ପୁଣି ହାତୀ ଉପଦ୍ରବ; କବାଟଘାଟି ଆଶ୍ରମ ସ୍କୁଲ ହଷ୍ଟେଲରେ ପଶିଲେ

ଅଳ୍ପକେ ବର୍ତ୍ତିଲେ ୨୬୩ ଜଣ ଅନ୍ତେବାସୀ

ଜଳେଶ୍ଵର/ଓଲମରା: ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ୩ଟି ହାତୀ କବାଟଘାଟି ଆଶ୍ରମ ସ୍କୁଲରେ ପଶି ଫାଟକ, ଝରକା ଓ ଖଟ ଭାଙ୍ଗିଛନ୍ତି। ଅନ୍ୟପଟେ ୨୬୩ ଜଣ ଅନ୍ତେବାସୀ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ହାତୀମାନେ ନିକଟସ୍ଥ ଗ୍ରାମରେ ପଶି ସେଠାରେ ଘର ଭାଙ୍ଗିଥିବା ମଧ୍ୟ ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ଅଧୀନ କିଆଖାଳି ଜଙ୍ଗଲରେ ଥିବା ୩ଟିକିଆ ହାତୀପଲ ଗତକାଲି ରାତିରେ ରାଇବଣିଆ ଲୁହାପଡ଼ା ଜଙ୍ଗଲରେ ପ୍ରବେଶ କରିଥିଲେ। ବନ ବିଭାଗ ଦ୍ବାରା ଖୋଳାଯାଇଥିବା ଟ୍ରେଞ୍ଚକୁ ସେମାନେ ଖାତର କରି ନଥିଲେ। ହାତୀମାନେ କବାଟଘାଟି ଆଶ୍ରମ ସ୍କୁଲରେ ପହଞ୍ଚିଥିଲେ। ସେଠାରେ ସ୍କୁଲର ମୁଖ୍ୟ ଫାଟକ ଏବଂ ଛାତ୍ରାବାସର ୪ଟି ଝରକା ଭାଙ୍ଗିଥିଲେ। ଦଳରେ ଥିବା ଗୋଟିଏ ଛୁଆହାତୀ ହଷ୍ଟେଲ ଭିତରରେ ପଶିଥିଲା। ଶୋଇଥିବା ଅନ୍ତେବାସୀ ମାନେ ଭୟଭୀତ ହୋଇ କୋଠରୀର ପଛପଟେ ଥିବା ଏକ କବାଟ ଦେଇ ବାହାରକୁ ବାହାରି ଆସିଥିଲେ।

Sambad

ଫଳରେ ସେମାନଙ୍କ ଜୀବନ ବଞ୍ଚିଯାଇଥିଲା। ତେବେ ହାତୀଟି ହଷ୍ଟେଲ ଭିତରେ ଥିବା ଖଟ ଗୁଡ଼ିକୁ ଶୁଣ୍ଢରେ କଚାଡ଼ି ଭାଙ୍ଗିଦେଇଥିଲା। ସେହିପରି ନିକଟରେ ଛାତ୍ରୀ ନିବାସ ଥିବା ବେଳେ ସେଠାରେ ରହୁଥିବା ୬୪ ଜଣ ଛାତ୍ରୀ ମଧ୍ୟ ବର୍ତ୍ତି  ଯାଇଥିବା କୁହାଯାଇଛି। ଆଶ୍ରମ ସ୍କୁଲରେ ହାତୀ ପଶିଥିବା ଖବର ପାଇ ବନ ବିଭାଗର ପଦାଧିକାରୀ ଏବଂ ସ୍ଥାନୀୟ ସବୁଜ ବାହିନୀର କର୍ମକର୍ତ୍ତା ମାନେ ପହଞ୍ଚିଥିଲେ। ସେମାନେ ହାତୀ ଗୁଡ଼ିକୁ କାଲାଯୋଡ଼ି ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ। ଯାହାକୁ କାଲାଯୋଡ଼ି ଗ୍ରାମବାସୀ ବିରୋଧ କରିଥିଲେ। ଘଉଡ଼ାଇବା ଫଳରେ ହାତୀ ମାନେ ଉତ୍ତ୍ୟକ୍ତ ହୋଇ କାଲାଯୋଡ଼ି ଗ୍ରାମର କାଳୀଚରଣ ମହାନ୍ତ, ଗଡ଼ଭିତର ଗାଁର ଲକ୍ଷ୍ମୀପ୍ରିୟା ବେହେରା ଓ କବାଟଘାଟି ଗାଁର ଜିତେନ ଟୁଡୁଙ୍କ ମୋଟ ୪ଟି ଘର ଭାଙ୍ଗିଥିବା ଜଣାପଡ଼ିଛି। ଆଜି ରାଇବଣିଆ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସନ୍ଦୀପ ନାରାୟଣ ଘୋଷ କବାଟଘାଟି ସ୍କୁଲ ପରିଦର୍ଶନ କରିଛନ୍ତି। ସେ କ୍ଷୟକ୍ଷତି ବାବଦରେ ବନ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ହାତୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବାଲେଶ୍ଵର ଡିଏଫ୍‌ଓଙ୍କ ନିକଟରେ ଦାବି କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର