ବାରିପଦା ପୂର୍ବତନ ନଗରପାଳଙ୍କ ନିଆରା ଉଦ୍ୟମ: କାନ୍ଧରେ ମେସିନ ପକାଇ କରୁଛନ୍ତି ବିଶୋଧନ

ବାରିପଦା: କରୋନା ସମୟରେ ସବୁକିଛି ପାଇଁ ପ୍ରଶାସନ ଉପରେ ନିର୍ଭରଶୀଳ ହେବା ଠିକ୍ ନୁହେଁ। ଲୋକଙ୍କ ସେବା ପାଇଁ ନିଜେ ଚାହିଁଲେ ମଧ୍ୟ ଅନେକ କିଛି କରିପାରିବେ ଜନପ୍ରତିନିଧି। ଏହାର ଏକ ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି (ବାଦଲ ଭାଇ)। ସରକାରୀ ଦଳର ଜଣେ ପ୍ରଭାବଶାଳୀ ନେତା ହୋଇ ମଧ୍ୟ ପ୍ରଶାସନ ଉପରେ ନିର୍ଭରଶୀଳ ନହୋଇ ବାରିପଦା ସହରକୁ ବିଶୋଧନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବାଦଲ ଭାଇ।

ଚଳିତ ମାସ ୧୩ ତାରିଖରୁ ନିଜେ ପିଠିରେ ସାନିଟାଇଜର ସ୍ପ୍ରେ ମେସିନ ଲଦି ବାରିପଦା ସହରର ଏମକେସି ହାଇସ୍କୁଲ୍ ଛକଠାରୁ ଆରମ୍ଭ କରି ସଂସ୍କୃତ ଟୋଲ୍ ନିକଟସ୍ଥ ପରିବା ମାର୍କେଟ, କାଳି ମାର୍କେଟ, ଟ୍ରାଫିକ୍ ଛକ, କଚେରୀ ମାର୍କେଟ, ମାଛ ମାର୍କେଟ ଆଦି ବିଭିନ୍ନ ସ୍ଥାନକୁ ସାନିଟାଇଜ କରାଇ ସାରିଛନ୍ତି । ଏଥି ସହିତ କରୋନାକୁ ବାୟ ବାୟ ଜଣାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ କରିବା, ସାବୁନରେ ଅଥବା ସାନିଟାଇଜରରେ ହାତକୁ ବାରମ୍ବାର ସଫା କରିବା ସହିତ ଅତି ଜରୁରୀ କାର୍ଯ୍ୟ ନ ଥିଲେ ଘରରୁ ପଦାକୁ ନବାହାରିବା ନିମନ୍ତେ ମଧ୍ୟ ଜନସାଧାରଣଙ୍କୁ ପରାମର୍ଶ ଦେଇ ଜନସଚେତନତା ସୃଷ୍ଟି କରାଇବାରେ ଲାଗିଛନ୍ତି ।

ଏହି କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ବାରିପଦା ପୌରପରିଷଦକୁ ଯେମିତି ଢଙ୍ଗରେ ସ୍ବଚ୍ଛ ରଖିବାକୁ ପୌରପ୍ରଶାସନ ଦାୟିତ୍ବ ନେବା କଥା ସେମତି ନେଉନଥିବା ସେ ଅନୁଭବ କରିଥିଲେ। ତେଣୁ ନିଜସ୍ବ ଉଦ୍ୟମରେ ଏପରି କାର୍ଯ୍ୟକୁ ହାତକୁ ନେଇଥିବା ସେ କହିଛନ୍ତି। ଏପରିକି ସହରରେ ଆବଶ୍ୟକ ପରିମାଣର ବ୍ଲିଚିଂ ପାଉଡର୍ ଉପଲବ୍ଧ ମଧ୍ୟ ନଥିବା ସେ ସୂଚନା ଦେଇଛନ୍ତି। ପ୍ରଥମେ ପୂର୍ବତନ କାଉନ୍ସିଲର ପ୍ରଭାତ ମହାନ୍ତି(ଜନ୍) ତାଙ୍କୁ ସହଯୋଗ କରିଥିବାବେଳେ ଏବେ ଆହୁରି ଅନେକ ପୂର୍ବତନ କାଉନ୍ସିଲର ତାଙ୍କ ସହିତ ଯୋଡ଼ି ହୋଇଥିବାରୁ ସେ ଖୁସି ବ୍ୟକ୍ତି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମୟୂରଭଞ୍ଜରେ ଆଜିସୁଦ୍ଧା ୧୧ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବାରିପଦାରୁ ମଧ୍ୟ ଅଛନ୍ତି। ତେବେ ବାଦଲଙ୍କର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର