି। ଆଜି ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ମୟୂରଭଞ୍ଜ ଭଳି ଏକ ବୃହତ୍ ଜିଲ୍ଲାରେ ଦୁଇଟି ପ୍ରେସର୍ ସ୍ବିଙ୍ଗ୍ ଆଡଜର୍ପସନ୍(ପିଏସଏ) ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ୍ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହି ସମୟୋଯୋଗୀ ପଦକ୍ଷେପ ବଳରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସଂଖ୍ୟାଧିକ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟଯେ ମୟୂରଭଞ୍ଜର ବାରିପଦା ଏବଂ ରାଇରଙ୍ଗପୁରରେ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ନେଇ ଯଶୀପୁର ବିଧାୟକ ଗଶେଶରାମ ସିଂଖୁଣ୍ଟିଆ ଏବଂ ବଡ଼ସାହି ବିଧାୟକ ସନାତନ ବିଜୁଳି ପତ୍ର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରିଥିଲେ। ଏହି ଦୁଇ ବିଜେପି ବିଧାୟକଙ୍କ ସହିତ ପୂର୍ବତନ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ଅନୁରୋଧ କରିଥିଲେ। ବର୍ତ୍ତମାନ ସମୟରେ ମୟୂରଭଞ୍ଜରେ କରୋନା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଜିଲ୍ଲାର ଏକମାତ୍ର କୋଭିଡ୍ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ୍ ଅଭାବରୁ ରୋଗୀ ମୃତ୍ୟୁ ଭଳି ଖବର ଆସିବାରେ ଲାଗିଛି। ତେଣୁ ଏପରି ସମୟରେ ଜିଲ୍ଲାରେ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ୍ର ବ୍ୟବସ୍ଥା ହୋଇପାରିଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର