ଆଠଗଡ଼ରୁ ମିଆଁମାର ବଜ୍ରକାପ୍ତା ପଠାଇ ରୋଜଗାର କରୁଥିଲେ ଲକ୍ଷାଧିକ ଟଙ୍କା, ଚଢ଼ାଉ କରି ୮ ଜଣଙ୍କୁ ଗିରଫ କଲା ବନ ବିଭାଗ

ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ବନ ବିଭାଗ ବଜ୍ରକାପ୍ତା ଚାଲାଣ କରିବା ଅଭିଯୋଗରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ରବିବାର ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଶ୍ୱଶୁର ଓ ଜ୍ୱାଇଁ ମଧ୍ୟ ସାମିଲ ଅଛନ୍ତି। ବନ ବିଭାଗର କର୍ମଚାରୀମାନେ ସଂପୃକ୍ତ ଅଭିଯୁକ୍ତଙ୍କ ଘରେ ଅତର୍କିତ ଭାବେ ଚଢ଼ାଉ କରି ଗିରଫ କରିଛନ୍ତି।

ସୂଚନା ଅନୁସାରେ ଅଭିଯୁକ୍ତମାନେ ବଜ୍ରକାପ୍ତା ଆଠଗଡ଼ ଅଞ୍ଚଳରୁ ବାରିପଦା ଦେଇ ମିଆଁମାରକୁ ଚାଲାଣ କରୁଥିଲେ। ଚଢ଼ାଉ ବେଳେ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ ହୋଇଛି। ଅଭିଯୁକ୍ତମାନେ ଏହି କଳା ବେପାର ପାଇଁ ଇଣ୍ଟରନେଟ ଓ ହ୍ଵାଟସ୍‌ଅପ୍‌କୁ ମାଧ୍ୟମ କରିଥିଲେ। ଏମାନେ କିଛି ଦିନ ତଳେ ଏକ ବଜ୍ରକାପ୍ତାକୁ ୮ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ବୋଲି ଜଣାପଡ଼ିଛି।

କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ବଜ୍ରକାପ୍ତା ଓ ଏହାର କାତି ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଗଣମାଧ୍ୟମର ଖବରରୁ ଜଣାପଡ଼ିଛି। ଓଡ଼ିଶା ବାହାରେ ବଜ୍ରକାପ୍ତା ଓ ଏହାର କାତିର ଚାହିଦା ରହିଛି। ବଜ୍ରକାପ୍ତାର କାତିରୁ ବହୁ ମୂଲ୍ୟବାନ ଜିନିଷ ଓ ଔଷଧ ପ୍ରସ୍ତୁତ ହେଉଛି। ତେଣୁ କିଛି ଅସାମାଜିକ ବ୍ୟକ୍ତି ଏହି ଦୁର୍ଲଭ ଜନ୍ତୁକୁ ବଣ ପାହାଡ଼ରୁ ଧରି ଚାଲାଣ କରୁଛନ୍ତି।

ସମ୍ବନ୍ଧିତ ଖବର