ବାରିପଦା:ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ନକଲି ଆଇଏଏସ ଅଟକ

ବାରିପଦା:ବାରିପଦା ପୁଲିସ ଜଣେ ନକଲି ଆଇଏଏସ ଅଫିସରଙ୍କୁ ଅଟକ ରଖିଛି। ନିଜକୁ ଜଣେ ଆଇଏଏସ ଅଫିସର ଭାବେ ପରିଚୟ ଦେଇ ଏକାଧିକ ଯୁବତୀଙ୍କୁ ବିବାହ କରିଛି ଏହି ନକଲି ଆଇଏଏସ ଅଫିସର। ତେବେ ଏ ନେଇ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାରେ ଅଭିଯୋଗ ହେବା ପରେ ଗତକାଲି ବିଳମ୍ବିତ ରାତିରେ ରଜତ ପଣ୍ଡା ନାମକ ଏହି ନକଲି ଆଇଏଏସଙ୍କୁ ତାଙ୍କ ନୂଆ ଶ୍ୱଶୁରଙ୍କ ଘରୁ ଉଠାଇ ଆଣିଛି ପୁଲିସ। ଗୁରୁତ୍ୱପୂର୍ଣ୍ଣ ହେଉଛି, ସିସୋର ଚିଟ୍‌ ଫଣ୍ଡ ଠକେଇ ମାମଲାରେ ପୂର୍ବରୁ ରଜତ ଗିରଫ ହୋଇ ଦେଢ଼ ବର୍ଷ ପର୍ଯ୍ୟନ୍ତ ଝାରପଡ଼ା ଜେଲରେ ମଧ୍ୟ ଥିଲେ।
ଖୁଣ୍ଟା ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ରବୀନ୍ଦ୍ର ପଣ୍ଡାଙ୍କ ପୁଅ ରଜତ ପଣ୍ଡା ନିଜକୁ ମାଲକାନଗିରିର ସବ୍‌କେଲକ୍ଟର (ଆଇଏଏସ) ଲିଙ୍ଗରାଜ ପଣ୍ଡା ବୋଲି ପରିଚୟ ଦେଇଥିଲେ। ପରେ ଲିଙ୍ଗରାଜ ପଣ୍ଡା ଆଇଏଏସ ଙ୍କ ନାମରେ ଏକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ବିଭିନ୍ନ ବ୍ୟକ୍ତିଙ୍କୁ ବିଭ୍ରାନ୍ତି କରିଥିଲେ। ଇତିମଧ୍ୟରେ ରଜତ ନିଜକୁ ଆଇଏସଏସ ଅଫିସର ବୋଲି କହି ଭୁବନେଶ୍ୱର ନାଗେଶ୍ୱରଟାଙ୍ଗୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପରେ ଖୁଣ୍ଟା ଥାନା ଦାମୋଦରପୁର ଗାଁର ଜଣେ ଯୁବତୀଙ୍କୁ ମଧ୍ୟ ଏହି ନକଲି ଫେସ୍‌ବୁକ୍‌୍‌ ଆକାଉଣ୍ଟ୍‌ ମାଧ୍ୟମରେ ଫସାଇ ତାଙ୍କୁ ନେଇ ଉଦଳା ତାରିଣୀ ମନ୍ଦିରରେ ବିବାହ କରିଥଲେ। ତେବେ ମାଲକାନାଗିରି ସବ୍‌କଲେକ୍ଟରଙ୍କ ନାଁରେ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକିବା ନେଇ ଏକ ମାମଲା ମାଲକାନଗିରି ଥାନାରେ ରୁଜୁ ହୋଇଥିବା ବେଳେ ଜଣେ ଆଇଏଏସ ଅଫିସର ଉଦଳାର ଏକ ଛୋଟ ତାରିଣୀ ମନ୍ଦିରରେ ଜଣେ ଗାଁ ଝିଅକୁ ଏମିତି ବିବାହ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ସୃଷ୍ଟି କରିଥିଲା। ତେଣୁ ଏହି ଘଟଣା ଉପରେ ନଜର ରଖିବାକୁ କେତେକ ଲୋକ ପୁଲିସକୁ ସୂଚନା ଦେଇଥିଲେ। ତେବେ ମାଲକାନଗିରି ପୁଲିସ ଠାରୁ ସୂଚନାପାଇ ଖୁଣ୍ଟା ପୁଲିସ ଦାମୋଦରପୁର ଗାଁରେ ଚଢ଼ାଉ କରି ନକଲି ଆଇଏଏସ ଅଫିସରଙ୍କୁଧରି ଥାନାକୁ ଆଣିଛି। ଅପରପକ୍ଷେ ମାଲକାନଗିରିରୁ ମଧ୍ୟଏକ ପୁଲିସ ଟିମ୍‌ ଖୁଣ୍ଟା ଥାନାରେ ପହଞ୍ଚି ରଜତଙ୍କୁ ପଚରାଉଚରା କରୁଛନ୍ତି।

ସମ୍ବନ୍ଧିତ ଖବର