ଗାଁଗାଁରେ ମାତିଛନ୍ତି ଦଲାଲ, ୧୨ ଶହ ଦେଲେ ମିଳିଯାଉଛି ଶ୍ରମିକ କାର୍ଡ!

ରାଜନଗର: ନିର୍ମାଣ ଶ୍ରମିକ କାର୍ଡ ପାଇଁ ଗାଁଗାଁ ରେ ବୁଲୁଛନ୍ତି ଦଲାଲ। କିଏ ଶ୍ରମିକ ହୋଇଥାଉ ବା ନ ହୋଇ ଥାଉ ସେଥିରେ କିଛି ଯାଏ ଆସେ ନାହିଁ। ସମସ୍ତଙ୍କୁ ମିଳୁଛି ନିର୍ମାଣ ଶ୍ରମିକ ପରିଚୟ ପତ୍ର। ଶ୍ରମ ବିଭାଗ କାର୍ଯ୍ୟାଳୟରେ ୨୦ ଟଙ୍କା ଦାଖଲ ପରେ କାର୍ଡ ମିଳୁଥିବା ବେଳେ ଦଲାଲମାନେ ଗାଁଗାଁ ବୁଲି ୧୨ଶହରୁ ୨ହଜାର ଟଙ୍କା ଯାଏ ଆଦାୟ କରୁଛନ୍ତି। ଏପରିକି କିଛି ସ୍ଥାନରେ ଦଲାଲମାନେ ନିଜେ କମ୍ପ୍ୟୁଟରରେ ତିଆରି କରି ନକଲି କାର୍ଡ ଦେଉଥିବା ଅଭିଯୋଗ ହୋଇଛି। ରାଜନଗର ଗାଁର ୭ନଂ ୱାର୍ଡରେ ଜଣେ ଯୁବକଙ୍କୁ ଶ୍ରମିକ କାର୍ଡ ପାଇଁ ଟଙ୍କା ଦେଇଥିବା ଲୋକମାନେ ଅଟକ ରଖିଥିଲେ। ଦଲାଲ ଜଣଙ୍କ ୨୦ଜଣଙ୍କୁ ଟଙ୍କା ଫେରାଇବା ପରେ ସେଠାରୁ ମୁକୁଳିଥିଲେ। ଏହି ଘଟଣା ପରେ ଶ୍ରମିକ କାର୍ଡ ପାଇଁ ଚାଲିଥିବା ଦଲାଲରାଜର ଗୁମର ପଦାକୁ ଆସିଛି। ମହାକାଳପଡା ବ୍ଲକ ସୁନତି ଅଂଚଳର ସିଙ୍କୁ ବିଶ୍ବାଳ ନିଜକୁ ଭାରତୀୟ ହ୍ୟୁମାନ ରାଇଟ୍ସ କାଉନସିଲର ସୁନତିର ସଭାପତି ଭାବେ ପରିଚୟ ଦେଇ ରାଜନଗର ୭ନଂ ୱାର୍ଡ ଓ ଡିଆପାରି ଗାଁରୁ ନିର୍ମାଣ ଶ୍ରମିକ କାର୍ଡ କରାଇ ଦେବାକୁ କହିଥିଲେ। ନିର୍ମାଣ ଶ୍ରମିକ କାର୍ଡ ପାଇଁ କାଗଜପତ୍ର ସହିତ ଜଣଙ୍କ ପିଛା ୧୨ଶହ ଟଙ୍କା ଲେଖାଏ ଆଦାୟ କରିଥିଲେ। ୧ମାସ ମଧ୍ୟରେ ପ୍ରାୟ ୧୦୦ଜଣଙ୍କ ଠାରୁ ଶ୍ରମିକ କାର୍ଡ କରାଇ ଦେବା କହି ୧୨ଶହ ଟଙ୍କା ଲେଖାଏ ନେଇଥିଲେ। ଗତକାଲି ରାଜନଗରର ପବନ ସେଠୀଙ୍କୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଭୂବନେଶ୍ବର ଏବଂ ଓଡିଶା ଶାସନ ଚିହ୍ନ ଥିବା କାର୍ଡ ତିଆରି କରି ଆଣି ଦେଇଥିଲେ। ସେହି ପଡାରେ ୨ଜଣ ପବନ ସେଠୀ ଥିବା ଯୋଗୁଁ ଅନ୍ୟ ଜଣେ ପବନ ସେଠୀଙ୍କ ପାଖରେ କାର୍ଡ ନେଇ ପହଞ୍ଚିଥିଲେ। ପବନ ସେଠୀ କାର୍ଡ ପାଇବା ପରେ ଏହା ତାଙ୍କର ନୁହେଁ କହିବା ସହ କାର୍ଡକୁ ଦେଖି ଏହା ନକଲି ବୋଲି ଜାଣି ପାରିଥିଲେ। ଏହାପରେ ତାଙ୍କୁ ୧୨ଶହ ଲେଖାଏ ଟଙ୍କା ଦେଇଥିବା ଲୋକେ ଘେରି ପଡିଥିଲେ। ଏହି ଦଲାଲଙ୍କ ପାଖରେ ଅମର ସେଠୀ, ସଂଜନୀ ସେଠୀ, ବିଚିତ୍ର ସେଠୀ, ଧିବର ସେଠୀ, ଗଗନ ସେଠୀ, ବିକାଶ ସେଠୀ, ଆରତୀ ସେଠୀ ଓ ପବନ ସେଠୀଙ୍କ କାର୍ଡ ଥିଲା। ସମସ୍ତ କାର୍ଡ ନକଲି ବୋଲି ଜଣାପଡିଥିଲା। ଦଲାଲ ମଧ୍ୟ ଏହା ନକଲି ବୋଲି ମାନି ଥିଲେ। ଏହାପରେ ୨୦ଜଣଙ୍କୁ ସେ ନେଇଥିବା ଟଙ୍କା ଫେରାଇ କୌଶଳ କ୍ରମେ ସେଠାରୁ ଖସି ଯାଇଥିଲେ।

ଉଲ୍ଲେଖନୀୟ, କୋଠାବାଡି ନିର୍ମାଣ, ରଂଗ, ଓ୍ବେଲଡିଂ ଓ ମନରେଗାରେ କାମ କରୁଥିବା ଶ୍ରମିକମାନଙ୍କୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଲେବର କାର୍ଡ ପ୍ରଦାନ କରାଯାଉଛି। ଏହି କାର୍ଡଧାରୀଙ୍କୁ ଦୁର୍ଘଟଣାଜନିତ ସହାୟତା, ମୃତ୍ୟୁକାଳୀନ ସହାୟତା, ଦୁଃରାରୋଗ୍ୟ ଚିକିତ୍ସା ସହାୟତା, ଶିକ୍ଷାବୃତ୍ତି ସହାୟତା, ଯନ୍ତ୍ରପାତି କ୍ରୟ ସହାୟତା, କୁଶଳତା ଅଭିବୃଦ୍ଧି ନିମନ୍ତେ ସହାୟତା, ପକ୍କାଘର ଯୋଜନା ଆଦି ସହାୟତା ମିଳୁଛି। ଏହି ସହାୟତା ସବୁ ମିଳୁଛି କହି କିଛି ଦଲାଲ ଏବେ ଗାଁ ଗାଁରେ ନିର୍ମାଣ ଶ୍ରମିକ କାର୍ଡ ଯୋଗାଇ ଦେବାକୁ କହି ଟଙ୍କା ଆଦାୟ କରୁଛନ୍ତି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କିଛି ଅଧିକାରୀଙ୍କୁ ହାତ କରି ସେ ନେଇଥିବା ଲୋକଙ୍କ କାର୍ଡ ତିଆରି କରୁଛନ୍ତି। ଆଉ କେତେଜଣ ଦଲାଲ କମ୍ପ୍ୟୁଟରରେ ନିଜେ ନିଜେ କାର୍ଡ ତିଆରି କରି ଲୋକଙ୍କୁ ଦେଇ ଟଙ୍କା ଲୁଟି ନେଉଛନ୍ତି। ପୂର୍ବରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ମୃତକ ନାଁରେ କାର୍ଡ ତିଆରି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଦଲାଲଙ୍କ ମାଧ୍ୟମରେ ୨୦ଟଙ୍କା ବଦଳରେ ୧୨ଶହରୁ ୨ହଜାର ଟଙ୍କା ଯାଏ ଆଦାୟ କରି କାର୍ଡ ପ୍ରଦାନର ଗୁରୁତର ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର