ବସ୍‌ରେ ‌ଗଞ୍ଜେଇ ଚାଲାଣ ଯୋଜନା; ସ୍ବାମୀ-ସ୍ତ୍ରୀ ଗିରଫ, ୧୧ କେଜି ଗଞ୍ଜେଇ ଜବତ

ଭଞ୍ଜନଗର: ବସ୍‌ରେ ଗଞ୍ଜେଇ ନେବା ପାଇଁ ଯୋଜାନ କରି ବସ୍‌କୁ ଅପେକ୍ଷା କରିବା ସମୟରେ ପୁଲିସ୍‌ ଚଢ଼ାଉ କରି ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ନିଧିଆପଲ୍ଲୀ ବସ୍‌ଷ୍ଟପ୍‌ ନିକଟରୁ ଉଭୟ ଦମ୍ପତିକୁ ପୁଲିସ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସହ ଏସଂର୍ପକରେ କେସ୍‌ ନମ୍ବର ୪୫୩ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନ ଦେଇଛନ୍ତି। ଜରଡା ଥାନା ଅଧୀନ କେଳୁଆ ଗ୍ରାମର କୃଷ୍ଣ ସାହୁ (୫୦) ଏବଂ ତାଙ୍କ ପତ୍ନୀ ଉର୍ବସୀ ସାହୁ(୪୪) ନିଜର ଆସବାପତ୍ର ଓ ପରିବା ବ୍ୟାଗ ସହ ଏକ ବ୍ୟାଗ୍‌ରେ ୧୧ କିଲୋ ୫୭୦ ଗ୍ରାମ୍‌ ଗଞ୍ଜେଇ ରଖି ସାଧାରଣ ଯାତ୍ରୀ ଭଳି ବସ୍‌ରେ ଗଞ୍ଜେଇ ଚାଲାଣ କରିବା ପାଇଁ ଯୋଜନା କରିଥିଲେ।

ଆଜି ଭୋର୍‌ ସମୟରେ ସମସ୍ତ ବ୍ୟାଗ୍‌ ସହ ଉଭୟ ଦମ୍ପତି ନିଧିଆପଲ୍ଲୀ ବସଷ୍ଟପ୍‌ ନିକଟରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏସ୍‌ଆଇ ମନସ୍ବିନୀ ମହାନ୍ତି ପେଟ୍ରୋଲଂ କରି ‌ଫେରୁଥିବା ବେଳେ ଉଭୟଙ୍କୁ ଦେଖି ସନ୍ଦେହରେ ସେମାନଙ୍କ ଆସବାପତ୍ର ଯାଞ୍ଚ କରିବା ସମୟରେ ସେମାନଙ୍କ ଏକ ବ୍ୟାଗ୍‌ରୁ ଗଞ୍ଜେଇ ଜବତ କରିଥିଲେ। ଏହାପରେ ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ‌ଗଞ୍ଜେଇ ଜବତ କରିବା ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସ୍ନେହାମଞ୍ଜରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର