ଟୀକା ପାଇଁ ପ୍ରବଳ ଭିଡ଼ ; ପୁଲିସ ସହ ଯୁକ୍ତିତର୍କ

ଜୟପୁର: ତିନି ଦିନ ପରେ ଆଜି କୋଭିଡ୍‌ ଟୀକାଦାନ ହୋଇଥିଲା। ତେବେ ତିନୋଟି ଯାକ ଟୀକାଦାନ କେନ୍ଦ୍ରରେ ସକାଳ ୬ ଟାରୁ ହିଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ଲୋକେ ସାମାଜିକ ଦୂରତାକୁ ଭୁଲି ନିଜ ଜୀବନ ବଂଚାଇବାକୁ ଲମ୍ବା ଲାଇନ୍ ଲଗାଇ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ଜୟପୁର ପୌରପାଳିକା ଓ ବ୍ଲକ‌ରେ ୬ଟି ସ୍ଥାନରେ ୧୧୮୦ ଜଣଙ୍କୁ ଟୀକା ଦିଆଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରବଳ ଭିଡ ‌ଜମିଥିବା ଦେଖିବାକୁ ମିଳିଥିଲା। ଭିଡ଼ ନିୟନ୍ତ୍ରଣ କରୁଥିବା ପୁଲିସ ଓ ଲୋକଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋ‌କଙ୍କୁ ଛାଇ ଦେବା ପାଇଁ ଟେଣ୍ଟ ଓ ବସିବା ପାଇଁ ଚେୟାର ପଡ଼ିଥିଲେ ହେଁ କୋଭିଡ୍ ହସ୍ପିଟାଲ ଓ ଲାଲଗୁଡା ପରିସର କେନ୍ଦ୍ରରେ ସେଭଳି କିଛି ବ୍ୟବସ୍ଥା ହୋଇନଥିଲା।

Sambad

ପ୍ରବଳଖରାରେ ଦୀର୍ଘ ସମୟ ଧରି ଲୋକେ ସେଭଳି ଠିଆ ହୋଇ ରହିଥିବା ‌ଦେଖିବାକୁ ମିଳିଥିଲା। ବହୁ ବରିଷ୍ଠ ନାଗରିକ ବସିବା ପାଇଁ ସ୍ଥାନ ନ ପାଇ ଉପଖଣ୍ଡ କୋଭିଡ୍ ହସ୍ପିଟାଲ ଓ ଲାଲଗୁଡା କେନ୍ଦ୍ର ନିକଟରେ ତଳେ ବସି ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୭୨, ଲାଲଗୁଡା ଓ କୋଭିଡ୍ ହସ୍ପିଟାଲରେ ୧୭୬ ଲେଖାଏଁ, କୁମୁଲିପୁଟ (ରାବଣାଗୁଡା ସିଏଚସି)ରେ ୩୦୧, ବଡ଼ଜିଉନାରେ ୧୮୭, ହଡପାରେ ୬୮ ଏଭଳି ୧୧୮୦ଜଣଙ୍କୁ ଟୀକା ଦିଆଯାଇଥିଲା।

ସମ୍ବନ୍ଧିତ ଖବର