ମହାମାରୀ ଛଡ଼ାଇ ନେଲା ମାହାଙ୍ଗାର ତିନି ରତ୍ନଙ୍କୁ

ଧୋତି ପିନ୍ଧା ରାଜନୀତି ଯୁଗର ଅବସାନ

କଟକ: ମହାମାରୀ ଛଡାଇ ନେଲା ମାହାଙ୍ଗାର ତିତି ଜଣ ରତ୍ନଙ୍କୁ। ‌ମାତ୍ର ୯ ମାସ ବ୍ୟବଧାନରେ ଚାଲିଗଲେ ମାହାଙ୍ଗାର ତିନି ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସେକ୍‌ ମତଲୁବ ଅଲ୍ଲୀ, ପୂର୍ବଚନ ବାଚସ୍ପତି, ସାଂସଦ, ପୂର୍ବତନ ମନ୍ତ୍ରୀ ବାଗ୍ମୀ ଶରତ କର ଓ ଗାନ୍ଧୀବାଦୀ ନେତା ବିକ୍ରମ କେଶରୀ ବର୍ମା। ଏହି ତିନି ନେତାଙ୍କ ପରଲୋକରେ ଏକ ରାଜନୈତିକ ଯୁଗର ଅବସାନ ଘଟିଛି। ମାହାଙ୍ଗାରେ ଧୋତିପିନ୍ଧା ରାଜନୀତିର ଯୁଗ ଶେଷ ହୋଇଗଲା, ଆଉ ଏଭଳି ରାଜନେତା ମିଳିବେନି ବୋଲି ଚର୍ଚ୍ଚା ହେଉଛି। କରୋନାର ପ୍ରଥମ ଲହରରେ ପ୍ରଥମେ ପୂର୍ବତନ ମନ୍ତ୍ରୀ ବିଶିଷ୍ଟ କଂଗ୍ରେସ ନେତା ସେକ୍‌ ମତଲୁବ ଅଲ୍ଲୀଙ୍କର ୨୦୨୦, ସେପ୍ଟେମ୍ବର ୨୪ ତାରିଖରେ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ତାର ଠିକ୍‌ ୧୯ଦିନ ପରେ ଆଖି ବୁଜିଥିଲେ ତାଙ୍କ ପାରଂପରିକ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ତଥା ରାଜ୍ୟ ରାଜନୀତିରେ ଜଣେ ବାଗ୍ମୀ ରାଜନେତା ଭାବେ ପରିଚିତ ପୂର୍ବତନ ବାଚସ୍ପତି, ସାଂସଦ, ପୂର୍ବତନ ମନ୍ତ୍ରୀ ଶରତ କର।

ଏହି ତିନି ନେତାଙ୍କ ମଧ୍ୟରେ ଏକ ସାମଞ୍ଜସ୍ୟ ଥିଲା। ସମସ୍ତେ ଥିଲେ ଶିକ୍ଷାବିତ ତଥା ସାହିତ୍ୟ ଓ ସଂସ୍କୃତିପ୍ରେମୀ।
ମତଲୁବ ଅଲ୍ଲୀ ପ୍ରଥମେ ସାଲେପୁର କଲେଜରେ ଅଧ୍ୟାପନା କରିବା ସହ ଜୟପୁରଠାରେ ଆକାଶବାଣୀର ଘୋଷକ ରୂପେ କାର୍ଯ୍ୟ କରିଥିଲେ। ଏହାପରେ ୧୯୬୪ ମସିହା ବେଳକୁ ଯୁବ କଂଗ୍ରେସ ରାଜନୀତିରେ ପ୍ରବେଶ କରି ସଫଳ ମଧ୍ୟ ହୋଇଥିଲେ। ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ୧୯୭୪,୧୯୮୦, ୧୯୮୫ ଓ ୧୯୯୫ ନିର୍ବାଚନରେ ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ବିଧାୟକ ଭାବେ ବିଜୟୀ ହେବା ପରେ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ଡଳରେ ସାଂସ୍କୃତିକ ବ୍ୟାପାର ବିଭାଗର ଉପମନ୍ତ୍ରୀ, ପରେ ବିନାୟକ ଆଚାର୍ଯ୍ୟଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ବ, ଶିକ୍ଷା, ପର୍ଯ୍ୟଟନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ତା ସହିତ ୧୯୮୫ରେ ସରକାରୀ ଦଳର ମୁଖ୍ୟ ସଚେତକ, ୧୯୮୬ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଜଳସମ୍ପଦ, ବିଦ୍ୟୁତ୍‌, ସଂସଦୀୟ ବ୍ୟାପାର, ହେମାନନ୍ଦ ବିଶ୍ବାଳଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ଓ ଯୁବସେବା, ଗିରିଧାରୀ ଗମାଙ୍ଗଙ୍କ ମନ୍ତ୍ରିମଣ୍ଡଳରେ ଖାଦ୍ୟ ଯୋଗାଣ, ଓ ଗଣଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ କରାଯିବା, ରାଜ୍ୟର ପ୍ରସିଦ୍ଧ ବୌଦ୍ଧସ୍ଥଳୀ ଲଳିତଗିରି-ଉଦୟଗିରି – ରତ୍ନଗିରିକୁ ହୀରକ ତ୍ରିଭୁଜର ମାନ୍ୟତା ଓ ଓଡିଶାରେ ପ୍ରଥମଥର ପାଇଁ ପର୍ଯ୍ୟଟନ ମାନଚିତ୍ର  ପ୍ରଚଳନ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ସେ ଓଡିଶା ସାହିତ୍ୟ ଆକାଦେମିର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ସେହିପରି ପ୍ରବୀଣ ରାଜନୀତିଜ୍ଞ, ସାରସ୍ବତସାଧକ ଶରତ କର ୩ଥର ବିଧାୟକ, ଥରେ ସାଂସଦ ଓ ବିଧାନସଭାର ବାଚସ୍ପତି ରହିବା ସହ ଶିକ୍ଷା, ସଂସ୍କୃତି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ସେ  ତିନିଥର ବିଧାୟକଭାବେ ବିଜୟୀ ହୋଇଥିବାବେଳେ ଥରେ ମତଲୁବ  ଅଲ୍ଲୀଙ୍କୁ ଓ ଦୁଇଥର ବିରଜା ପ୍ରସାଦ ରାୟଙ୍କୁ ପରାସ୍ତ କରିଥିଲେ। ଛାତ୍ରଜୀବନରୁ ରାଜନୀତିରେ ପ୍ରବେଶ କରିଥିବା ସ୍ବର୍ଗତ କର ୧୯୬୭ରେ ପ୍ରଥମଥର ପାଇଁ ମାହାଙ୍ଗା ଆସନରୁ ବିଧାୟକଭାବେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିଲେ। ଫଳରେ କଂଗ୍ରେସ ଛାଡି ଅଣକଂଗ୍ରେସ ରାଜନୀତିରେ ପାଦ ଥାପିବା ସହ ବେଶ୍‌ ସଫଳ ମଧ୍ୟ ହୋଇଥିଲେ। ମାତ୍ର ୩୧ବର୍ଷ ବୟସରେ ୧୯୭୧ରେ ପ୍ରଥମ ଥର ପାଇଁ ବିଧାୟକଭାବେ ନିର୍ବାଚିତ ହୋଇ  ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ, ୧୯୭୭ରୁ ୮୦ ପର୍ଯ୍ୟନ୍ତ କଟକ ଲୋକସଭା ସାଂସଦ, ୧୯୯୦ରେ ବିଧାୟକଭାବେ ନିର୍ବାଚିତ ହୋଇ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ କ୍ୟାବିନେଟ୍‌ ଓ ୨୦୦୦ ନିର୍ବାଚନରେ ବିଜୟୀ ହୋଇ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିର ମୁଖ୍ୟମନ୍ତ୍ରୀତ୍ବ ସମୟରେ ସେ ବାଚସ୍ପତି ଭାବେ ଗୁରୁଦାୟିତ୍ବ ତୁଲାଇଥିଲେ।
ବିକ୍ରମ କେଶରୀ ବର୍ମା ୨୦୦୪ରେ ବିଧାୟକଭାବେ ନିର୍ବାଚିତ ହୋଇଥିଲେ। କୁଆଁପାଳରେ ଜେଏନ୍‌ କଲେଜ ପ୍ରତିଷ୍ଠା କରି ୧୯୮୨ରୁ ୧୯୯୦ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ। ପରେ ଅଧ୍ୟକ୍ଷ ପଦ ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକ ସରକାର ସମୟରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ କୃଷକ ଜନତା ଦଳର ସଭାପତି ଏବଂ ପରେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ରେ ସେ ମାହାଙ୍ଗାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ କାଜୁ ନିଗମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର