ବିବାହ ଭୋଜି ନିଆଁରେ ଜଳିଗଲା ପାଳଗଦା

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଗୁଆପୁର ପଞ୍ଚାୟତ ବସ୍ତଡ଼ିହ ଗ୍ରାମରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି | ବିବାହ ଭୋଜିରୁ ନିଆଁରୁ ନିକଟରେ ଥିବା ପାଳଗଦା ଜଳି ପାଉଁଶ ହୋଇଯାଇଛି | ବାଲିପାଟଣା ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ | ହେଲେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇ ନ ଥିଲା |

ପ୍ରାପ୍ତ ସୂଚନା ଅନୁସାରେ, ଆଜି ନରଦା ଅଞ୍ଚଳର ରବି ଶଙ୍କର ସାବୁତଙ୍କ ପୁଅ ବାହାଘର ଭୋଜି ବସ୍ତଡ଼ିହ ଗ୍ରାମରେ ଆୟୋଜନ ହୋଇଥିଲା | ନିକଟରେ ଥିବା ବିଦ୍ୟୁତ ତାରରୁ ଟେଣ୍ଟ ହୁକ ପକାଇ ଲାଇନ ଆସିଥିଲା | ହୁକ ସ୍ଥାନରୁ ହଠାତ ସଟସର୍କିଟ ହୋଇ ନିଆଁ ଝଡି ଥିଲା |

ସେହି ଗ୍ରାମର ନବଘନ ସାହୁଙ୍କ ପାଳଗଦାରେ ନିଆଁ ଲାଗି ଯାଇଥିଲା | ବାଲିପାଟଣା ଅଗ୍ନିଶମ ବିଭାଗ ଏବଂ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲେ | ବିଦ୍ୟୁତ କାର୍ଯ୍ୟାଳୟ ଖବର ପାଇ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଥିଲା | ଅଗ୍ନିକାଣ୍ଡରେ ପ୍ରାୟ ୫ ଏକର ଜମିର ପାଳ ଜଳି ପାଉଁଶ ହୋଇଯାଇଛି |

ସମ୍ବନ୍ଧିତ ଖବର