ବାଲିଅନ୍ତା-ବାଲିପାଟଣା ଗୋଦାମ ଘରେ ଝୁଲିଲା ତାଲା; ମଞ୍ଚେଶ୍ବରରୁ ଯୋଗାଣ ହେବ କଣ୍ଟ୍ରୋଲ ସାମଗ୍ରୀ

ବାଲିଅନ୍ତା: ବାଲିଅନ୍ତା ଏବଂ ବାଲିପାଟଣା ଅଞ୍ଚଳକୁ କଣ୍ଟ୍ରୋଲ ସାମଗ୍ରୀ ଯୋଗାଣ ନେଇ ଏଠାରେ ନିର୍ମିତ ହୋଇଥିବା ଗୋଦାମ ଗୃହ ବନ୍ଦ ହେବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ପାଖାପାଖି ୯ହଜାର କ୍ୟୁଣ୍ଟାଲ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କ୍ଷମତା ଥିବା ଉକ୍ତ ଗୋଡାଉନ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସ୍ଥିତ ସରକାରୀ ଗୋଦାମ ଗୃହକୁ ସ୍ଥାନାନ୍ତର ହୋଇଛି। ଏ ମାସ ୧୫ ତାରିଖ ସୁଦ୍ଧା ଉକ୍ତ ଗୋଦାମ ଘର ବନ୍ଦ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ହେଁ ଗଚ୍ଛିତ କଣ୍ଟ୍ରୋଲ ସାମଗ୍ରୀ ଯଥା ଗହମ, ଚାଉଳ ଆଦି ବଣ୍ଟନ ଶେ‌ଷ ହୋଇନଥିବାରୁ ଏଠାରୁ ବଣ୍ଟନ ହେବ ବୋଲି ସୂଚନା ମିଳିଛି। ଏନେଇ ରାଜ୍ୟ ଖାଦ୍ୟ ନିଗମ ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ସଂପୃକ୍ତ ଗୋଦାମ କାର୍ୟ୍ୟାଳୟ ପରିଚାଳନା ଦାୟିତ୍ବରେ ଥିବା ପ୍ରୋକ୍ୟୁୟରମେଣ୍ଟ କର୍ତୃପକ୍ଷଙ୍କୁ ଚିଠି ହୋଇଛି। ଆସନ୍ତାମାସ ଠାରୁ ଆବଶ୍ୟକ କଣ୍ଟ୍ରୋଲ ସାମଗ୍ରୀ ମଞ୍ଚେଶ୍ବର ଠାରୁ ଯୋଗାଣ ହେବ ବୋଲି କୁହାଯାଇଛି। ଗୋଦାମ ଗୃହ ନିର୍ମାଣ ବିଜ୍ଞାନ ସମ୍ମତ ଶୈଳୀରେ ନିର୍ମାଣ ହୋଇନଥିବାରୁ ସରକ୍ଷିତ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଉଥିବା କାରଣ ଦର୍ଶାଇ ଗୋଦାମ ଗୃହ ସିଲ କରିଦିଆଯାଇଥିବା ଜଣେ ଅଧିକାରୀ ଜଣାଇଛନ୍ତି। ଅନ୍ୟପକ୍ଷରେ ୨୦୧୨ ମସିହାରୁ ବାଲିଅନ୍ତାରେ ଚାଲିଥିବା ଗୋ ଡାଉନ ମଞ୍ଚଶ୍ବର ଉଠିଯିବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି।

ଗୋଡାଉନରେ କାର୍ୟ୍ୟରତ ୧୬ ଜଣ ଅସ୍ଥାୟୀ କର୍ମଚାରୀ ଛଟେଇ ହୋବାର ଆଶଙ୍କା ଥିବାରୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। କମ ଦରମାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନେ କୌଣସି ପରିସ୍ଥିତିରେ ବି ମଞ୍ଚେଶ୍ବରକୁ ଯିବ‌େ ନାହିଁ ବୋଲି କହିଛନ୍ତି। ଏହାଛଡ଼ା ମଞ୍ଚଶ୍ବର ଗୋଦାମ ଅପେକ୍ଷାକୃତ ଭାବେ ଅଧିକ ଦୂର ହୋଇଥିବାରୁ ଯିବା ଆସିବା ସମସ୍ୟା ନେଇ ଡିଲର ଓ ଗ୍ରାମ ପଞ୍ଚାୟତ କର୍ମକର୍ତାମାନେ ପ୍ରତିବାଦ କରିଛନ୍ତି। ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଲେ ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳର ୪୫ ହଜାରରୁ ଅଧିକ ଉପଭୋକ୍ତା ବିଶେଷ ପ୍ରଭାବିତ ହେବେ ବୋଲି ସୂଚନା ମିଳିଛି। ତେଣୁ ପୂର୍ବ ଭଳି ଉକ୍ତ ଗୋଦାମ ଗୃହ କାର୍ୟ୍ୟକ୍ଷମ କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ସମସ୍ୟା ସଂପର୍କରେ ଓଡ଼ିଶା କର୍ମଚାରୀ ମହାମଞ୍ଚ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଭାଗୀୟ ସଚିବ, ୫ଟି ସଚିବ ଏବଂ ଅନ୍ୟାନ୍ୟ ଫୋରମରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏଦିଗରେ କର୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର