ପୋଡ଼ୁ ଚାଷ ପାଇଁ ୧ ଏକର ଜଙ୍ଗଲ କାଟି ନିଆଁ ଲଗାଉଥିବା ବେଳେ ଜଣେ ଗିରଫ

ନିଆଁ ଲଗାଉଥିବା ଯୁବକ ଗିରଫ 

ରାୟଗଡ଼ା: ପୋଡ଼ୁ ଚାଷ ପାଇଁ ୧ ଏକର ଜଙ୍ଗଲ କାଟିଦେଲେ। ପରେ କାଟିଥିବା ଗଛକୁ ଏକାଠି କରି ନିଆଁ ଲଗାଉଥିବା ବେଳେ ବନ ବିଭାଗ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ ରାମନାଗୁଡ଼ା ବ୍ଲକ୍ ସିରିଗୁଡ଼ା ଗ୍ରାମର ପାତିକା ତୁଡୁକୁା। ଗୁଣପୁର ବନ ବିଭାଗ ଟିମ୍ ପାତିକାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।

ରାମନାଗୁଡ଼ା ବ୍ଲକ ଡୁମ୍ବୁରି ସଂରକ୍ଷିତ ଜଙ୍ଗଲରେ ନିୟମିତ ନିଆଁ ଲାଗୁଥିବାରୁ ଗୁଣପୁର ରେଞ୍ଜର ରଂଜନ ମହାନ୍ତିଙ୍କ ନିର୍ଦେଶରେ ବନ ବିଭାଗ ସ୍କ୍ବାର୍ଡ ଆଜି ଜଙ୍ଗଲରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ପୋଡ଼ୁ ଚାଷ ପାଇଁ ମହୁଲ, ଭାଲିଆ, କଇଠ, କେନ୍ଦୁ ଭଳି ବହୁ ମୂଲ୍ୟବାନ ୬୪ଟି ଗଛ କାଟି ଦିଆଯାଇଥିବା ବନ ବିଭାଗ ଟିମ୍ ଦେଖିଥିଲେ।

ସ୍କ୍ବାର୍ଡ ଟିମ୍ ଥିବା ସ୍ଥାନରୁ କିଛି ଦୂରରେ ଧୂଆଁ ଉଠୁଥିବା ଦେଖି ଫରେଷ୍ଟର୍ ନରେନ୍ଦ୍ର ଗମାଙ୍ଗ, ଗାର୍ଡ ପ୍ରଦୀପ ଜେନା, ରୋହିତ ମହାରଣା, ଜୟଦେବ ଶବର, ଇ. ସୋମେଶ୍ବର ରାଓ ପ୍ରମୁଖ ଉକ୍ତ ସ୍ଥାନକୁ ଯାଇଥିଲେ। ଏହି ସମୟରେ ପାତିକା କାଟି ଥିବା ଗଛକୁ ଏକାଠି କରି ନିଆଁ ଲଗାଉଥିଲେ।

ବନ ବିଭାଗ ଟିମ୍ ପାତିକାକୁ ଗିରଫ କରି ଗୁଣପୁର ଆଣିବା ପରେ କୋର୍ଟ ଚାଲାଣ କରିଛି। ପୂର୍ବରୁ ମଧ୍ୟରେ ଏହି ସଂରକ୍ଷିତ ଜଙ୍ଗଲରେ ପୋଡ଼ୁ ଚାଷ ପାଇଁ ଗଛ ନ କାଟିବାକୁ ବନ ବିଭାଗ ବହୁବାର ଲୋକଙ୍କୁ ସଚେତନ ସହ ଗଛ କାଟିଲେ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଚେତାବନୀ ଦେଇଛି। ଏହା ସତ୍ତ୍ବେ ଲୋକ ପୋଡ଼ୁ ଚାଷ ପାଇଁ ଗଛ କାଟି ଜଙ୍ଗଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି।

 

ସମ୍ବନ୍ଧିତ ଖବର