ମଣ୍ଡିରେ ପୂର୍ବତନ ସଭାପତିଙ୍କ ଆକ୍ରମଣରେ ସଂପାଦକ ଗୁରୁତର; ଥାନାରେ ଅଭିଯୋଗ

ଆଠଗଡ଼: ମଣ୍ଡିରେ ସେବା ସମବାୟ ସମିତିର ସଂପାଦକଙ୍କୁ ଆକ୍ରମଣ ହୋଇଥିବା ନେଇ ଆଠଗଡ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଯୋରନ୍ଦା ସେବା ସମବାୟ ସମିତିରେ ଆଜି ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇଥିଲା। ମଣ୍ଡିରେ ଧାନ କ୍ରୟ ସମୟରେ ମହାକାଳବସ୍ତ ପଞ୍ଚାୟତର ଦହିସରା ଗ୍ରାମର ତଥା ଯୋରନ୍ଦା ସେବା ସମବାୟ ସମିତିର ପୂର୍ବତନ ସଭାପତି ବିଚିତ୍ରା ନନ୍ଦ ପାଢୀ, ତ୍ରିଲୋଚନ ଜେନା, କେଶବ ଚନ୍ଦ୍ର ସ୍ବାଇ ପ୍ରମୁଖ କାର୍ଯ୍ୟାଳୟରେ ଅଚାନକ ପ୍ରବେଶ କରି ସଂପାଦକଙ୍କୁ ଆକ୍ରମଣ କରି ମୁହଁ ଥୋଡି ଫଟାଇ ଦେବା ସହ ଅଶୀଳ ଭାଷାରେ ଗାଳିଗୁଲଜ କରିଥିଲେ।

କାର୍ଯ୍ୟାଳୟର ଟେବୁଲ, ଚେୟାର, କମ୍ମୁଟର, ମଣ୍ଡି ବ୍ୟବହୃତ ଉପକରଣ ଭଙ୍ଗାରୁଜା କରିଥିବା ନେଇ ସଂପାଦକ ଅଜୟ ଭୂୟାଁ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ସଂପାଦକ ସେବା ସମବାୟ ସମିତିର ପ୍ରଶାସକ ହାଡିବନ୍ଦୁ ରଣା ଓ ଏଆରସିଏସ୍‌ଙ୍କୁ ମଧ୍ୟ ଲିଖିତ ଜଣାଇଛନ୍ତି। ବିଚିତ୍ରାନନ୍ଦ ପାଢ଼ୀ ଶାସକ ଦଳର ଜଣେ ଆଗ ଧାଡିର ନେତା ହୋଇଥିବା ବେଳେ ମହାକାଳବସ୍ତ ପଞ୍ଚାୟତର ସମିତି ସଭ୍ୟାଙ୍କ ଦିଅର ଅଟନ୍ତି।

ପ୍ରକାଶଯୋଗ୍ୟ ମଣ୍ଡିରେ ତ୍ରିଲୋଚନଙ୍କ ଧାନ ବିକ୍ରୟ ହୋଇପାରି ନଥିଲା। ଆଜି ଫେବ୍ରୁଆରି ୨୦ ତାରିଖ ଟୋକନର ୪୦ ଜଣ ଚାଷୀ ୫ଶହ କୁଇଣ୍ଟାଲ ଧାନ ବିକ୍ରୟ କରିଥିଲେ। ମାତ୍ର ତ୍ରିଲୋଚନଙ୍କ ଟୋକନ ଫେବ୍ରୁଆରି ୬ ତାରିଖରେ ହୋଇଥିବା ବେଳେ ଟୋକନ ସମୟସୀମା ଅତି କ୍ରମ କରିଯାଇଥିବାରୁ ଧାନ ବିକ୍ରୟ କରିପାରି ନ ଥିଲେ ବୋଲି ସଂପାଦକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର