କରୋନାରେ ଜୀବନ ହରାଇଲେ ବିଖ୍ୟାତ ଝୁମର କଣ୍ଠ ଶିଳ୍ପୀ ସୁଜିତ କୁମାର

ବାରିପଦା : ବିଶ୍ୱ ମହାମାରୀ କରୋନା ସହିତ ସଂଗ୍ରାମ କରି ଜଣେ ପରେ ଜଣେ ଟଳିପଡ଼ୁଛନ୍ତି । ସବୁଠି ମୃତ୍ୟୁର କରାଳ ଚିତ୍ର ଦେଖିବାକୁ ମିଳୁଛି । ଏହି ସମୟରେ ମେ ୨୦ ରାତି ପ୍ରାୟ ୧୧.୫୦ ସମୟରେ ଝୁମର ଜଗତରେ ଖ୍ୟାତି ଲାଭ କରିଥିବା ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ହାତୀକୋଟ ଗ୍ରାମପଞ୍ଚାୟତ ଅଧୀନ ନୂଆଡ଼ିହି  ଗ୍ରାମର ସୁଜିତ କୁମାର ବିନ୍ଧାଣୀ କରୋନା ସହିତ ଚଳାଇ ଆସିଥିବା ଜୀବନ ଯୁଦ୍ଧରେ ପରାଜିତ ହୋଇଛନ୍ତି ।  ସୁଜିତ କୁମାରଙ୍କ ମୃତ୍ୟୁ ଝୁମର ଜଗତରେ ଅପୂରଣୀୟ କ୍ଷତି ପହଁଞ୍ଚାଇଛି । ଏଥି ସହିତ ଝୁମର ପ୍ରତି ତାଙ୍କର ମହାନ ଅବଦାନ ଚିରସ୍ମରଣୀୟ ହୋଇ ରହିବ ।
ତାଙ୍କର ବିୟୋଗଝୁମର ପ୍ରେମୀମାନଙ୍କ ହୃଦୟରେ ଗଭୀର ଆଘାତ ପହଁଞ୍ଚାଇଛି ବୋଲି ଚିତ୍ତରଞ୍ଜନ ମହାନ୍ତ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ଦେଖା ଦେଇଥିବା ଏହି ଦୁର୍ଦ୍ଦିନ ସମୟରେ ଜନସାଧାରଣ ଛିଡ଼ାହେବା ନିମନ୍ତେ ନିବେଦନ କରିଛନ୍ତି । ପ୍ରକାଶ ଥାଉକି, ସୁଜିତ ଏକ ଗରୀବ ପରିବାରରେ ଜନ୍ମ ନେଇଥିବା ବେଳେ ବାପା ଶୁକ୍ରା ବିନ୍ଧାଣୀ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କ  ଘରେ ମା ରମାଦେଇ ବିନ୍ଧାଣୀ, ସ୍ତ୍ରୀ ଓ ନିଜର ପ୍ରାୟ ୬ ବର୍ଷ ବୟସର ଝିଅ ଓ ଅଢ଼େଇ ବର୍ଷର ପୁଅ ରହିଛନ୍ତି । ସୁଜିତଙ୍କ ମୃତ୍ୟୁ ପରିବାରକୁ ଶକ୍ତ ଧକ୍କା ପହଁଞ୍ଚାଇଥିବା ପରିବାରର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି ।
           ଏହି ସମୟରେ ସାମାଜିକ ଗଣମାଧ୍ୟମରେ ସୁଜିତଙ୍କ ମୃତ୍ୟୁକୁ ନେଇ ଏକ ଭିଡ଼ିଓ ଭାଇରାଲ ହୋଇଛି । ଭିଡ଼ିଓରେ ଶ୍ରୀତମ ମହାନ୍ତ କରିଥିବା ବାର୍ତ୍ତାଳାପ ଓ ସୁଜିତଙ୍କ ସହ ଭିଡ଼ିଓ କଲିଂ ମାଧ୍ୟମରେ ହୋଇଥିବା ବାର୍ତ୍ତାଳାପରେ ମୋତେ ଏଠାରୁ ବଞ୍ଚାଅ , ମୁଁ ବଞ୍ଚିବାକୁ ଚାହୁଁଛି, ତୁମର ଗୋଡ଼ ତଳେ ପଡ଼ୁଛି, ନଚେତ ଘଣ୍ଟେ ପରେ ମୋର ଶବ ପାଇବେ ବୋଲି କହିଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଏଥି ସୁଜିତର ଯେଉଁ କୋଠରୀରେ ଅନ୍ୟମାନଙ୍କ ସହିତ ଚିକିତ୍ସା ହେଉଥିଲା ତାହାକୁ ନେଇ ପ୍ରଶ୍ନ ଉଠାଇଥିବା ବିଷୟ ଭିଡ଼ିଓରେ ଭାଇରାଲ ହୋଇଛି । ସେହିପରି ସାମାଜିକ ଗଣମାଧ୍ୟମରେ ବାଙ୍କିଶୋଳ କୋଭିଡ଼ ହସପିଟାଲକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାର   ଦେଖିବାକୁ ମିଳିଛି ।
ସମ୍ବନ୍ଧିତ ଖବର