ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କ ପରଲୋକ

ବାଲେଶ୍ୱର: ପୂର୍ବତନମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କ(୯୯) ଭୁବନେଶ୍ୱର ଲୁଇସ୍‌ରୋଡ଼ସ୍ଥିତ ବାସଭବନରେ ଆଜି ଭୋର ୪.୪୫ ସମୟରେ ପରଲୋକ ହୋଇଯାଇଛି। ବହୁଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ପୁଅ ପ୍ରଶାନ୍ତ କୁମାର ମହାପାତ୍ର, ଦେବୀ ପ୍ରସାଦ ମହାପାତ୍ର, ବୋହୂ ବିଦ୍ୟୁତ ଶତପଥୀ, ତୃପ୍ତି ମହାପାତ୍ର, ଜ୍ୱାଇଁ ଜଜ୍‌ ରତ୍ନାକର ଦାସ, ସତ୍ୟନାରାୟଣ କର, ସୁଧାଂଶୁ ଶେଖର ପଣ୍ଡା, ଝିଅ ପ୍ରମିଳା ଦାସ, ପ୍ରୀତିଲତା କର, ସଂଯୁକ୍ତା ପଣ୍ଡା, ନାତିନାତୁଣୀ ଉପସ୍ଥିତ ଥିଲେ।

ହରପ୍ରସାଦ ବାଲେଶ୍ୱର ସହଦେବଖୁଣ୍ଟାସ୍ଥିତ ନିଜ ସାନ ପୁଅ ଘରେ ରହୁଥିଲେ। ହେଲେ ଦେହ ଅସୁସ୍ଥ ହେବାରୁ ସେ କିଛି ମାସ ହେବ ଭୁବନେଶ୍ୱରସ୍ଥିତ ବଡ଼ ପୁଅ ଘରେ ରହୁଆସୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମଦନମୋହନ ଦତ୍ତ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମୋବାଇଲ ଯୋଗେ ଶୋକବାର୍ତ୍ତା ଜଣାଇଛନ୍ତି।

ବାଲେଶ୍ୱର ସୋର ବ୍ଲକ୍‌ ପାଖର ଗ୍ରାମର ସ୍ୱର୍ଗତ ରାଜକିଶୋର ମହାପାତ୍ର ଓ ମାତା ସରୋଜିନୀ ଦେବୀଙ୍କ ପୁଅ ହେଉଛନ୍ତି ହରପ୍ରସାଦ। ୧୯୨୩ ମସିହାରେ ହରପ୍ରସାଦଙ୍କ ଜନ୍ମ। ବିଜ୍ଞାନରେ କରିବା ପରେ ସେ ଆଇନ୍‌ରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଜଣେ ଆଇନଜୀବୀ ସହିତ ସାମାଜିକ କାମରେ ବି ସେ ନିଜକୁ ଜଡ଼ିତ ରଖିଥିଲେ। ସେ ଲେଖାଲେଖି କରିବା ସହିତ ତାଙ୍କର ଡ୍ରାମା ଓ ଗୀତ ପ୍ରତି ମଧ୍ୟ ରୁଚି ରହିଥିଲା। ତାଙ୍କର ବହୁ ଆର୍ଟିକିଲ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ପତ୍ରପତ୍ରିକାରେ ପ୍ରକାଶ ପାଇଛି।

୧୯୬୪ରେ ସେ ଶ୍ରମ ସଂଗଠନ ଗଢ଼ିବା ସହିତ ଓଡ଼ିଶା ମୋଟର ଟ୍ରାନ୍‌ସପୋର୍ଟ ୱାର୍କସ ୟୁନିୟନ୍‌ରେ ସାଧାରଣ ସଂପାଦକ ଭାବେ ରହିଥିଲେ। ସେହିପରି ୧୯୭୧-୭୪ ପର୍ଯ୍ୟନ୍ତ ଦୈନିକ ‘ସ୍ୱରାଜ୍ୟ’ ଖବରକାଗର ସଂପାଦକ ରହିଥିଲେ। ୧୯୬୭ ମସିହାରେ ସେ ପ୍ରଥମେ ସିପିଆଇ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ବାଲେଶ୍ୱର ସୋର ନିର୍ବାଚନମଣ୍ଡଳୀର ସେ ସିପିଆଇ ଦଳରୁ ଦୁଇଥର ବିଧାୟକ ହୋଇଥିଲେ। ୧୯୬୭-୭୧ପର୍ଯ୍ୟନ୍ତ ଓଡ଼ିଶାର ଆଇନମନ୍ତ୍ରୀ ରହିବା ସହିତ ସ୍ୱାସ୍ଥ୍ୟ, ବନ, ସହରାଞ୍ଚଳ ବିକାଶରେ ମନ୍ତ୍ରୀ ପଦରେ ସେ ରହିଥିଲେ। ୧୯୭୭ ମସିହାରେ ସିପିଆଇ ଛାଡ଼ି ଜନତା ଦଳରେ ଯୋଗ ଦେଇଥିଲେ। ଓକିଲାତି ହେଉକି ରାଜନୀତି ସବୁଥିରେ ସେ ପାରଙ୍ଗମ ଥିଲେ।

ରାଜ୍ୟ ରାଜନୀତିରେ ବହୁ କାମ କରି ନିଜର ଛାପ ଛାଡ଼ିଯାଇଛନ୍ତି ହରପ୍ରସାଦ। ଓଡ଼ିଶାର ହାତଗଣତି ନେତାଙ୍କ ଭିତରୁ ସେ ଥିଲେ ଅନ୍ୟତମ। ସେ ରାଜନୀତିରେ ଜଣେ ଧୁରନ୍ଧର ନେତା ଭାବେ ପରିଚିତ ଥିଲେ। ସେତେବେଳେ ସାରା ରାଜ୍ୟରେ ତାଙ୍କ ଲୋକପ୍ରିୟତାକୁ ନେଇ ଚର୍ଚ୍ଚା ହୋଇଥିଲା। ନିଜ ସ୍ୱାର୍ଥଠୁ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସେ ଲଢେଇ କରୁଥିଲେ। ସେ ରାଜନୀତିରେ ଜଣେ ଅପ୍ରତିନ୍ଦ୍ୱନ୍ଦୀ ନେତା ଭାବେ ନିଜକୁ ପ୍ରମାଣ କରିଥିଲେ।

ପୂର୍ବତନମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କ ମୃତ୍ୟୁ ଖବର ଶୁଣି ବାଲେଶ୍ୱର ଜିଲ୍ଲା ସହିତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। କରୋନା ସମୟରେ ତାଙ୍କ ଶେଷଦର୍ଶନ କରିପାରି ନଥିଲେ ବି ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗ ଦ୍ଵାରରେ ସଂସ୍କାର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର